
ଭୁବନେଶ୍ୱର : ଓଡ଼ିଶା ରାଜ୍ୟର ସମସ୍ତ ଦିବଂଗତ ସ୍ୱାଧୀନତା ସଂଗ୍ରାମୀମାନଙ୍କ ସ୍ମୃତିକୁ ଉଜ୍ଜିବିତ କରି ରଖିବା ଉଦ୍ଦେଶ୍ୟରେ ୧୯୭୪ ମସିହାରେ ଓଡ଼ିଶାର ତତ୍କାଳୀନ ମୁଖ୍ୟମନ୍ତ୍ରୀ ବରେଣ୍ୟା ଶ୍ରୀମତୀ ନନ୍ଦିନୀ ଶତପଥୀଙ୍କ ଶାସନକାଳରେ ରାଜ୍ୟର ସମସ୍ତ ବ୍ଳକ କାର୍ଯ୍ୟାଳୟ ପରିଷରରେ ସେହି ଅଂଚଳର ସ୍ଥାନୀୟ ଦିବଂଗତ ସ୍ୱାଧୀନତା ସଂଗ୍ରାମୀମାନଙ୍କ ନାମ ଉଲ୍ଲେଖ ଥାଇ ଯେଉଁ ସଂଗ୍ରାମୀ ସ୍ୃତିଶୀଳାଗୁଡ଼ିକ ସ୍ଥାପନ କରାଯାଇଥିଲା ବର୍ତମାନ ଅନେକ ବ୍ଳକରେ ସେଗୁଡ଼ିକ ଏବେ ଲୁକ୍କାୟିତ, ଜୀର୍ଣ୍ଣଶୀର୍ଣ୍ଣ ଓ ଭଗ୍ନ ଅବସ୍ଥାରେ ପଡ଼ି ରହିଛି ବୋଲି ଉକ୍ରଳ ସଂଗ୍ରାମୀ ସ୍ମୃତି ସମିତିର କାର୍ଯ୍ୟକାରୀ ସଭାପତି ତଥା ପୁରୀ ଜିଲ୍ଲା କଂଗ୍ରେସ କମିଟି ସଭାପତି ଶ୍ରୀ ଅମୀୟ କୁମାର ପଟ୍ଟନାୟକ କହିଛନ୍ତି । ଏହି ଗରୀମାମୟ ଐତିହ୍ୟକୁ ସୁରକ୍ଷା କରାଯିବା ଏକାନ୍ତ ଜରୁରୀ । କାରଣ ରାଜ୍ୟ ସରକାରଙ୍କ ପକ୍ଷରୁ ଆସନ୍ତା ଅକ୍ଟୋବର ୨ ତାରିଖ ଦିନ ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ୧୫୦ ତମ ଜୟନ୍ତୀ ମହା ସମାରୋହରେ ପାଳନ କରାଯାଉଛି । ତେଣୁ ରାଜ୍ୟର ସମସ୍ତ ଦିବଂଗତ ସ୍ୱାଧୀନତା ସଂଗ୍ରାମୀମାନଙ୍କ ତ୍ୟାଗପୂତ ଅମ୍ଳାନ ଗୁଣାବଳୀକୁ ଚିରସ୍ମରଣୀୟ କରି ରଖିବା ସହିତ ଯେଉଁ ବ୍ଳକଗୁଡ଼ିକରେ ଲୁକ୍କାୟିତ ହୋଇଯାଇଥିବା କିମ୍ବା ଓ ଜୀର୍ଣ୍ଣଶୀର୍ଣ୍ଣ ଓ ଭଗ୍ନ ଅବସ୍ଥାରେ ପଡ଼ି ରହିଥିବା ସ୍ମୃତିଶୀଳାଗୁଡ଼ିକର ଆଶୁ ପୁନରୁଦ୍ଧାର ଓ ଆବଶ୍ୟକ ସ୍ଥଳେ ନୂତନ ସ୍ମୃତିଶୀଳା ନିର୍ମାଣ କରାଯାଇ ଏଥିରେ ଇତି ମଧ୍ୟରେ ଆଉ ଯୋଡ଼ି ହେବାକୁ ଥିବା ଦିବଂଗତ ସ୍ୱାଧୀନତା ସଂଗ୍ରାମୀମାନଙ୍କ ନାମ ଉଲ୍ଲେଖ କରାଯାଇ ଆସନ୍ତା ଅକ୍ଟୋବର ୨ ତାରିଖଠାରୁ ପ୍ରତିବର୍ଷ ଜାତୀୟ ଉତ୍ସବଗୁଡ଼ିକରେ ପ୍ରତି ବ୍ଳକ କାର୍ଯ୍ୟାଳୟ ପରିଷରରେ ଥିବା ସ୍ୱାଧୀନତା ସଂଗ୍ରାମୀଙ୍କ ସ୍ମୃତିଶୀଳା ନିକଟରେ ପୂଜ୍ୟପୂଜା କରାଗଲେ ବାପୁଜୀଙ୍କ ୧୫୦ ତମ ଜୟନ୍ତୀ ପାଳନ କରାଯିବାର ଯଥେଷ୍ଟ ଗୁରୁତ୍ୱ ବହନ କରିବ ଏବଂ ଏହା ହେବ ସେହି ସ୍ୱାଧୀନତା ସଂଗ୍ରାମୀମାନଙ୍କ ପ୍ରତି ଶ୍ରେଷ୍ଠ ଶ୍ରଦ୍ଧାଜ୍ଞଳୀ ବୋଲି ଶ୍ରୀ ପଟ୍ଟନାୟକ ଏକ ପ୍ରେସ ବିଜ୍ଞପ୍ତିରେ ଜଣାଇବା ସହିତ ଉପରୋକ୍ତ ପ୍ରସ୍ତାବଗୁଡ଼ିକର ଆଶୁ ସୁବିଚାର ପାଇଁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିକଟକୁ ଉକ୍ରଳ ସଂଗ୍ରାମୀ ସ୍ମୃତିି ସମିତି, କାକଟପୁରଙ୍କ ତରଫରୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି ।