କନ୍ଧମାଳ 
– ରାଜ୍ୟ ଜନଜାତି ନିର୍ଦ୍ଦେଶକ ସଚ୍ଚିନ ରାମଚନ୍ଦ୍ର ଯାଦବ ୩ ଦିନିଆ କନ୍ଧମାଳ ଗସ୍ତରେ ଆସି ବିଭିନ୍ନ ଅଂଚଳ ବୁଲି ଦେଖିବାସହ ସମୀକ୍ଷା ବୈଠକରେ ଯୋଗ ଦେଇଥିଲେ । ବିଭିନ୍ନ ବିଭାଗର କାର୍ଯ୍ୟଶୈଳୀ ଓ ଅଗ୍ରଗତି ନେଇ ସମୀକ୍ଷା କରିବା ପରେ ଅସନ୍ତୋଷ ପ୍ରକାଶ କରିବାସହ ବାଲିଗୁଡା ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ପ୍ରଶାସକ ଓ ସହକାରୀ ଯନ୍ତ୍ରୀଙ୍କ ଉପରେ ତାଙ୍କର କାର୍ଯ୍ୟରେ ଅସନ୍ତୋଷ ବ୍ୟକ୍ତ କରିଥିବା ଜଣାପଡିଛି । ବିଶେଷକରି ସ୍କୁଲଶିକ୍ଷା ଉପରେ ଗୁରୁତ୍ୱାରୋପ କରିଥିଲେ । ଛାତ୍ରଛାତ୍ରୀ ମାନେ ଯେପରି ଉଚ୍ଚମାନର ଶିକ୍ଷାଲାଭ କରିବେ ସେଥିପ୍ରତି ଗୁରୁତ୍ୱ ଦେବାଲାଗି ପରାମର୍ଶ ଦେଇଥିଲେ । ସେହିପରି ବାଲିଗୁଡା ଗସ୍ତରେ ଯାଇ ଗୁଟିଙ୍ଗିଆ, ପାବୁରିଆ, କୁଡୁତୁଲି ସ୍କୁଲ ମଧ୍ୟ ପରିଦର୍ଶନ କରି ସ୍କୁଲର ପରିବେଶ ଦେଖି ସନ୍ତୋଷ ପ୍ରକାଶ କରିଥିଲେ । ଚାଂଚେଡି ପଂଚାୟତର ଲିଚୁ ବଗିଚା, ପାବୁରିଆ ବିରାଙ୍ଗି ଅଂଚଳର ଲେମନ ଗ୍ରାସ, ସୁଇଟକର୍ଣ୍ଣ ମିଶ୍ରିତ ଚାଷ ଆଦି ବୁଲି ଦେଖିବାସହ ଚାଷୀମାନଙ୍କ ସହ ଆଲୋଚନା କରିଥିଲେ । ବାଲିଗୁଡା ଆଇଟିଡିଏ ପକ୍ଷରୁ କରାଯାଉଥିବା ଉନ୍ନୟନ ମୂଳକ କାର୍ଯ୍ୟ ଗୁଡିକ ନିମ୍ନମାନର ଓ ମନ୍ଥର ଗତିରେ ଚାଲିଥିବା ଯୋଗୁଁ ସହକାରୀ ଯନ୍ତ୍ରୀଙ୍କ ଉପରେ ଅସନ୍ତୋଷ ବ୍ୟକ୍ତ କରିବାସହିତ ନିଷ୍ଠା ଓ ଆନ୍ତରିକତାର ସହ କାର୍ଯ୍ୟ କରିବାଲାଗି ପରାମର୍ଶ ଦେଇଥିଲେ । ସରକାରଙ୍କ ୫ଟି କାର୍ଯ୍ୟକ୍ରମକୁ ମଧ୍ୟ କଡାକଡି ଭାବେ ପାଳନ କରିବାଲାଗି ନିର୍ଦ୍ଦେଶ ଦେଇଥିଲେ ନିର୍ଦ୍ଦେଶକ, ସମୀକ୍ଷା ବୈଠକରେ ଜିଲ୍ଲାପାଳ କନ୍ଧମାଳ ଡା.ବୃନ୍ଦା ଡି., ବାଲିଗୁଡା ପିଏ ଆଇଟିଡିଏ ରାଜେନ୍ଦ୍ର କୁମାର ରଣଜିତ, ଫୁଲବାଣୀ ପିଏ ଆଇଟିଡିଏ ବୀରେନ୍ଦ୍ର ଦାସ, ଜିଲ୍ଲା ମଙ୍ଗଳ ଅଧିକାରୀ ଶେଷଦେବ ବେହେରାଙ୍କ ସମେତ ଜିଲ୍ଲାର ସବୁ ବ୍ଲକର ମଙ୍ଗଳ ସଂପ୍ରସାରଣ ଅଧିକାରୀ ମାନେ ଯୋଗଦେଇଥିଲେ ।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO