କେନ୍ଦ୍ରାପଡ଼ା – ଆଜି କେନ୍ଦ୍ରାପଡା ବିଧାୟକ ଶଶୀଭୂଷଣ ବେହେରା ଗରାପୁର ପୂର୍ତ ଡାକ ବଙ୍ଗଳାଠାରେ ଜନ ଅଭିଯୋଗ ଶୁଣାଣୀ ଶିବିରରେ କେନ୍ଦ୍ରାପଡା ବିଧାନସଭା କ୍ଷେତ୍ରର ଲୋକମାନଙ୍କର ବିଭିନ୍ନ ଅଭିଯୋଗ ଗ୍ରହଣ କରି ଏହାର ସମାଧାନ ନିମନ୍ତେ ପରାମର୍ଶ ଦେଇଥିଲେ । ପଟ୍ଟାମୁଣ୍ଡାଇ ଅଣ୍ଡରା ଅଂଚଳରେ ଏକ ଗ୍ରାମକୁ ରାଜସ୍ୱ ଗ୍ରାମରେ ଘୋଷଣା କରିବାକୁ କୃଷକ ନେତା ଗଦାଧର ମଲ୍ଲିକଙ୍କ ନେତୃତ୍ୱରେ ଗ୍ରାମବାସୀମାନେ ବିଧାୟକଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ସେହିପରି ନେତାଜୀ ଯୁବକମାନେ ନିଯୁକ୍ତି ପାଇଁ ବିଧାୟକଙ୍କୁ ଜଣାଇଥିଲେ । କନ୍ଦରାସୁର ବଦ୍ଧ ଉତ୍ସବ ପାଳନ କରିବା ନିମନ୍ତେ ସମାଜସେବୀ ଶଙ୍କର୍ଷଣ ପଣ୍ଡା, ପ୍ରକାଶ ପରିଡା, ହିମାଂଶୁ ପଣ୍ଡା, ସମୀର ଚାନ୍ଦ ପ୍ରମୁଖ ବିଧାୟକଙ୍କୁ ଭେଟି ଆଲୋଚନା କରିଥିଲେ । ସେହିପରି ଆମ ଗାଁ ଆମ ସାହିତ୍ୟ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ସାହିତ୍ୟିକ ଡଃ. ବାସୁଦେବ ଦାସ ବିଧାୟକଙ୍କୁ ନିବେଦନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଗୁଲନଗର, ଆୟବା, ଓସ୍ତପୁର, ଘାଗରା, ନିକିରାଇ, ଧୂମାତ ଗ୍ରାମ ପଂଚାୟତର ଲୋକମାନେ ବିଭିନ୍ନ ସମସ୍ୟା ନେଇ ବିଧାୟକଙ୍କ ସହିତ ଆଲୋଚନା କରିବା ସହିତ ଏହାର ସମାଧାନ ପାଇଁ ତାଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ବିଧାୟକ ଶ୍ରୀ ବେହେରା ସମସ୍ତ ଅଭିଯୋଗକୁ ଗ୍ରହଣ କରି ସମସ୍ୟାର ସମାଧାନ ପାଇଁ ପ୍ରତିଶ୍ରୁତି ଦେଇଥିଲେ । ଆଜିର ଏହି ଅଭିଯୋଗ ଶୁଣାଣୀ ଶିବିରରେ ନାହିଁ ନଥିବା ଭିଡ ହୋଇଥିବାର ଦେଖାଯାଇଥିଲା । ସଂଧ୍ୟାରେ କେନ୍ଦ୍ରାପଡା ପୈାରସଂସ୍ଥା କର୍ମୀମାନଙ୍କୁ ଡାକି ସଭ୍ୟ ସଂଗ୍ରହ ବିଷୟରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରି ଯଥାଶୀଘ୍ର ସଭ୍ୟ ସଂଗ୍ରହ କରିବାକୁ ପରାମର୍ଶ ଦେଇଥିଲେ ।
Related Stories
November 5, 2024