ବାରିପଦା- ବାରିପଦା ପୌରପରିଷଦରେ ଜନସାଧାରଣଙ୍କ ଗମନାଗମନରେ ସୁବିଧା ଆଣିବା ସହ ଯାନବାହାନ ଚଳାଚଳକୁ ନିୟନ୍ତ୍ରଣ, ସଡ଼କ ଦୁର୍ଘଟଣା ହ୍ରାସ ଓ ରେଳ ଚଳାଚଳ ସମୟରେ ଗାଡ଼ି ମୋଟର ଲମ୍ବା ଧାଡ଼ିରୁ ରକ୍ଷା ପାଇବା ନିମନ୍ତେ ରାଜ୍ୟସଭା ସାଂସଦ ସରୋଜିନୀ ହେମ୍ବ୍ରମ ବାରିପଦା ପୌରପରିଷଦର ଷ୍ଟେସନ ବଜାର ଓ ବାଘଡ଼ାରୋଡ଼ ସ୍ଥିତ ରେଳ ଲେଭଲ କ୍ରସିଂ ଉପରେ ଦୁଇଟି ଫ୍ଲାଏ ଓଭର ବ୍ରିଜ୍ ନିର୍ମାଣ ସହ ୧୧ ଦଫା ଦାବି କେନ୍ଦ୍ର ସରକାରଙ୍କ ରେଳ ମନ୍ତ୍ରଣାଳୟ ନିକଟରେ ୨୦୧୭ ମାର୍ଚ୍ଚ ୩୦ରେ ଦୁଇ ବର୍ଷ ପୂର୍ବେ ଦାବି ଉପସ୍ଥାପନ କରାଇଥିଲେ । ସାଂସଦ ଶ୍ରମତୀ ହେମ୍ବ୍ରମଙ୍କ ଏହି ଦାବି ଆଜି ପୂରଣ ହେବାକୁ ଯାଉଛି । ଖୁବ ଶୀଘ୍ର ଷ୍ଟେସନ ବଜାର ଓ ବାଘଡ଼ାରୋଡ଼ ଉପରେ ଉଡ଼ନ୍ତା ପୋଲ ନିର୍ମାଣ ହେବାକୁ ଯାଉଛି । ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସହଭାଗିତାରେ ଏହା ନିର୍ମାଣ ହେବାକୁ ଯାଉଛି । ଏଥି ନିମନ୍ତେ କେନ୍ଦ୍ର ସରକାରଙ୍କ ରେଳ ବିଭାଗ ଓ ରାଜ୍ୟ ସରକାରଙ୍କ ପୂର୍ତ ବିଭାଗ ପକ୍ଷରୁ ସର୍ବେକ୍ଷଣ କାର୍ଯ୍ୟ ଆରମ୍ଭ ହୋଇଛି ଏବଂ ବାଘଡ଼ାରୋଡ଼ର ମନ୍ତ୍ରୀ ଛକ ନିକଟରେ ପ୍ରଥମ ପର୍ଯ୍ୟାୟରେ ବୋରିଂ କରାଯାଇ ମୂର୍ତିକା ପରୀକ୍ଷା କାର୍ଯ୍ୟ ଆରମ୍ଭ ହୋଇଥିବାର ଦେଖିବାକୁ ମିଳିଛି । ଏହା ପୂର୍ବରୁ ଷ୍ଟେସନ ବଜାର ଠାରୁ କୃଷ୍ଣଚନ୍ଦ୍ର ଗୋଲେଇ ପର୍ଯ୍ୟନ୍ତ ୧.୮୫୦ କି.ମି ଉଡ଼ନ୍ତା ପୋଲ ନିର୍ମାଣ ନିମନ୍ତେ ଚୂଡ଼ାନ୍ତ ପ୍ରସ୍ତୁତି ଶେଷ ହୋଇ ୫୪ କୋଟି ଟଙ୍କା ବ୍ୟୟ ଅଟକଳରେ ପ୍ରୋଜେକ୍ଟ ଅନୁମୋଦିତ ହୋଇସାରିଥିବା ବେଳେ ବାଘଡ଼ାରୋଡ଼ ପ୍ରୋଜେକ୍ଟର ବ୍ୟୟ ଅଟକଳ ନିମନ୍ତେ ମଞ୍ଜୁରୀ ନିମନ୍ତେ ସର୍ଭେ କାର୍ଯ୍ୟ ଆରମ୍ଭ ହୋଇସାରିଛି ।
୧୯୪୯ ଜାନୁଆରୀ ପହିଲାରେ ମୟୂରଭଞ୍ଜ ଗଡ଼ଜାତ ରାଜ୍ୟରେ ରାଜତନ୍ତ୍ରର ବିଲୋପ ଘଟି ଗଣତନ୍ତ୍ର ଶାସନ ବ୍ୟବସ୍ଥା ଆରମ୍ଭ ହେବା ସହ ଜାନୁଆରୀ ୨ରୁ ଓଡ଼ିଶା ପ୍ରଦେଶର ସ୍ୱତନ୍ତ୍ର ଜିଲ୍ଲା ଭାବେ ଶାସିତ ହୋଇଆସୁଛି । ଗଡ଼ଜାତ ରାଜ୍ୟରେ ମହାରାଜାଙ୍କ ଶାସନ ସମୟରେ ମୟୂରଭଞ୍ଜ ଏକ ବିଭବଶାଳୀ ରାଜ୍ୟ ଭାବେ ନାମ ରହିବା ସହ ବିଭିନ୍ନ ରାଜ୍ୟକୁ ମୁକ୍ତ ହସ୍ତରେ ଦାନ ଦେଇ ଆସୁଥିବାର ଦୃଷ୍ଟାନ୍ତ ରହିଛି । କିନ୍ତୁ ପରବର୍ତି ସମୟରେ ମୟୂରଭଞ୍ଜ ଜିଲ୍ଲା ଭାବେ ଶାସିତ ହେବା ସମୟରୁ ଏହା ଓଡ଼ିଶା ରାଜ୍ୟର ଏକ ଆଦିବାସୀ ଅଧୁ୍ୟଷିତ ପଛୁଆ ଜିଲ୍ଲା ତାଲିକାରେ ସାମିଲ ହୋଇଆସୁଛି । ତେବେ କେନ୍ଦ୍ରରେ ପୂର୍ବରୁ ଉପା ସରକାର ଓ ବର୍ତମାନର ଏନଡ଼ିଏ ସରକାରଙ୍କ ଶାସନ ସହ ରାଜ୍ୟ ସରକାର ମୟୂରଭଞ୍ଜ ଜିଲ୍ଲା ପ୍ରତି କ୍ରମାଗତ ଭାବେ ଅବହେଳା ପ୍ରଦର୍ଶନ କରିଆସୁଥିବାକୁ ନେଇ ବିଭିନ୍ନ ସମୟରେ ଜିଲ୍ଲାରେ ଗଣଆନେ୍ଦାଳନ ସଂଗଠିତ ହେଉଥିବାର ଦେଖିବାକୁ ମିଳିଥାଏ । ଯଦିଓ ୧୯୦୫ରେ ମହାରାଜା ଶ୍ରୀରାମଚନ୍ଦ୍ର ଗମନାଗମର ସୁବିଧା ନିମନ୍ତେ ନିର୍ମାଣ କରିଥିବା ନେରୋଗଜ ରେଳପଥକୁ ଉପା ସରକାର ଅମଳରେ ବ୍ରଡ଼ଗଜକୁ ରୂପାନ୍ତରିତ ହୋଇପାରିଛି, ମାତ୍ର ଜିଲ୍ଲାବାସୀଙ୍କ ଦାବି ଅନୁସାରେ ମହାରାଜାଙ୍କ ରୁପସା-ବାଙ୍ଗିରିପୋଷି ରେଳପଥକୁ ବାଦାପାହାଡ଼ ଓ ବୁଢ଼ାମରା-ଚାକୁଳିଆ ସମ୍ପ୍ରସାରଣର ଦାବି ପ୍ରତି କେନ୍ଦ୍ର ସରକାର ଅଣଦେଖା ପ୍ରଦର୍ଶନ କରିଆସୁଛନ୍ତି ।
Related Stories
December 14, 2024