ଜୟପୁର- କୋରାପୁଟ ଜିଲ୍ଲାରେ ଜୋର୍ ଧରିଲା ମଦ ବିରୋଧୀ ଆନ୍ଦୋଳନ। କୁନ୍ଦୁରା ପରେ ଏବେ କୋଟପାଡର ମୂର୍ତ୍ତାହାଣ୍ଡିରେ ମଦ ବିରୋଧରେ ଏକାଠି ହେଲେ ଶହ ଶହ ଆଦିବାସୀ ମହିଳା ଓ ପୁରୁଷ। ଦେଶୀ ମଦ ଭାଟି ଭାଂଗିବା ସହ ଲୁଚା ଛପାରେ ଘରେ ଘରେ ରନ୍ଧା ହେଉଥିବା ମଦ ପୋଚକୁ ନଷ୍ଟ କଲେ। କେବଳ ଏତିକି ନୁହଁ ଗାଁ ଗାଁ ବୁଲି ମଦ ବିରୋଧରେ ଲୋକଙ୍କୁ ସଚେତନ କରିଥିବା ବେଳେ ଚୋରା ମଦ ମାଫିଆଙ୍କୁ ଆଗାମୀ ଦିନରେ ଉଚିତ ଶିକ୍ଷା ଦେବାକୁ ନିଷ୍ପତ୍ତି ବି ନେଇଛନ୍ତି ଏମାନେ।
ମଦ ବିରୋଧରେ କୋରାପୁଟର ଆଦିବାସୀଙ୍କ ରଣ ହୁଙ୍କାର। ଅବକାରୀ ବିଭାଗର ନିରବତା ପରେ ନିଜ ଗାଁକୁ ମଦ ମୁକ୍ତ କରିବାକୁ ଅଣ୍ଟା ଭିଡିଲେ ଶହ ଶହ ମହିଳା ଓ ପୁରୁଷ। ସମସ୍ତଙ୍କ ହାତରେ ଲାଠି ଓ ମୁହଁରେ ମଦ ବିରୋଧୀ ସ୍ଳୋଗାନ। ଆଉ ମାଡି ଚାଲିଛନ୍ତି ଆଗକୁ ଆଗକୁ। ଚାଲିଛି ପ୍ରତି ଘରଠାରୁ ଆରମ୍ଭ କରି ମଦ ଭାଟି ପର୍ଯ୍ୟନ୍ତ ସର୍ଚ୍ଚ ଅପରେସନ। ଯେଉଁ ଠାରେ ବି ମଦ କି ମଦ ପ୍ରସ୍ତୁତି ପାଇଁ ମହୁଲ ପୋଚ ପାଇଲେ ଏ ସବୁକୁ ନଷ୍ଟ କରୁଛନ୍ତି।ଏପରିକି କିଛି ମଦ ମାଫିଆ ଏମାନଙ୍କଠାରୁ ବର୍ତ୍ତିବାକୁ ମାଟି ତଳେ ମଦ ପୋତି ରଖିଥିବା ବେଳେ ଏସବୁକୁ ବି ମାଟି ତଳୁ କାଢି ନଷ୍ଟ କରିଥିଲେ ଏମାନେ। କେବଳ ଏତିକି ନୁହଁ । ପ୍ରତି ଗାଁ ଗାଁ ବୁଲି ଦେଶୀ ମଦ ଭାଟିକୁ ଭାଂଗି ନଷ୍ଟ ବି କରିଥିଲେ ଏମାନେ। ଆଉ ଏ ସବୁ ଚାଲିଥିଲା ପୋଲିସ ଉପସ୍ଥିତରେ। ଏମିତି କିଛି ଦୃଶ୍ୟ ଆଜି ଦେଖିବାକୁ ମିଳିଥିଲା କୋରାପୁଟ ଜିଲ୍ଲା କୋଟପାଡ ବ୍ଳକର ମୂର୍ତ୍ତାହାଣ୍ଡି ପଂଚାୟତରେ। ପୂର୍ବରୁ କୁନ୍ଦୁରା ବ୍ଳକର ବିଭିନ୍ନ ସ୍ଥାନରେ ଆଦିବାସୀମାନେ ଏପରି ମେଳି ବାନ୍ଧି ମଦ ଭାଟି ଭାଙ୍ଗିଥିବା ଦେଖିବାକୁ ମିଳିଥିଲା।
କୋରାପୁଟ ଜିଲ୍ଲାର ବିଭିନ୍ନ ସ୍ଥାନରେ ବେଧଡକ ବିକ୍ରି ଚାଲିଛି ଚୋରା ଓ ବିଶାକ୍ତ ମଦ। ଆଉ ଏହା ପିଇ ଅକାଳରେ ଲୋକଙ୍କ ଜୀବନ ଯାଉଛି। ଘର ସଂସାର ଉଛନ୍ନ ହେଉଛି। ହେଲେ ସେପଟେ କିନ୍ତୁ ବେଫିକର ମଦ ମାଫିଆ ଓ ଅବକାରୀ ବିଭାଗ। ଗାଁ ଲୋକଙ୍କ ବାରମ୍ବାର ଅନୁରୋଧ ସତ୍ତ୍ୱେ ହାତ ବାନ୍ଧି ବସିଛି ଅବକାରୀ ବିଭାଗ। ମଦ ମାଫିଆଙ୍କ ଠାରୁ ମୋଟା ଅଙ୍କର ଚାନ୍ଦା ନେଇ ଅବକାରୀ ବାବୁମାନେ ନିଜ ପକେଟ୍ ଗରମ କରୁଥିବା ଅଭିଯୋଗ ବି ହୋଇଛି। ତେଣୁ ଏହାର ପ୍ରତିବାଦରେ ନିଜ ପଂଚାୟତରେ ମଦ ବନ୍ଦ କରିବାକୁ ରାସ୍ତାକୁ ଓହ୍ଲାଇଛନ୍ତି ଏହି ଆଦିବାସୀ ଓ ମହିଳା। ମଦ ବନ୍ଦ କରିବାକୁ ପୂର୍ବରୁ ବି ରାଲି କରି ଏମାନେ ମଦ ମାଫିଆଙ୍କୁ ଚେତାବନୀ ଦେଇଥିଲେ। ତଥାପି ମଦ ବନ୍ଦ ନହେବାରୁ ଆଇନକୁ ହାତକୁ ନେଇଛନ୍ତି ଏମାନେ। ଆଗକୁ ମଦ ମାଫିଆଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ପାଇଁ ଚେତାବନୀ ବି ଦେଇଛନ୍ତି ଏମାନେ।
ସାରା ରାଜ୍ୟରେ ଚୋରା ମଦର ବିକ୍ରି ବେଧଡକ ଚାଲିଥିବା ବେଳେ ଧୀରେ ଧୀରେ ସଚେତନ ହେଲେଣି ସାଧାରଣ ଲୋକ।ତେଣୁ ଏ ଦିଗର ପ୍ରଶାସନ ଓ ରାଜ୍ୟ ସରକାର ତୁରନ୍ତ ପଦକ୍ଷେପ ନନେଲେ ଆଗକୁ ଏହା ଉଗ୍ର ରୁପ ଧାରଣ କରିପାରେ।
Related Stories
November 28, 2024