
ପଞ୍ଚାୟତ ସଦର ମହକୁମା ସମେତ ଆଖପାଖ ଅଞ୍ଚଳର ଗ୍ରାମବାସୀ ଏହି ଅଞ୍ଚଳ କୁ ଯାତାୟତ କରିବାରେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ପୋଲ ନିର୍ମାଣ ପାଇଁ ଖୋଳା ଯାଇଥିବା ରାସ୍ତା ର ଗୋଟିଏ ପାର୍ଶ୍ୱରେ ଅଣଓସାରିଆ ଭାବେ ଚିକିଟା ମାଟି ପକା ଯାଇଥିବାରୁ ଲୋକେ ମୋଟର ଗାଡି ତ ଦୂରର କଥା ଖାଲି ପାଦରେ ଚାଲିଗଲେ ମଧ୍ୟ କାଦୁଅ ସରବର ପଡୁଛନ୍ତି। ଗତକାଲି ଏହି ରାସ୍ତା ଦେଇ ବିଧାୟକ ଙ୍କୁ ଭେଟି ସ୍ଥାନୀୟ ଅଞ୍ଚଳର ସମସ୍ୟା ଜଣାଇବାକୁ ଯାଉଥିବା ଅଶୋକ ମଲ୍ଲ, ପୁନେମ ମୁତା , ଜଗା କାମରାମ , ରାମା ମାଢି, ଶରତ ବେଟୀ ପ୍ରମୁଖ ଏଭଳି ଅସୁବିଧା ସମ୍ପର୍କରେ ବିଧାୟକ ଙ୍କୁ ଜଣାଇବା ସହ ନିଜର କ୍ଷୋଭ ପ୍ରକାଶ କରିଥିଲେ। ରାସ୍ତା ନିର୍ମାଣ ବେଳେ ପୋଲ ନିର୍ମାଣ ପାଇଁ ଅସ୍ଥାୟୀ ଭାବେ ଉପଯୁକ୍ତ ଭିତ୍ତିଭୂମି ପରିବେଷ୍ଟନୀ ରେ ଡାଇଭର୍ସନ ରାସ୍ତା ନିର୍ମାଣ କରାଯିବାକୁ ନିୟମ ଥିବା ବେଳେ ଏହାକୁ ବେଖାତିର କରି ନାମକୁ ମାତ୍ର ଚିକିଟା ମାଟିର ଏକ ରାସ୍ତା ନିର୍ମାଣ କରାଯାଇ ପ୍ରହସନ କରାଯାଉଥିବା ଅଭିଯୋଗ ହୋଇଛି। ଏ ନେଇ ସ୍ଥାନୀୟ ବିଧାୟକ ଜାଣିବା ପରେ ଜିଲ୍ଲା ସ୍ତରୀୟ ଅଧିକାରୀଙ୍କ ସହ ଆଲୋଚନା କରିବେ ବୋଲି କହିଥିଲେ। ଅନ୍ୟପଟେ ବିଧାୟକ ଙ୍କ ଗାଆଁ କୁ ସଂଯୋଗ କରୁଥିବା ରାସ୍ତାରେ ଏଭଳି ଚିତ୍ର ଦେଖିବାକୁ ମିଳୁଥିବା ବେଳେ ଅନ୍ୟାନ୍ୟ ଗ୍ରାମ କଥା କିଏ କହିବ ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହେଉଛି। ଏପରି ସ୍ଥିତିରେ ବାପନପଲ୍ଲୀ ଠାରୁ ରୋଡନପଲ୍ଲୀ କୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତା ରେ ପୋଲ ନିର୍ମାଣ ପାଇଁ ଖୋଳା ଯାଇଥିବା ରାସ୍ତା କଡରେ ଉପଯୁକ୍ତ ଡାଇଭର୍ସନ ବ୍ୟବସ୍ଥା କରିବାକୁ ସାଧରଣରେ ଦାବୀ ହୋଇଛି।