କେନ୍ଦୁଝର, କେନ୍ଦୁଝର ଜିଲ୍ଲାରେ ଶିଳ୍ପ କୁ କମ୍ ଏବଂ ଖଣି ପ୍ରତି ଅଧିକ ଆଗ୍ରହ ଦେଖାଇ କମ୍ପାନୀମାନେ ଆଗେଇ ଆସୁଥିବା ଘଟଣା ହୁଏତ ଆଉ କାହାକୁ ଅଛପା ନାହିଁ । ଶିଳ୍ପ ପ୍ରତିଷ୍ଠା ନାମରେ ଖଣି ହାତେଇବା ପାଇଁ କମ୍ପାନୀମାନେ ବିଭିନ୍ନ ମାୟାଜାଲ ସୃଷ୍ଟି କରି ସରକାରଙ୍କୁ ପ୍ରଭାବିତ କରିବାରେ ଅନେକାଂଶରେ ସଫଳ ହେଉଛନ୍ତି ଏବଂ ଶିଳ୍ପ ପ୍ରତିଷ୍ଠା କରିବା ପାଇଁ ଏମଓୟୁ ଦସ୍ତଖତ କରୁଛନ୍ତି । ଅନେକ କମ୍ପାନୀ କେନ୍ଦୁଝରରୁ ଲୁହାପଥର ନେଇ ଅନ୍ୟ ରାଜ୍ୟରେ ଶିଳ୍ପ ପ୍ରତିଷ୍ଠା କରୁଛନ୍ତି । କିନ୍ତୁ ଏହି ଜିଲ୍ଲା ପ୍ରତି ଅନୁରୁପ ଆଗ୍ରହ ଦେଖାଉନାହାଁନ୍ତି । ଅବଶ୍ୟ କେତେକ କେବଳ ଲୋକଙ୍କ କିମ୍ବା ସରକାରଙ୍କ ଚାପରେ ଶିଳ୍ପ ପ୍ରତଷ୍ଠା ପାଇଁ ଆଗ୍ରହ ଦେଖାଉଛନ୍ତି ଏବଂ ଏମଓୟୁ ମଧ୍ୟ କରୁଛନ୍ତି ସତ କିନ୍ତୁ ଷ୍ଟିଲପ୍ଲାଟଂ କରୁନାହାଁନ୍ତି । ଏପରିକି ଜିଲ୍ଲା ପ୍ରତି ହେଉଥିବା ଅନେକ ଘୋଷଣା ଲଲିପପ୍ ସଦୃଶ ହୋଇରହୁଛି । ଏପରିକି ପୂର୍ବରୁ ଜିଲ୍ଲାରେ ଏକାଧିକ ଖଣି ନେଇଥିବା ରୁଙ୍ଗଟା କମ୍ପାନୀ ଭଳି ଅନେକ କମ୍ପାନୀ ଜିଲ୍ଲାରେ ଇସ୍ପାତ ଶିଳ୍ପ ପ୍ରତିଷ୍ଠା ନେଇ ଆଗ୍ରହ ଦେଖାଇନାହାଁନ୍ତି । କିନ୍ତୁ ହାତରୁ ଖଣି ଚାଲିଯିବା ପରେ ଶିଳ୍ପ ପ୍ରତିଷ୍ଠା ଦିଗରେ ଆଗ୍ରହ ପ୍ରକାଶ ପାଇବା ସ୍ୱଭାବିକ ଭାବେ ସନ୍ଦେହଘେରକୁ ଆସିଛି । କେନ୍ଦୁଝର ଜିଲ୍ଲାର ମୂଲ୍ୟବାନ ଖଣିଜସଂପଦ ବ୍ୟାପକ ଲୁଟ ହୋଇଥିବା ଜଷ୍ଟିସ ଶାହା କମିଶନ ତାଙ୍କ ତଦନ୍ତରେ ସ୍ପଷ୍ଟ କରି ଫାଇନ ଆଦାୟ କରିବା ପାଇଁ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ । କିନ୍ତୁ ବିଭିନ୍ନ ଆଳରେ କେତେକ ଖଣି ସଂସ୍ଥା ତାହା ଦେଉନଥିବାବେଳେ ସେମାନଙ୍କଠାରୁ ସୁଧ ସହ ଫାଇନ ଅର୍ଥ ଆଦାୟ କରିବାକୁ ସରକାର କେବଳ ସମର୍ଥ ନୁହେଁ ଆଗ୍ରହ ମଧ୍ୟ ଦେଖାଉନାହାଁନ୍ତି । ରାଜ୍ୟ ସରକାର ନିକଟରେ ୧୧ଟି ଖଣି ଲିଜ୍ ଦେବା ପାଇଁ ନିଲାମ ଡାକିଛନ୍ତି ଯେଉଁଥିରେ ୭ଟି ନୂଆ ଖଣି ରହିଥିବାବେଳେ ୪ଟି ପୁରୁଣା ଖଣି ରହିଛି । ପୂର୍ବରୁ ଖଣି ଲିଜ୍ ପାଇଥିବା କମ୍ପାନୀମାନେ ଖଣିଜପଦାର୍ଥରୁ ହଜାର ହଜାର କୋଟି ଟଙ୍କାର ମୁନାଫା କମାଇ ଏବେ ପୁଣି ନୂଆ ଖଣି ଉପରେ ଆଖି ପକାଇଛନ୍ତି । ଏବେ ୭ଟି ନୂଆ ଖଣି ଲିଜ୍ ଦିଆଗଲେ ଲକ୍ଷ ଲକ୍ଷ ଗଛ ନଷ୍ଟ ହେବା ସହ ପରିବେଶ ଉପରେ ଏହାର ଗଭୀର ପ୍ରତିକୂଳ ପ୍ରଭାବ ପଡିବ ।
ଶିଳ୍ପ ପ୍ରତିଷ୍ଠା କରିବାର ପ୍ରତିଶୃତି ଦେଇ ଉନ୍ନତମାନର ପ୍ରଚୁର ଲୁହାପଥର ଗଛିତ ଥିବା ଗନ୍ଦଲପଡା ଖଣିକୁ ହାତେଇବା ପାଇଁ ଭିତିରିଆ ଗୁପ୍ତ ଯୋଜନା ମଧ୍ୟ କୁଆଡେ ପ୍ରସ୍ତୁତ ସରିଛି । ତେବେ ପୂର୍ବରୁ ଖଣି ଥାଇ ମଧ୍ୟ ଶିଳ୍ପ ପ୍ରତିଷ୍ଠା ପାଇିଁ ଆଗ୍ରହୀ ନଥିବା କମ୍ପାନୀ ଉକ୍ତ ଖଣିକୁ ହାତେଇବା ଲକ୍ଷ୍ୟରେ ଷ୍ଟିଲପ୍ଲାଟଂ ନାମରେ ପୁରୁଣା କାରଖାନା ସଂପ୍ରସାରଣ ଘଟଣାକୁ ନେଇ ଜିଲ୍ଲାରେ ଚର୍ଚ୍ଚା ଜୋର ଧରିଛି । ଅଧିଗ୍ରହଣ ଜମି , ବିବାଦ ଘେରରେ ଥିବାରୁ କାରଖାନାକୁ ସଂପ୍ରସାରଣ କରି ଷ୍ଟିଲପ୍ଲାଟଂ ପ୍ରତିଷ୍ଠା ନେଇ ଅନିଶ୍ଚିତତା ଲାଗିରହିଥିବାବେଳେ ଖଣି ହାସଲ ପରେ କମ୍ପାନୀର ପ୍ଲାଟଂ ପ୍ରତିଷ୍ଠା ସ୍ୱଭାବିକ ଭାବେ ସନ୍ଦେହ ସୃଷ୍ଟି କରିଛି । କେନ୍ଦୁଝର ଜିଲ୍ଲା ଏକ ଆଦିବାସୀ ଅଧ୍ୟୁଷିତ ଅଂଚଳ । ଷ୍ଟିଲପ୍ଲାଟଂ ପାଇଁ ଅଧିଗ୍ରହଣ ହୋଇଥିବା ଜମିକୁ ସରକାର ଇଡକୋ ମାଧ୍ୟମରେ ବେଆଇନ ଭାବେ ଲୋକଙ୍କ ଆସ୍ଥା କିମ୍ବା ସହମତି ନିଆ ନଯାଇ ଚଂଚକତା କରାଯାଇ ଆଦିବାସୀଙ୍କ ଜମିକୁ ଅଧିଗ୍ରହଣ କରାଯାଇଥିବା ,ଏପରିକି ମୃତ ଲୋକଙ୍କ ନାମରେ ଜାଲଦସ୍ତଖତ ହୋଇଥିବା କୁହାଯାଇଛିି । ଏହାଦ୍ୱାରା ଆଦିବାସୀମାନଙ୍କର ଜୀବନଜୀବିକା ଗୁରୁତର ଭାବେ ପ୍ରଭାବିତ ହେବ । ଯେଉଁଠାରେ ଜମି ହରାଉଥିବା ନିରୀହ ଆଦିବାସୀ ନିଜର ହକ ଏବଂ ନ୍ୟାୟ ପାଇବାରୁ ବଂଚିତ ହେଉଛନ୍ତି ସେଠାରେ ରାଜ୍ୟ ସରକାରଙ୍କ ଷ୍ଟିଲପ୍ଲାଟଂଣ୍ଟ ଘୋଷଣା ଜିଲ୍ଲାବାସୀଙ୍କୁ କିପରି ନ୍ୟାୟ ଦେବେ ବୋଲି ପ୍ରଶ୍ନ କରିଛନ୍ତି ପ୍ରଦେଶ କଂଗ୍ରେସ କମିଟି ସଦସ୍ୟ ଅଶୋକ ଠକ୍କର । ପ୍ରାକୃତିକ ସମ୍ପଦକୁ ନଷ୍ଟ କରି ନେତା ଓ କମ୍ପାନୀଙ୍କ ସାଲିସରେ ବିକାଶ ନାମରେ ବିନାଶ ଉଦ୍ୟମର ଜବାବ ଦିଆଯିବ ବୋଲି ସେ କହିଛନ୍ତି ।
ସେହିପରି କାଶିଆ ଳୁହାପଥର ଖଣିକୁ କଳିଙ୍ଗନଗରଠାରେ ଥିବା ଏକ କାରଖାନାକୁ ଦେବାକୁ ଉଦ୍ୟମ ହେଉଥିବା ସେ ଅଭିଯୋଗ କରିଛନ୍ତି । ତେବେ ଜିଲ୍ଲାରେ ମେଗା ଇସ୍ପାତ କାରଖାନାର ଦାବୀ ରହିଥିବାବେଳେ ଖଣି କମ୍ପାନୀ ନିଜର ବିକାଶ ପାଇଁ ସରକାରଙ୍କ ସହାୟତାରେ ଉନ୍ନତମାନର ଖଣି ହାତେଇବା ଲବି ଆରମ୍ଭ କରିଥିବାକୁ ନେଇ ଜିଲ୍ଲାରେ ବିରୋଧାଭାଷ ଦେଖାଦେଲାଣି । ମହାମାରୀ କୋଭିଡ୍-୧୯ ପରିସ୍ଥିତିରେ ଜୀବନ ଓ ଜୀବିକାର ସୁରକ୍ଷା ଉପରେ ଗୁରୁତ୍ୱ ଦିଆଯାଉଥିବାବେଳେ କେନ୍ଦୁଝର ଜିଲ୍ଲାରେ ଖଣି ଗୁଡିକ ମେସିନରେ କାମ ହେଉଥିବାରୁ ବହୁ ଶ୍ରମିକ କାମ ହରାଇ ଦାଦନ ଖଟିବାକୁ ଯାଉଛନ୍ତି । ନିଜ ଘର ପାଖରେ ଥିବା ଖଣି ଏବେ ବାହାର ଲୋକ ଏବଂ ଅଣଓଡିଆଙ୍କ ଦ୍ୱାରା ପରିଚାଳିତ ହେଉଥିବାବେଳେ ଶ୍ରମିକଙ୍କ ସମସ୍ୟାକୁ କେହି ଗୁରୁତ୍ୱ ଦେଉନାହାଁନ୍ତି । ଫଳରେ ହଜାର ହଜାର ଶ୍ରମିକ ଏବେ କାମଧନ୍ଦା ହରାଇଛନ୍ତି । ସରକାର ଶ୍ରମିକଙ୍କ ସମସ୍ୟା ପ୍ରତି ଆଖିବୁଜି ଦେଇଥିବାବେଳେ ଖଣିମାଲିକଙ୍କୁ ସୁହାଇଲା ଭଳି କାମ କରୁଥିବା ସେ ଅଭିଯୋଗ କରିଛନ୍ତି । କେନ୍ଦୁଝର ଜିଲ୍ଲାରେ ବୃହତ ଶିଳ୍ପ ପ୍ରତିଷ୍ଠା ନକରି ଏଠାରୁ ଲୁହାପଥର ନେଇଯିବାକୁ ହେଉଥିବା ଉଦ୍ୟମକୁ ଜିଲ୍ଲାବାସୀଙ୍କ ପକ୍ଷରୁ ଘୋରବିରୋଧ କରାଯିବ ବୋଲି ବହୁଳ ମତ ପ୍ରକାଶ ପାଉଛି ।