-
ସ୍ତ୍ରୀଙ୍କୁ ଚାକିରୀ ଦେବା ନିମନ୍ତେ ଦାବୀ

ବାରିପଦା ,ଟାଟା ପାୱାର ନର୍ଦନ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ କମ୍ପାନୀର ରାଇରଙ୍ଗପୁର ବିଦ୍ୟୁତ୍ ସେକ୍ସନରେ ଲାଇନ ମ୍ୟାନ ଭାବେ କାର୍ଯ୍ୟ କରୁଥିବା ଦୁର୍ଯ୍ୟୋଧନ ମହାନ୍ତ(୩୫)ଙ୍କ ମୃତ୍ୟୁକୁ ନେଇ ନେସ୍କୋ ପାୱାର ଏମ୍ପେ୍ଲାଇଜ ୟୁନିୟନ ପକ୍ଷରୁ ଗଭୀର ଶୋକ ବକ୍ତ କରାଯାଇଛି । ଏଥି ସହିତ ୟୁନିୟନର ସାଧାରଣ ସମ୍ପାଦକ ତାରାକାନ୍ତ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ଡେପୁଟୀ ଜେନେରାଲ ସେକ୍ରେଟେରୀ ଜ୍ୟୋତିକୃଷ୍ଣ ବେହେରାଙ୍କ ଅଧ୍ୟକ୍ଷତାରେ ଏକ ଶୋକ ସଭା ଅନୁଷ୍ଠିତ ହୋଇଥିଲା । ପ୍ରାରମ୍ଭରେ ଦିବଂଗତ ବିଦ୍ୟୁତ ବିଭାଗର କର୍ମଚାରୀ ଦୁର୍ଯ୍ୟୋଧନଙ୍କ ଅମର ଆତ୍ମାର ସଦଗତି କାମନା କରାଯାଇ ନୀରବ ପ୍ରାର୍ଥନା କରାଯାଇଥିଲା । ଏହାପରେ ୟୁନିୟନର ସଦସ୍ୟମାନେ ଦୁର୍ଯ୍ୟୋଧନଙ୍କ ସ୍ମୃତି ଚାରଣ କରାଯିବା ସହ ଶୋକ ସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜ୍ଞାପନ କରିଥିଲେ । ଏଥି ସହିତ କମ୍ପାନୀରୁ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଦୁର୍ଯୋଧନଙ୍କ ପ୍ରାପ୍ୟ ତାଙ୍କର ଉତ୍ତରାଧିକାରୀମାନେ କିପରି ଯଥା ଶୀଘ୍ର ପାଇ ପାରିବେ ସେ ସମ୍ପର୍କରେ ବିଭାଗର ଅଧିକ୍ଷଣ ଯନ୍ତ୍ରୀ ହରିଶ କୁମାର ପଣ୍ଡାଙ୍କ ସହ ଆଲୋଚନା କରିବା ସଂଗେସଂଗେ ତାଙ୍କର ବିଧବା ପତ୍ନୀଙ୍କୁ କମ୍ପାନୀରେ ଚାକିରୀ ଦେବା ନିମନ୍ତେ ଦାବୀ ଜଣାଇଥିଲେ ।
ଉକ୍ତ ଶୋକ ସଭାରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ସଭାପତି ସୁବ୍ରମଣ୍ୟମ ମହାନ୍ତି, ଉପସଭାପତି ଆର୍ତ୍ତବନ୍ଧୁ ବିଶ୍ୱାଳ, ରାଇରଙ୍ଗପୁର ଡ଼ିଭିଜର ପର୍ଯ୍ୟବେକ୍ଷକ ଦେବାଶିଷ ବେହେରା, ବାରିପଦା ଡ଼ିଭିଜନର ଡ଼ିଭିଜନ ସେକ୍ରେଟେରୀ ଚନ୍ଦନ କୁମାର ମହାନ୍ତି, ସର୍କଲ ସମ୍ପାଦକ ଅଶ୍ୱନୀ ପଣ୍ଡା, ଡ଼ିଭିଜନ ସମ୍ପାଦକ ଦୁଲାଲ ରାୟ, ମାନସ ରଞ୍ଜନ ଦାସ, ମନୋଜ କୁମାର ବେହେରା, ଦୀନେଶ ଗୁପ୍ତା, ତାପସ ବେହେରା, ସଞ୍ଜୟ କୁମାର ଘୋଷ, ପ୍ରଦୀପ କୁମାର ନାଥ, ସୁମନ ସଞ୍ଜିତ ମହାନ୍ତ, ପ୍ରମୋଦ ପାତ୍ର , ବୀରସିଂ ମାର୍ଣ୍ଡି, ଗଙ୍ଗାଧର ହାଁସଦାଃ ଓ ସମାଜସେବୀ ଅମର ସେଠୀ ପ୍ରମୁଖ ଯୋଗ ଦେଇଥିଲେ । ସୂଚନା ଯୋଗ୍ୟ ଯେ, ଜୁଲାଇ ୧୯ରେ ରାଇରଙ୍ଗପୁର ପୌରପରିଷଦରୁ ଯଶୀପୁର ଦିଗରେ ବାଇକରେ ଯାଉଥିବା ବେଳେ ୨୨୦ ନମ୍ବର ବିଜୟୱାଡ଼ା-ରାଞ୍ଚି ଜାତୀୟ ରାଜପଥର ଦଲକୀ ନିକଟରେ ଏକ ଗାଈ ହଠାତ୍ ସମ୍ମୁଖକୁ ଚାଲି ଆସିବାରୁ ବାଇକଟି ଦୁର୍ଘଟଣା ଗ୍ରସ୍ତ ହୋଇଥିଲା ଏବଂ ଏଥିରେ ଦୁର୍ଯ୍ୟୋଧନ ଗୁରୁତ୍ତର ଭାବେ ଆହତ ହୋଇଥିଲେ । ତାଙ୍କୁ ଚିକିତ୍ସା ନିମନ୍ତେ ବାରିପଦା ପିଆରଏମ ମେଡ଼ିକାଲକୁ ନେଇ ଆସୁଥିବା ବେଳେ ଘାଟିରେ ରାସ୍ତା ଜାମ କାରଣରୁ ହସପିଟାଲରେ ପହଁଞ୍ଚିବା ପୂର୍ବରୁ ମୃତ୍ୟୁ ହୋଇଯାଇଥିଲା । ଆଜି ବାରିପଦା ପିଆରଏମ ମେଡ଼ିକାଲରେ ଶବକୁ ବ୍ୟବଚ୍ଛେଦ କରାଯିବା ପରେ ପରିବାରର ସଦସ୍ୟଙ୍କୁ ହସ୍ତାନ୍ତର କରାଯାଇଥିଲା । ଶବ ବ୍ୟବଚ୍ଛେଦ ସମୟରେ କମ୍ପାନୀର ଅଧିକ୍ଷଣ ଯନ୍ତ୍ରୀ ଶ୍ରୀପଣ୍ଡାଙ୍କ ସହିତ କମ୍ପାନୀର ଅନ୍ୟ କେତେକ କର୍ମଚାରୀ ଓ ୟୁନିୟନର କର୍ମକର୍ତ୍ତା ଓ ସଦସ୍ୟମାନେ ଉପସ୍ଥିତ ରହିଥିଲେ ।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO