
ମାଲକାନଗିରି, ମାଲକାନଗିରି ଜିଲ୍ଲାର ଗ୍ରାମାଞ୍ଚଳରେ ରହୁଥିବା ଲୋକ ମାନେ ଶରୀର ଅସୁସ୍ଥ ହେଲେ ନିକଟସ୍ଥ ଡାକ୍ତରଖାନା, ଉପ ଡାକ୍ତରଖାନା କିମ୍ବା ଏଏନମ ଓ ଆଶା ଦିଦି ଙ୍କ ପାଖକୁ ନଯାଇ ସ୍ଥାନୀୟ କ୍ବାକ୍ ପାଖକୁ ଯାଉଛନ୍ତି । କ୍ବାକ୍ ମଧ୍ୟ ଅଭିଜ୍ଞ ଡାକ୍ତରଙ୍କ ଭଳି ରୋଗୀଙ୍କୁ ଔଷଧ, ଇଞ୍ଜେକସନ ଓ ସାଲାଇନ୍ ଦେଉଛନ୍ତି । ଏଥିସହ ସୁସ୍ଥ ପରିବେଶରେ ରୋଗୀସେବା ପରିବର୍ତେ ଗଛରେ ଟାଙ୍ଗୀ ସାଲାଇନ ଓ ଖୋଲାମେଲା ରେ ଇଞ୍ଜେକସନ ମଧ୍ଯ ଦେବାକୁ ପଛାଉ ନାହାଁନ୍ତି ଏହି କ୍ବାକ୍ । ଏଭଳି ଏକ ବିସ୍ମୟକର ଚିତ୍ର ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲା ପଡିଆ ବ୍ଲକ ଗିରିକାନପଲ୍ଲୀ ପଞ୍ଚାୟତ ଅନ୍ତର୍ଗତ ଇତଲଗୁଡା ଗ୍ରାମରେ । ଗତକାଲି ଏହି ଗ୍ରାମରେ ସ୍ଥାନୀୟ ଅଞ୍ଚଳର ଜଣେ କ୍ବାକ୍ କିଛି ରୋଗୀଙ୍କୁ ମାଟି ଚଟାଣରେ ବିଛଣା ଉପରେ ଶୁଆଇ ପାଖରେ ଥିବା ଏକ ଗଛରେ ସାଲାଇନ ବୋତଲ କୁ ବାନ୍ଧି ଚିକିତ୍ସା କରୁଥିବା ଦେଖିବାକୁ ମିଳିଥିଲା। ଏଥିସହ ଖୋଲା ଆକାଶ ତଳେ ରୋଗୀଙ୍କୁ ଇଞ୍ଜେକସନ ଦେବା ସହ ଅଭିଜ୍ଞ ଡାକ୍ତରଙ୍କ ଭଳି ଚିକିତ୍ସା କରୁଥିବା ଦେଖିବାକୁ ମିଳିଥିଲା। ସ୍ଥାନୀୟ ଅଞ୍ଚଳର ଅନେକ ସଂଖ୍ଯାରେ ରୋଗୀ ଅନଭିଜ୍ଞ କ୍ବାକ୍ ଙ୍କ ଆତ୍ମବିଶ୍ୱାସ ଭରା କଥା ଓ ଯାଦୁକାରୀ ହାତ ଭାବି ଏଭଳି ଚିକିତ୍ସିତ ହେଉଥିବା ବେଳେ ସବୁ ଜାଣି ସୁଦ୍ଧା ସ୍ୱାସ୍ଥ୍ୟ ବିଭାଗ ନୀରବଦ୍ରଷ୍ଟା ସାଜିଛି । ଯାହାଫଳରେ ଶହ ଶହ ସଂଖ୍ଯାରେ ରୋଗୀ ଏହି କ୍ବାକ୍ ଙ୍କ ଠାରେ ଚିକିତ୍ସିତ ହୋଇ ବିପଦ ମୁହାଁ ହେଉଛନ୍ତି। ଗତ ଦିନରେ ପଡିଆ ବ୍ଳକ ଶିମିଳିବାଞ୍ଛା ପଞ୍ଚାୟତ ରେ ଲସି ପିଇ ଗୁରୁତର ହୋଇଥିବା ଜଣେ ନାବାଳିକା ଏଭଳି କ୍ବାକ୍ ହାତରେ ଚିକିତ୍ସିତ ହୋଇ ମୃତ୍ୟୁ ମୁଖରେ ପଡିଥିବା ବେଳେ ଦୁର୍ଗମ ଅଞ୍ଚଳରେ ଏଭଳି ଏକାଧିକ ଘଟଣା ଘଟୁଥିଲେ ମଧ୍ୟ ତାହା ସମ୍ମୁଖକୁ ଆସୁନଥିବା କୁହାଯାଉଛି। ଅନ୍ୟପଟେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏଭଳି ଘଟଣା ସମ୍ମୁଖକୁ ଆସିଲେ ଆଖିଦୃଶିଆ କାର୍ଯ୍ୟନୁଷ୍ଠାନ ଗ୍ରହଣ ପରିବର୍ତେ କେବଳ ସଜାଗ କରି ଛାଡ଼ି ଦିଆଯାଉଥିବାରୁ ଦୁର୍ଗମ ଅଞ୍ଚଳରେ କ୍ବାକ୍ ଙ୍କ ପ୍ରାଦୁର୍ଭାବ ବଢିବାରେ ଲାଗିଛି ବୋଲି ବୁଦ୍ଧିଜିବୀ ମହଲରେ କୁହାଯାଉଛି। ଏପରିସ୍ଥିତିରେ ଗ୍ରାମାଞ୍ଚଳରେ କାୟା ବିସ୍ତାର କରିଥିବା ଏହି କ୍ବାକ୍ ଙ୍କୁ ତୁରନ୍ତ ଚିହ୍ନଟ କରି ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ସାଧାରଣରେ କୁହାଯାଇଛି।ପ୍ରକାଶ ଥାଉକି ଗତ କିଛିଦିନ ତଳେ ମାଲକାନଗିରି ପୋଲିସ ଏମଭି ୧ ୩ ଗ୍ରାମରୁ ୨ କ୍ଵାକ ଙ୍କୁ ଗିରଫ କରିଥିଲା!
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO