
ମାଲକାନଗିରି,ମାଓ ଗଡ଼ର ରେ ରହି ସୁଦ୍ଧା ନିଜେ କାମ ଧାମ କରି ପାଠ ପଢିବାରେ କେବେ ମଧ୍ଯ ହେଳା କରିନଥିଲେ। ତେବେ ଦୁଇ ବର୍ଷ ତଳେ ମା ଙ୍କ ଶରୀର ଦୁର୍ବଳ ହୋଇପଡିବାରୁ ପାଠ ପଢ଼ାରେ ଡୋରି ଲାଗିଯିବା ପରେ ପେଟ ପାଇଁ ସଂଘର୍ଷ ଆରମ୍ଭ କଲେ ମାଲକାନଗିରି ଜିଲ୍ଲା ପଡିଆ ବ୍ଲକ ମାଟେରୁ ପଞ୍ଚାୟତ ଅନ୍ତର୍ଗତ ତେଗଡାପଲ୍ଲୀ ଗ୍ରାମ ର ସୋମେ ମାଢ଼ି । ହାତରେ କଲମ ଧରି ଭବିଷ୍ୟତ ଗଢ଼ିବା ବଦଳରେ ପରିବାର ଲୋକ ଙ୍କ ପେଟକୁ ଦାନା ଯୋଗାଇବା ପାଇଁ ହଳ ଧରିବାକୁ ବି ପଛାଇନାହାନ୍ତି ସୋମେ। ଗତ ୯ ବର୍ଷ ପୂର୍ବେ ସୋମେ ଙ୍କ ବାପା ଶାବେରୀ ନଦୀକୁ ଗାଧୋଇବାକୁ ଯାଇଥିବା ବେଳେ ପାଣିରେ ବୁଡି ମୃତ୍ୟୁ ବରଣ କରିଥିଲେ। ଏହାପରେ ମା ଇର୍ମେ ଉଦ୍ୟମରେ ସୋମେ ପାଠ ପଢା ଜାରୀ ରଖିଥିଲେ। ହେଲେ ଗତ ୨୦୧୮ ମସିହାରେ ଇର୍ମେ ଙ୍କ ଶରୀର ଦୁର୍ବଳ ହୋଇପଡିବାରୁ ସୋମେ ର ପାଠ ପଢ଼ାରେ ଡୋରି ଲାଗିବାର ଆଶଙ୍କା ସୃଷ୍ଟି ହେଲା । ଏପରି ସ୍ଥିତିରେ ମଧ୍ୟ ସୋମେ ହାରି ନଯାଇ ଅସୁସ୍ଥ ମା ଓ ଦୁଇ କୁନି କୁନି ଭାଇ ଭଉଣୀ ଙ୍କ ଦେଖାଶୁଣା କରିବା ସହ ପାଠ ପଢି ଯୁକ୍ତ ଦୁଇ ପାସ କଲେ। ହେଲେ ଏହାପରେ ପରିବାର ଅବସ୍ଥା ଦିନକୁ ଦିନ ଶୋଚନୀୟ ହୋଇପଡିବାରୁ ମା ଓ ଛୋଟ ଭାଇ ଭଉଣୀ ଙ୍କ ପେଟକୁ ଦାନା ଯୋଗାଇବା ସହ ଛୋଟ ଭାଇ ରମେଶ କୁ ପାଠ ପଢାଇବା ପାଇଁ କଲମ ଛାଡି ହଳ ଧରିବାକୁ ସ୍ଥିର କଲା ସୋମେ। ଏଥିପାଇଁ ସେ ପ୍ରତ୍ୟକ ବର୍ଷ, ବର୍ଷା ସମୟରେ ଜମିରେ ହଳ ଚଳାଇବା ସହ ଚାଷବାସ ଶୈଳୀ ବାବଦରେ ସ୍ଥାନୀୟ ଲୋକଙ୍କ ଠାରୁ ଅବଗତ ହୋଇ ଚାଷକାର୍ଯ୍ୟକରି ବର୍ଷକ ପାଇଁ ଦାନା ଯୋଗାଡ କରୁଛି ସୋମେ। ଝିଅ ପିଲା ହେଲେ ମଧ୍ୟ ସୋମେ ଚଳିତ ବର୍ଷ ପ୍ରଥମ ବର୍ଷା ପରେ ନିଜ ଜମିରେ ହଳ କରିବା ଆରମ୍ଭ କରିଥିବା ଦେଖିବାକୁ ମିଳିଛି। ଘରର ମୁରବି ସାଜି ଚାଷ କାମ, ଜମିରେ ତୋଳି ରୋପଣ, ଫସଲ ଜଗିବା ଓ ଅମଳ କରିବା ପର୍ଯ୍ୟନ୍ତ ନିଜେ ହିଁ ସବୁ କିଛି ଦାୟିତ୍ୱ ନେଇଛି ସୋମେ। ଚାଷବାସ ପରେ ମହୁଲ, ଟୋଲ, ଚାରୁ ଫଳ ସଂଗ୍ରହ ଓ କେନ୍ଦୁପତ୍ର ତୋଳି ରୁତୁ କାଳୀନ ଅର୍ଥ ରୋଜଗାର କରି ନିଜ ମଧ୍ୟ ନିଜ ପରିବାରକୁ ଆର୍ଥିକ ରୂପେ ସକ୍ଷମ କରିବାକୁ ଉଦ୍ୟମ କରୁଥିବା ଦେଖିବାକୁ ମିଳିଛି। ଅନ୍ୟପଟେ ମା ଇର୍ମେ ଙ୍କ ଶରୀର ଦୁର୍ବଳ ହେବା ପରେ କାଠ ଆଣି ରୋଷେଇ, ଘର ର ଅନ୍ୟାନ୍ୟ କାମ କରିବା ଠାରୁ ଆରମ୍ଭ କରି ଦୁଇ ଭାଇ ଭଉଣୀ ଙ୍କ ଯତ୍ନ ନେବା ସମସ୍ତ ଦାୟିତ୍ଵ ନିଜେ ସୋମେ ତୁଲାଉଛି। ନିଜର ଭବିଷ୍ୟତ ଗଢ଼ିବା ସମୟରେ ପରିବାରର ସମସ୍ତ ଅଳିକୁ ନିଜେ ପୂରଣ କରି ଆସୁଥିବା ଦୁର୍ଗମ ଅଞ୍ଚଳର ଏହି ଝିଅ ବାସ୍ତବରେ ସମାଜ ପାଇଁ ପ୍ରେରଣାଦାୟୀ । ଅନ୍ୟପଟେ ଏହି ପରିବାରକୁ ସରକାରଙ୍କ ପକ୍ଷ୍ୟରୁ କେବଳ ୨୫ କେଜି ଚାଉଳ ଓ ଇର୍ମେ ଙ୍କୁ ବିଧବା ଭତ୍ତା ମିଳୁଥିବା ବେଳେ ଅନ୍ୟ କୌଣସି ସରକାରୀ ଯୋଜନା ସାମିଲ କରାଯାଇ ନଥିବା ଜଣାପଡିଛି। ଏହି ପରିବାର ମାଟି କାନ୍ଥ ଥିବା ଚାଳ ଛପର ଘରେ ବର୍ଷ ବର୍ଷ ଧରି ରହି ଆସୁଥିବା ବେଳେ କୌଣଷି ସରକାରୀ ବାବୁ ଙ୍କ ଦୃଷ୍ଟି ପଡୁନଥିବା ଅଭିଯୋଗ ହୋଇଛି। ଅନ୍ୟପଟେ ଏଭଳି ଦୁର୍ଗମ ଅଞ୍ଚଳରେ ନେତା ଙ୍କ ଆନୁଗତ୍ୟ ମାନେ ବାସଗୃହ ପାଇବାକୁ ଯୋଗ୍ୟ ବିବେଚିତ ହେଉଥିବା ବେଳେ ସୋମେ ପରି ପରିବାର କୁ ଅଣଦେଖା କରାଯାଉଥିବା କୁହାଯାଉଛି। ଏପରି ସ୍ଥିତିରେ ସୋମେ ଓ ତାର ଭାଇ ଭଉଣୀ ଙ୍କ ପାଠ ପଢା ଦିଗରେ ସରକାର ଦୃଷ୍ଟି ଦେବା ସହ ଏହି ପରିବାକୁ ବିଭିନ୍ନ ସରକାରୀ ଯୋଜନା ରେ ସାମିଲ କରିବାକୁ ସାଧାରଣରେ ଦାବୀ ହୋଇଛି।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO