
ଭୁବନେଶ୍ୱର : ଟ୍ରାଫିକ ନିୟମ ଉଲ୍ଲଂଘନ ପାଇଁ ଆଦାୟ ହେଉଥିବା ଜରିମାନାକୁ ନେଇ ଅସନ୍ତୋଷ ବଢିବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ପରିବହନ ବିଭାଗ ପକ୍ଷରୁ ହେଲ୍ପ ଲାଇନ୍ ନମ୍ବର ଜାରି କରାଯାଇଛି। ଫାଇନ୍ ଆଦାୟ ବେଳେ ଲୋକଙ୍କୁ କୌଣସି ସମସ୍ୟା ହେଲେ ସେମାନେ ହେଲ୍ପ ଲାଇନ୍ ନମ୍ବର ୧୮୦୦ ୩୪୫ ୧୦୭୩ ଜରିଆରେ ଜଣାଇ ପାରିବେ। ଲୋକମାନେ ସକାଳ ୮ଟାରୁ ରାତି ୧୦ଟା ଭିତରେ ଫୋନ୍ରେ ଅଭିଯୋଗ ଜଣାଇପାରିବେ। ପରିବହନ ସଚିବ ଜି. ଶ୍ରୀନିବାସ କହିଛନ୍ତି ଯେ, ନୂଆ ସଡ଼କ ସୁରକ୍ଷା ଆଇନ ଏବଂ ଟ୍ରାଫିକ୍ କଟକଣା ନେଇ କେହି ଭୟଭୀତ ହେବା ଦରକାର ନାହିଁ । ଯେଉଁମାନଙ୍କର ଡକ୍ୟୁମେଣ୍ଟ ନାହିଁ, ସେମାନେ କରି ନିଅନ୍ତୁ । ଡ୍ରାଇଭିଂ ଲାଇସେନ୍ସ ପାଇଁ ଆବେଦନ କରୁଥିବା ବ୍ୟକ୍ତିମାନେ ଯେପରି ହଇରାଣ ନହୁଅନ୍ତି ଏବଂ ସେମାନଙ୍କୁ କିପରି ଶୀଘ୍ର ଲାଇସେନ୍ସ ମିଳିପାରିବ, ସେଥିପ୍ରତି ଧ୍ୟାନ ଦେବାକୁ ଆରଟିଓ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା ପରିବହନ ବିଭାଗ ସଚିବ କହିଛନ୍ତି।