ଟାଙ୍ଗୀ, ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା ଅଧିନସ୍ଥ ୧୬ ନଂ ଜାତୀୟ ରାଜପଥର ଟାଙ୍ଗୀ ବାଇପାସ୍ ନିକଟରେ ଆଜି ଭୋର୍ ପ୍ରାୟ ସାଢ଼େ ୫ଟା ସମୟରେ ପ୍ରବାସୀ ଶ୍ରମିକଙ୍କୁ ନେଇ ଯାତ୍ରା କରୁଥିବା ବସ୍ ସହ ଏକ ଟ୍ରକ୍ ମୁହାଁମୁହିଁ ଧକ୍କା ହେବା ଫଳରେ ଘଟଣାସ୍ଥଳରେ ଟ୍ରକ୍ ଚାଳକଙ୍କ ମୃତ୍ୟୁ ଘଟିଛି । ଦୁର୍ଘଟଣାରେ ବସ୍ ରେ ଯାତ୍ରା କରୁଥିବା କେତେକ ଶ୍ରମିକ ମଧ୍ୟ ଆହତ ହୋଇଛନ୍ତି ।
ସୂଚନା ଅନୁଯାୟୀ, ବସ୍ ଟି କେରଳର କୁନୁର ଅଂଚଳରୁ ପ୍ରବାସୀ ଶ୍ରମିକ ମାନଙ୍କୁ ନେଇ ଆସାମ ଅଭିମୁଖେ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଛି । ରାସ୍ତା ପ୍ରଶସ୍ତିକରଣ କାମ ଚାଲୁଥିବାରୁ ବସ୍ ଓ ଟ୍ରକ୍ ଗୋଟିଏ ରାସ୍ତାରେ ଯିବା ଆସିବା କରୁଥିଲେ । ଏହି ସମୟରେ ଟ୍ରକ୍ ଟି ବସ୍ ର ସମ୍ମୁଖରୁ ଧକ୍କା ଦେଇଥିଲା । ଫଳରେ ବସ୍ ଟି ଡ଼ିଭାଇଡର ଡେଇଁ ରାସ୍ତାର ଅପରପାଶ୍ୱର୍କୁ ଚାଲିଯାଇଥିଲା । ଏଥିରେ ଟ୍ରକ୍ ଚାଳକଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଛି । ମୃତକଙ୍କ ନାମ ତାରକେଶ୍ୱର ଶର୍ମା (୨୭) ଏବଂ ତାଙ୍କ ଘର ଝାଡ଼ଖଣ୍ଡ ରାଜ୍ୟରେ ବୋଲି ଜଣାପଡିଛି । ଅନ୍ୟପକ୍ଷରେ ଦୁର୍ଘଟଣାରେ ବସ୍ ରେ ଯାତ୍ରା କରୁଥିବା ପ୍ରବାସୀ ଶ୍ରମିକ ମାନଙ୍କ ମଧ୍ୟରୁ କେତେକ ଆହତ ହୋଇଛନ୍ତି । ଏହି ଶ୍ରମିକ ମାନେ କେରଳ ରାଜ୍ୟର ବୋଲି ଜଣାପଡିଛି । ଖବର ଟାଙ୍ଗୀ ପୋଲିସ ଘଟଣାସ୍ଥଳରେ ପହଂଚି ବସ୍ ଯାତ୍ରୀ ମାନଙ୍କୁ ଉଦ୍ଧାର କରି ଅନ୍ୟ ଏକ ବସ୍ ଯୋଗେ ସେମାନଙ୍କୁ ନିଜ ନିଜ ଘରକୁ ପଠାଇଛି । ଟାଙ୍ଗୀ ଓ ବାଲୁଗାଁ ଅଗ୍ନିଶମ କର୍ମଚାରୀ ଟ୍ରକ୍ ର କ୍ୟାବିନ୍ ଭିତରେ ଝୁଲି ରହିଥିବା ଚାଳକଙ୍କ ମୃତଦେହକୁ ଉଦ୍ଧାର କରିଛନ୍ତି । ପୋଲିସ ଶବ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ପଠାଇବା ସହ ଥାନାରେ ଏ ସଂକ୍ରାନ୍ତରେ ଏକ ଅପମୃତ୍ୟୁ ମାମଲା ରୁଜ୍ଜୁ କରିଛି । ଦୁର୍ଘଟଣାଗ୍ରସ୍ତ ଟ୍ରକ୍ ଓ ବସ୍ କୁ ଜବତ କରିଛି ।