
ପୁରୀ, ମହା ବିଷୁବ ସଂକ୍ରାନ୍ତୀ ଓ ହନୁମାନ ଜୟନ୍ତୀ ଅବସରରେ ଆଜି ଶ୍ରୀମନ୍ଦିର ବେଢ଼ା ମଧ୍ୟରେ ରହିଥିବା ମହାବୀର ହନୁମାନଙ୍କ ସ୍ୱତନ୍ତ୍ର ମାଜଣା ଓ ପୂଜାର୍ଚ୍ଚନା ଅନୁଷ୍ଠିତ ହୋଇଯାଇଛି । ଶ୍ରୀମନ୍ଦିରରେ ସକାଳ ଧୂପ ନୀତି ଶେଷ ହେବା ପରେ ଦକ୍ଷିଣ ଘରୁ ଶ୍ରୀ ମହାବୀରଙ୍କ ଚଳନ୍ତି ପ୍ରତିମା ରତ୍ନ ସିଂହାସନକୁ ବିଜେ କରିଥିଲେ । ସେଠାରେ ମହାପ୍ରଭୁଙ୍କ ଠାରୁ ଆଜ୍ଞାମାଳ ମିଳିବା ପରେ ମୁକ୍ତି ମଣ୍ଡପ ତଳେ ଥିବା ଝୁଲଣ ମଣ୍ଡପରେ ରଖାଯାଇଥିବା ବିମାନରେ ବିଜେ କରିଥିଲେ । ପୂଜାପଣ୍ଡା ସେବାୟତ ଆଜ୍ଞାମାଳ ଆଣି ଚାରି ଦ୍ୱାର ମହାବୀର ଓ ବାର ଭାଇ ମହାବୀରଙ୍କୁ ଅର୍ପଣ କରିଥିଲେ । ପରେ ପରେ ଝୁଲଣ ମଣ୍ଡପ ନିକଟରେ ଥିବା ଶ୍ରୀ ମହାବୀରଙ୍କ ବିମାନକୁ ବିମାନ ବଡୁ ସେବାୟତ ମାନେ ଶ୍ରୀ ଜଗନ୍ନାଥ ବଲ୍ଲଭକୁ ବିଜେ କରାଇଥିଲେ । ବଲ୍ଲଭରେ ଥିବା ସୁଗ୍ରୀବ ମହାବୀରଙ୍କୁ ପୂଜାପଣ୍ଡା ସେବାୟତ ଆଜ୍ଞାମାଳ ଅର୍ପଣ କରିଥିଲେ । ଏହାପରେ ପୂଜାପଣ୍ଡା ସେବାୟତ ସମୁଦ୍ରକୂଳ ଚକ୍ରତୀର୍ଥ ରୋଡ଼ରେ ଥିବା ଦରିଆ ମହାବୀରଙ୍କୁ ଆଜ୍ଞାମାଳ ଅର୍ପଣ କରିଥିଲେ । ସେଠାରୁ ପୂଜାପଣ୍ଡା ସେବାୟତ ମାନେ ଫେରିବା ପରେ ଶ୍ରୀ ଜଗନ୍ନାଥ ବଲ୍ଲଭରେ ଶ୍ରୀ ହନୁମାନଙ୍କୁ ଶୀତଳ ଭୋଗ ଓ ବନ୍ଦାପନା କରିଥିଲେ । ଏହା ପରେ ବିମାନ ଯୋଗେ ଚଳନ୍ତି ପ୍ରତିମା ମହାବୀରଙ୍କୁ ଶ୍ରୀମନ୍ଦିର ଦକ୍ଷିଣ ଘରକୁ ବିଜେ କରାଇଥିଲେ ।
ଏଥିସହ ଦକ୍ଷିଣ ଦ୍ୱାର ଓ ମେଘନାଦ ପାଚେରୀକୁ ଲାଗି ରହିଥିବା ହନୁମାନଙ୍କ ସ୍ୱତନ୍ତ୍ର ମାଜଣା ଓ ପୂଜାର୍ଚ୍ଚନା କରାଯାଇଛି । ପୁଷ୍ପ, ଧୂପ, ଦୀପ ଓ ନୈବେଦ୍ୟ ସହ ମନ୍ତ୍ର ଉଚ୍ଚାରଣ କରି ବ୍ରାହ୍ମଣ ମାନେ ହନୁମାନଙ୍କ ପୂଜାର୍ଚ୍ଚନା କରିଥିଲେ । କେତେକ ଭକ୍ତ ମନ୍ଦିର ନିକଟରେ ହନୁମାନ ଚାଳିଶା ପାଠ କରୁଥିବା ଦେଖିବାକୁ ମିଳିଥିଲା । ଚୁଆ ଚନ୍ଦନ ଓ ଗେରୁଆ ସିନ୍ଦୁର ସ୍ୱତନ୍ତ୍ର ଭାବେ ମାଜଣା କରାଯାଇଥିଲା । ଏବଂ ପଣା ସଂକ୍ରାନ୍ତୀ ଅବସରରେ ହନୁମାନଙ୍କୁ ପଣା ଭୋଗ ଲାଗି କରାଯାଇଥିଲା । ଏହା ସହ ସମୁଦ୍ର କୂଳରେ ଥିବା ଦରିଆ ମହାବୀର, ବେଡ଼ି ହନୁମାନ, ସିଦ୍ଧ ମହାବୀର ଓ ସାତ ସାହିର ବିଭିନ୍ନ ଜାଗା ଆଖଡ଼ା ଘରେ ଥିବା ମହାବୀରଙ୍କୁ ପୂଜାର୍ଚ୍ଚନା କରାଯାଇଥିଲା । ଜାଗା ଘରେ ନିୟମିତ କୁସ୍ତି ଓ ବ୍ୟାୟାମ ଅଭ୍ୟାସ କରୁଥିବା ଯୁବକ ମାନେ ନାଲି କାଛା ଲାଗି କରି ପିନ୍ଧି ଥିଲେ । ଏଥି ସହ ସହରର ଅନ୍ୟାନ୍ୟ ସ୍ଥାନରେ ଥିବା ମହାବୀରଙ୍କ ମନ୍ଦିରରେ ଭକ୍ତ ମାନେ ସାମାଜିକ ଦୂରତା ରଖି ଠାକୁର ଦର୍ଶନ କରିଥିବା ଦେଖିବାକୁ ମିଳିଥିଲା ।