

ଆଜି ପିପିଲି ନିର୍ବାଚନ ମଣ୍ଡଳୀର ଡେଲାଙ୍ଗ ଥାନା ଅନ୍ତର୍ଗତ ବେନାପୁଡ ପଂଚାୟତର ବାହ୍ଣଣବାଡ ଗ୍ରାମରେ ବିଜେପି କର୍ମୀ ଅଶ୍ୱିନ କୁମାର ସାହୁ ଏବଂ ତାଙ୍କର ୪ ଜଣ ସହଯୋଗୀ ବିଜେପି ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରୁଥିବା ସମୟରେ ବିଜେଡି କର୍ମୀ ପନ୍ଧେଇ ଜେନା, କୁଶା ସ୍ୱାଇଁଙ୍କ ସମେତ ୪ ଜଣ ବିଜେଡିର ଗୁଣ୍ଡା ବିଜେପି କର୍ମୀଙ୍କୁ କାଠଫାଳିଆରେ ମାଡ ମାରିଥିଲେ । ପରେ ସେମାନେ ବନ୍ଧୁକ ଦେଖାଇ ଜୀବନରୁ ମାରିଦେବା ଏବଂ ବୋମା ପକାଇ ହତ୍ୟା କରିବାର ଭୟ ଦେଖାଇଥିଲେ । ବିଜେଡି ଗୁଣ୍ଡାମାନେ ବିଜେପି କର୍ମୀ ସତ୍ୟବାଦୀ ଚଇନି, ମନୋରଜଂନ ବରାଳ, ସାଗର ଦାସଙ୍କ ମୁଣ୍ଡକୁ ମାଡ ମାରିବା ସହ ଅଶ୍ୱିନ ସାହୁଙ୍କ ବେକରେ ଥିବା ୨ ଭରି ସୁନା ଚେନକୁ ଲୁଟି ଲେଇଥିଲେ । ଏସମସ୍ତ କାର୍ଯ୍ୟ ଶାସକ ଦଳର ବିଧାୟକ ଓ ବରିଷ୍ଠ ନେତାଙ୍କ ଇଙ୍ଗିତରେ କରାଯାଉଛି ବୋଲି ଡ.ସାମନ୍ତସିଂହାର ଅଭିଯୋଗ କରିଛନ୍ତି ।
ପିପିଲି ଉପନିର୍ବାଚନରେ ଶାସକ ବିଜେଡିକୁ ନିର୍ବାଚନ ପରାଜୟର ଭୟ ଘାରିଛି । ପୂର୍ବରୁ ବିଭିନ୍ନ ଉପନିର୍ବାଚନକୁ ହାତେଇବା ପାଇଁ ବିଜେଡି ଗୁଣ୍ଡାମାନେ ଯେପରି ଲୋକଙ୍କ ଭିତରେ ଆତଙ୍କ ଖେଳାନ୍ତି ଠିକ୍ ସମାନ ଢଙ୍ଗରେ ପିପିଲି ନିର୍ବାଚନମଣ୍ଡଳୀରେ ଆଜି ଶାସକ ଦଳର କର୍ମୀମାନେ ବିରୋଧୀଙ୍କୁ ମରଣାନ୍ତକ ଆକ୍ରମଣ କରିଛନ୍ତି । ଏନେଇ ବିଜେପି ପକ୍ଷରୁ ପିପିଲି ଥାନାରେ ଏତଲା ଦିଆଯାଇଛି । ଗତକାଲି ପିପିଲି ପୋଲିସ ଅପରାଧୀଙ୍କୁ ଗିରଫ ନକରିବା କାରଣରୁ ବିଜେଡି ଗୁଣ୍ଡାଙ୍କ ମନୋବଳ ବୃଦ୍ଧି ପାଇଛି । ବିଜେପି ପକ୍ଷରୁ ବାରମ୍ବାର ପୋଲିସ ପେଟ୍ରୋଲିଂକୁ ଜୋରଦାର କରିବା ନେଇ ଦାବି କରିବା ପରେ ବି ପୋଲିସ ଶାସକ ଦଳକୁ ସୁହାଇଲା ଭଳି ଆଚରଣ ଦେଖାଉଛି । ବିଜେଡି କର୍ମୀମାନଙ୍କର ଗୁଣ୍ଡାଗର୍ଦ୍ଦି, ଦିନ ଦ୍ୱିପ୍ରହରରେ ବିରୋଧୀଙ୍କୁ ଆକ୍ରମଣ କରିବା, ପିପିଲି–ଡେଲାଙ୍ଗରେ ଆତଙ୍କ ଓ ଭୟର ବାତାବରଣ ସୃଷ୍ଟି କରିବା ବିରୁଦ୍ଧରେ ପିପିଲି-ଡେଲାଙ୍ଗବାସୀ ଉପନିର୍ବାଚନରେ ଏହାର ଜବାବ ଦେବେ । ଡେଲାଙ୍ଗ ପୋଲିସ ତୁରନ୍ତ ବିଜେଡି ଗୁଣ୍ଡାଙ୍କୁ ଗିରଫ କରୁ ବୋଲି ଡ.ସାମନ୍ତସିଂହାର ଦାବି କରିଛନ୍ତି ।