ରାଉରକେଲା – ରାଉରକେଲା ସହରରେ ରାଜ୍ୟ ମାପ ଓଜନ ବିଭାଗର ସ୍ୱତନ୍ତ୍ର ସ୍କ୍ୱାର୍ଡ ପକ୍ଷରୁ ଗତକାଲି ଓ ଆଜି ୨ଦିନ ବ୍ୟାପି ବ୍ୟାପକ ଚଢ଼ଉ କରାଯିବା ସହ ରାଉରକେଲା ଇସ୍ପାତ କାରଖାନା (ଆରଏସପି)କୁ ୧୦ ହଜାର ଟଙ୍କା ଜୋରିମାନା ଓ ଗୃହସ୍ତି ମସାଲା କମ୍ପାନୀର ବିଭିନ୍ନ ତୃଟୀ ଲାଗି କଂପାନୀକୁ ନୋଟିସ୍ କରାଯାଇଛି ।
ମାପ ଓଜନ ବିଭାଗ ସହକାରୀ ନିୟନ୍ତ୍ରକ ରାମଚନ୍ଦ୍ର ଦଳେଇ, ତ୍ରିଲୋଚନ ଦାସ ପ୍ରମୁଖ ଗତକାଲି ରାଉରକେଲା ଇସ୍ପାତ କାରଖାନାର ନିଜସ୍ୱ ଷ୍ଟକୟାର୍ଡରେ ଥିବା ବିଭିନ୍ନ ଓଜନ ମେସିନକୁ ଯାଂଚ କରିଥିଲେ । ସେଠାରେ ଥିବା କେତେକ ମେସିନରେ ୩୦ କେଜିରୁ ୪୦ କେଜି ଯାଏ କମ୍ ଓଜନ ବାହାରିବାରୁ ସରକାରଙ୍କ ପକ୍ଷରୁ ଆରଏସପିକୁ ୧୦ ହଜାର ଟଙ୍କା ଜୋରିମାନା କରାଯାଇଛି । ଏହି ଷ୍ଟକୟାର୍ଡରୁ ପ୍ରତିଦିନ କୋଟି କୋଟି ଟନ୍ ର କାରବାର ହେଉଥିବା ବେଳେ ୪୦ କେଜି ଠକେଇ ହିସାବରେ କେତେ ପରିମାଣର ଠକେଇ ସେଲ୍ କରିଥିବ ତାହା ଅନୁମାନ କରାଯାଇପାରେ । ତେବେ ଏହିଭଳି ଭୁଲ୍ କିମ୍ବା ଠକେଇ ଯାଗାରେ ୱେବ୍ରିଜକୁ ଜବତ କରି ସିଲ୍ କରିବା ପରେ ଆରଏସପି ବିରୋଧରେ ମାମଲା ରୁଜୁ କରାଜିବା କଥା ବୋଲି ମାପ ଓଜନ ବିଭାଗର କେତେକ ବରିÂ ଅଧିକାରୀ ପ୍ରକାଶ କରିଛନ୍ତି । ଏଭଳି ଚଢଉ କେବଳ ଲୋକ ଦେଖାଣିଆ ବୋଲି ସେମାନେ ମତ ଦେଇଛନ୍ତି । ସେହିଭଳି ପାନପୋଷ ଠାରେ ଥିବା ଗୃହସ୍ତି ମସଲା କଂପାନୀ କାରଖାନାରେ ଏହି ଟିମ୍ ଚଢଉ କରି କେବଳ ନୋଟିସ କରିଥିବା ଜଣାପଡିଛି । ଚଢଉ ବେଳେ କଂପାନୀର ମସଲା ଗୁଣ୍ଡ ପ୍ୟାକେଟ ଗୁଡିକୁ ଯାଂଚ କରାଯାଇଥିଲା । ସେଗୁଡିକରେ ଓଜନ ନେଇ କୌଣସି ଭୁଲ୍ ବାହାରି ନଥିବା ବେଳେ ପ୍ୟାକେଟ ଗୁଡିକରେ ଷ୍ଟିକର ଲାଗିବା, ଯେତେବେଳେ ମସଲା ପ୍ୟାକ ହୋଇଥିଲା ସେତେବେଳେ ଏତିକି ଓଜନ ଥିଲାଭଳି କେତେକ ଲେଖାଥିବା, ମେସିନ ଗୁଡିକରେ କିଛି ଭୁଲ୍ ଭଟକା ଥିବା ନେଇ କଂପାନୀକୁ ନୋଟିସ କରାଯାଇଥିବା କୁହାଯାଇଛି । ୧୫ ଦିନ ଭିତରେ ଏହାର ଉତର ନମିଳିଲେ ୬ ମାସ ଭିତରେ ତା ବିରୋଧରେ ମାମଲା କୋର୍ଟକୁ ପଠାଯାଇପାରିବ ବୋଲି କୁହାଯାଇଛି । ତେବେ ଏହି ମାମଲାରେ ମଧ୍ୟ ତୁରନ୍ତ ମାମଲା ରୁଜୁ କରାଯାଇ ମେସିନ ଗୁଡିକୁ ସିଲ୍ କରାଜିବା କଥା ବୋଲି ମତ ପ୍ରକାଶ ପାଇଛି । ଆଜି ସକାଳୁ ଏହି ଅଫିସର ମାନେ ହିନ୍ଦୁସ୍ଥାନ ଆକୁଆ ସମେତ ଆହୁରି କେତେକ ସ୍ଥାନରେ ଚଢ଼ଉ କରି ଜୋରିମାନା ଆଦାୟ କରି ଫେରିଥିବା ଜଣାପଡିଛି ।