ଭୁବନେଶ୍ୱର, ଓଡିଶା ସରକାର ଦୁର୍ନୀତି କରିବା ପାଇଁ ନୂଆ ନୂଆ ନୀତି ତିଆରି କରୁଛନ୍ତି ବୋଲି ଅଭିଯୋଗ କରିଛନ୍ତି ବିଜେପି ବିଧାୟକ ଜୟ ନାରାୟଣ ମିଶ୍ର । ରାଜ୍ୟ ସରକାରଙ୍କ ଦ୍ୱାରା ଅବକାରୀ ନୀତିରେ ପରିବର୍ତନ ଦ୍ୱାରା ଓଡିଶାକୁ ବିପୁଳ ଭାବେ ରାଜସ୍ୱ କ୍ଷତି ହେବ ଓ ଏହା କାହା ସ୍ୱାର୍ଥରେ କରା ଯାଉଛି ବୋଲି ପ୍ରଶ୍ନ କରିଛନ୍ତି ଶ୍ରୀ ମିଶ୍ର ।
ପ୍ରଶ୍ନ କାଳରେ ଏହି ପ୍ରସଙ୍ଗ ଉଠାଇ ଶ୍ରୀ ମିଶ୍ର କହିଛନ୍ତି ଯେ ବର୍ତମାନ ସରକାର ଅବକାରୀ ନୀତିରେ ପରିବର୍ତନକରି ଲଟେରୀ ବ୍ୟବସ୍ଥା ପ୍ରଚଳନ କରିବାକୁ ନିଷ୍ପତି ନେଇଛନ୍ତି । ଏହା ଦ୍ୱାରା ବାହର ରାଜ୍ୟର ମଦ ବେପାରୀ ମାନେ ଲାଭବାନ ହେବେ ତଥା ଓଡିଶାକୁ ବିପୁଳ ମାତ୍ରାରେ ରାଜସ୍ୱ କ୍ଷତି ହେବ ।
ସେ କହିଛନ୍ତି ଯେ ଅବକାରୀ କମିଶନର ଭାବେ ଜଣେ ଆଇଏଏସଙ୍କୁ ଦାୟିତ୍ୱ ଦେବାର ବ୍ୟବସ୍ଥା ଥିବା ବେଳେ ଆଶୀଷ ସିଂହଙ୍କ ଭଳି ଜଣେ ଆଇପିଏସଙ୍କୁ ଏହି ଦାୟିତ୍ୱରେ କାହିଁକି ରଖା ଯାଇଛି । ସେ କହିଛନ୍ତି ଯେ ମୁଖ୍ୟ ନିର୍ବାଚନ ଅଧିକାରୀ ଦାୟିତ୍ୱରେ ଥିବା ସୁଶୀଲ ଲୋହାନୀଙ୍କୁ ଅବକାରୀ କମିଶନର ଭାବେ କିପରି ଦାୟିତ୍ୱ ଦିଆ ଯାଇଛି । ସେହିପରି ଲଟେରୀ ବ୍ୟବସ୍ଥା ଏକ ବର୍ଷ ପାଇଁ ନ କରି ପାଂଚ ବର୍ଷ ପାଇଁ ଏକାଥରକେ କାହିଁକି କରା ଯାଉଛି ଓ ଏହା ଦ୍ୱାରା କିଏ ଲାଭବାନ ହେବ ବୋଲି ସେ ପ୍ରଶ୍ନ କରିଛନ୍ତି ।