ଭୁବନେଶ୍ୱର,୨୦୪୧ ଯାଏ ଓଡିଶାରେ ମେଟ୍ରୋ ପ୍ରକଳ୍ପ ପ୍ରସ୍ତାବ ନାହିଁ ବୋଲି ସୂଚନା ଦେଇଛନ୍ତି ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା । କଂଗ୍ରେସ ବିଧାୟକ ସୁରେଶ ରାଉତରାୟଙ୍କ ଏ ସମ୍ପର୍କିତ ଏକ ପ୍ରଶ୍ନର ଉତରରେ ସେ ଏହି ସୂଚନା ଦେଇଛନ୍ତି । ଅନ୍ୟ ପକ୍ଷରେ ବିଧାୟକ ସୁରେଶ ରାଉତରାୟ ତଥା ବିଧାୟକ ଅମର ପ୍ରସାଦ ସତପଥୀ ଏ ସମ୍ପର୍କରେ ପୁଣି ଥରେ ସର୍ଭେ କରିବାକୁ ରାଜ୍ୟ ସରକାରଙ୍କୁ ଅନୁରୋଧ କରିବା ପରେ ଯଦି ସୁଯୋଗ ମିଳେ ତେବେ ପୁଣି ଥରେ ଏହି ପ୍ରକଳ୍ପ ପାଇଁ ରାଜ୍ୟ ସରକାର ସର୍ଭେ କରିବେ ବୋଲି ମନ୍ତ୍ରୀ ଶ୍ରୀ ଜେନା ପ୍ରତିଶ୍ରୁତି ଦେଇଛନ୍ତି । ଶ୍ରୀ ଜେନା ତାଙ୍କ ଉତରରେ କହିଥିଲେ ଯେ ଆନ୍ଧ୍ର ପ୍ରଦେଶର ଏକ କମ୍ପାନୀକୁ କଟକ- ଭୁବନେଶ୍ୱର ମଧ୍ୟରେ ମେଟ୍ରୋ ଟ୍ରେନ ଚଳାଚଳର ଫିଜିବିଲିଟି ସମ୍ପର୍କରେ ଅଧ୍ୟୟନ କରିବାକୁ ସର୍ଭେ କାମ ଦିଆ ଯାଇଥିଲା । ସଂପୃକ୍ତ କମ୍ପାନୀକୁ ଏଥି ବାବଦରେ ୫୨ ଲକ୍ଷ ଟଙ୍କା ପ୍ରଦାନ କରା ଯାଇଛି । କେନ୍ଦ୍ର ସରକାରଙ୍କ ପକ୍ଷରୁ ଏଥି ପାଇଁ ୧୨ ଲକ୍ଷ ୬୧ ହଜାର ଟଙ୍କା ପ୍ରଦାନ କରା ଯାଇଛି । ପ୍ରଥମେ କଟକ- ଭୁବନେଶ୍ୱର ମଧ୍ୟରେ ମେଟ୍ରୋ ପ୍ରକଳ୍ପ ପାଇଁ ଫିଜିବିଲିଟି ଟେଷ୍ଟ କରା ଯାଇଥିବା ବେଳେ ପରବର୍ତୀ ସମୟରେ ଏଥିରେ ଜଟଣୀ ଓ ଖୋର୍ଧାକୁ ଯୋଡା ଯାଇ ଫିଜିବିଲିଟି ଟେଷ୍ଟ କରିବାକୁ କୁହା ଯାଇଥିଲା । ତେବେ ସଂପୃକ୍ତ କମ୍ପାନୀ ତାର ରିପୋର୍ଟରେ କହିଛି ଯେ ୨୦୪୧ ମସିହା ଯାଏ ଏହି ପ୍ରକଳ୍ପ ପାଇଁ ଫିଜିବିଲିଟି ହେବ ନାହିଁ । ଏହି ରିପୋର୍ଟ ପରେ ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କୁ ଏହି ପ୍ରକଳ୍ପ ପାଇଁ କେନ୍ଦ୍ର ସରକାରଙ୍କୁ ପ୍ରସ୍ତାବ ଦେଇ ନ ଥିବା ସେ ପ୍ରକାଶ କରିଛନ୍ତି । ପରବର୍ତୀ ସମୟରେ ସୁଯୋଗ ଆସିେଲେ ପୁଣି ଥରେ ସର୍ଭେ କରା ଯିବ । ଏଥର କଟକ, ଭୁବନେଶ୍ୱର ସମେତ ଖୋର୍ଧା, ଜଟଣୀ ଓ ପୁରୀ ସହିତ ଚଣ୍ଡିଖୋଲକୁ ମଧ୍ୟ ସାମିଲ କରି ସର୍ଭେ କରିବାକୁ କୁହା ଯିବ ବୋଲି ସେ ସୂଚନା ଦେଇଛନ୍ତି ।