ବାରିପଦା, ମୟୂରଭଞ୍ଜ ଜିଲ୍ଲା ଶରତ ଥାନା ଓଆଇସି ରିନା ବକ୍ସଲାଙ୍କୁ ନିଲମ୍ବନ କରିଛନ୍ତି ଏସପି ସ୍ମିଥ ପି. ପାରମାର । ଗତକାଲି ହେଲମେଟ୍ ଚେକିଂ ବେଳେ ବାଇକ୍ ରେ ଆସୁଥିବା ଏକ ଦମ୍ପତି ଧରାପଡିଥିଲେ । ବାଇକ୍ ଚଳାଉଥିବା ସ୍ୱାମୀ ହେଲମେଟ୍ ପିନ୍ଧିଥିଲେ ହେଁ ଗର୍ଭବତୀ ଥିବା ତାଙ୍କ ପତ୍ନୀ ହେଲମେଟ୍ ପିନ୍ଧି ନଥିଲେ । ଯାହାକୁ ନେଇ ସମ୍ପୃକ୍ତ ଥାନା ଆଇଆଇସି ତାଙ୍କୁ ୩ କି.ମି. ଚଲାଇଥିବା ଅଭିଯୋଗ ହୋଇଥିଲା । ତେବେ ୮ ମାସର ଗର୍ଭବତୀ ମହିଳାଙ୍କୁ ଏଭଳି ନିର୍ଦୟ ଭାବେ ଚଲାଇବା ଅଭିଯୋଗରେ ତାଙ୍କ ବିରୋଧରେ ଉପରୋକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା ଜଣାପଡିଛି ।
ସୂଚନା ଅନୁଯାୟୀ, ରବିବାର ଶରତ ଥାନା ଅନ୍ତର୍ଗତ ନୋଟ ପଚାଂୟତର ଆଦିବାସୀ ଜନଜାତି ହୋ ସମ୍ପ୍ରଦାୟର ବିକ୍ରମ ବିରୁଲି ୮ ମାସର ଗର୍ଭବତୀ ଥିବା ତାଙ୍କ ପତ୍ନୀ ଗୁରୁବାରୀ ବିରୁଲିଙ୍କୁ ବାଇକ୍ ଯୋଗେ ଉଦଳା ମେଡ଼ିକାଲକୁ ସ୍ୱାସ୍ଥ୍ୟ ପରୀକ୍ଷା ନିମନ୍ତେ ନେଉଥିଲେ । ବିକ୍ରମ ମୁଣ୍ଡରେ ହେଲମେଟ ଓ ମୁହଁରେ ମାସ୍କ ପିନ୍ଧିଥିବା ବେଳେ ତାଙ୍କ ପତ୍ନୀ ମଧ୍ୟ ମୁହଁରେ ମାସ୍କ ପିନ୍ଧିଥିଲେ । ହେଲେ ପତ୍ନୀ କାହିଁକି ହେଲମେଟ ପିନ୍ଧି ନାହାଁନ୍ତି ବୋଲି ପ୍ରଶ୍ନ କରିବା ସହ ପୋଲିସ ରସିଦ୍ କାଟିଥିଲା । ପାଖରେ ଏତେ ଟଙ୍କା ନଥିବାରୁ ଅନ୍ ଲାଇନ୍ ମାଧ୍ୟମରେ ଜୋରିମାନା ବାବଦ ଅର୍ଥ ପୈଠ କରିବା ନିମନ୍ତେ ବିକ୍ରମ ପୋଲିସକୁ ଅନୁରୋଧ କରିଥିଲେ । ହେଲେ ପୋଲିସ ତୁରନ୍ତ ଟଙ୍କା ଦାଖଲ କରିବାକୁ କରିବାକୁ କହିବା ସହ ଜୋରିମାନା ଅର୍ଥ ନଦେଲେ ଗାଡ଼ି ଛଡାଯିବ ନାହିଁ ବୋଲି କହିଥିଲା । ଯାହାକୁ ନେଇ ସେଠାରେ ପୋଲିସ ଓ ବିରୁଲିଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା । ଏଥିରେ ଉତକ୍ଷିପ୍ତ ହୋଇ ପୋଲିସ ଗର୍ଭବତୀ ମହିଳାଙ୍କୁ ରାସ୍ତାରେ ଛାଡି ସ୍ୱାମୀକୁ ୪ ଘଂଟା ଧରି ଥାନାରେ ଅଟକ ରଖିଥିଲା । ବାଇକ୍ ଓ ମୋବାଇଲ୍ ଛଡାଇ ନେଇଥିଲେ ଓଆଇସି ରୀନା ବକ୍ସଲେ । ଫଳରେ ଗୁରୁବାରୀ ୩ କିମି ଚାଲି ଚାଲି ଥାନାରେ ପହଂଚିଥିଲେ । ପରେ ଏହି ଦମ୍ପତି ଏସଡ଼ିପିଓଙ୍କୁ ଘଟଣା ବାବଦରେ ଅଭିଯୋଗ କରିଥିଲେ । ଅଭିଯୋଗକୁ ଭିତି କରି ଏସପି ଶ୍ରୀ ପାରମାର ସମ୍ପୃକ୍ତ ଥାନା ଅଧିକାରିଣୀଙ୍କ ଉପରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ।