
ମାଲକାନଗିରି, ଦିନେ ଘରର ଆବଶ୍ୟକତା ପୂରଣ ପାଇଁ ନିଜ ବାଡିରେ କଦଳୀ, ଅମୃତ ଭଣ୍ଡା, ମାଟି ଆଳୁ ଭଳି ହାତଗଣତି କେତୋଟି ଗଛ ଲଗାଇଥିଲେ। ସମୟକ୍ରମେ ଅର୍ଦ୍ଧାଧିକ ଗଛ ନଷ୍ଟ ହୋଇଯାଇଥିଲେ ମଧ୍ୟ କିଛି କଦଳି ଗଛ ରହିଯାଇଥିଲା ।ଆଉ ଏଇ ଗଛ ଗୁଡ଼ିକର ଯତ୍ନ ନେବା ସହ ଆଗକୁ ନିଜ ବାଡିରେ ଏକ କଦଳି ବାଡ଼ ତିଆରି କରି ନିଜର ଗୁଜୁରାଣ ମେଣ୍ଟାଇବାକୁ ଚିନ୍ତା କଲେ ଦୁର୍ଗମ ତଥା ଅପହଞ୍ଚ ଇଲାକା ଭାବେ ପରିଚିତ ପଡିଆ ବ୍ଲକ ନୀଲିଗୁଡା ପଞ୍ଚାୟତ ଅନ୍ତର୍ଗତ ନୁନୁରଗୁଡା ଗ୍ରାମର ଆଦିବାସୀ ଯୁବକ ଆଡମା ମାଡକାମି । ୫ ବର୍ଷ ପୂର୍ବରୁ କରିଥିବା ଏହି ପ୍ରୟାସ ଆଜି ନୁନୁରଗୁଡା ଭଳି ଗ୍ରାମକୁ ସବୁଜ କରିବା ସହ ପରିବାରର ଗୁଜୁରାଣ ମେଣ୍ଟାଇବାରେ ପୂର୍ଣ୍ଣ ସହଯୋଗ ହେଉଥିବା ଜଣାପଡ଼ିଛି । ଆଡ଼ମା ମାଡକାମି ସ୍ତ୍ରୀଙ୍କ ମୃତ୍ୟୁ ପରେ ଝିଅର ବିବାହ ସହ ପୁଅ ମାନେ ପ୍ରାୟ ସମୟରେ ବାହାରେ ରହୁଥିବାରୁ ସମ୍ପୂର୍ଣ୍ଣ ଏକାକୀ ହୋଇପଡିଥିଲେ । ଏହି ସମୟରେ ଧାନ ଚାଷ ସହ ବାଡିରେ ପୂର୍ବରୁ ଲଗାଯାଇଥିବା କିଛି କଦଳୀ ଗଛର ଯତ୍ନ ନେଇ ସମୟ ଅତିବାହିତ କରିବାରେ ଲାଗିଥିଲେ ସେ । ଧୀରେ ଧୀରେ ବାଡିରେ ଗଛ ସଂଖ୍ୟା ବୃଦ୍ଧି ପାଇବା ସହ କଦଳୀ ଉତ୍ପାଦନ ବଢିବାରେ ଲାଗିଲା । ଏଥିପାଇଁ ଗୁରୁବାର ଦିନ ପାଖ ଗ୍ରାମ ଉଷ୍କାଲବାଗରେ ହେଉଥିବା ସାପ୍ତାହିକ ହାଟରେ ବାଡିରେ ହେଉଥିବା କଦଳୀ ବିକିବାକୁ ଲାଗିଲେ । କଦଳୀ ବିକ୍ରି ପରେ ଯାହା ପଇସା ମିଳେ ସେଥିରେ ସପ୍ତାହର ତେଲ ଲୁଣ କିଣିବା ହୋଇଯାଉଥିବାରୁ ଥିବାରୁ ଧୀରେ ଧୀରେ ଏହା ଆଡମାଙ୍କ ବେଉସା ପଲାଟି ଗଲା । ଗତ କିଛି ବର୍ଷ ମଧ୍ୟରେ ନିଜ ବାଡିରେ ପ୍ରାୟ ଶହେରୁ ଅଧିକ କଦଳୀ ଗଛ ଲଗାଇ ଏକ ବ୍ୟସାୟିକ କଦଳୀ ବଗିଚା ସୃଷ୍ଟି କରିପାରିଛନ୍ତି ଆଡମା । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏହି ବଗିଚାରୁ ଉତ୍ପନ୍ନ ହେଉଥିବା କଦଳୀ ସମ୍ପୂର୍ଣ୍ଣ ଜୈବିକ ଓ ଦେଶୀ ହୋଇଥିବାରୁ ଏହା ଆକାରରେ ଅପେକ୍ଷାକୃତ ଛୋଟ ହେଲେ ମଧ୍ୟ ଖୁବ୍ ସୁସ୍ଵାଦୁ । ଅନ୍ୟପଟେ ଦୁର୍ଗମ ଅଞ୍ଚଳ ହୋଇଥିବାରୁ ବଜାରରେ ଏହି କଦଳୀ ଉଚିତ୍ ଦରରେ ବିକ୍ରି ହୋଇପାରୁ ନଥିବାରୁ ଆଡମା ନିଜର ଦୁଃଖ ମଧ୍ୟ ଜାହିର୍ କରିଥିଲେ । ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଏଭଳି ଚାଷ ଦେଖିବାକୁ ମିଳୁନଥିବା ବେଳେ ପ୍ରତ୍ୟେକ ଆଦିବାସୀ ଭାଇ ନିଜ ନିଜ ବାଡିରେ ଏଭଳି ଚାଷ କରିବା ଆବଶ୍ୟକ ବୋଲି କହିଛନ୍ତି ଆଡମା । କଦଳୀ ଚାଷରେ ପାଣିର ଭୂମିକା ଗୁରୁତ୍ବପୂର୍ଣ୍ଣ ହୋଇଥିବାରୁ ସରକାରଙ୍କ ପକ୍ଷରୁ ବୋର ୱେଲ କିମ୍ବା ପୋଖରୀର ବ୍ୟବସ୍ଥା କରାଗଲେ ଏଭଳି ଦୁର୍ଗମ ଅଞ୍ଚଳରେ ମଧ୍ୟ ଚାଷକୁ ଆହୁରି ବ୍ୟାପକ କରାଯାଇ ପାରିବ ।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO