ଧର୍ମଶାଳା, ଉଚ୍ଚ ଶିକ୍ଷା ଲାଭ କରି ଚାକିରୀ କରିବା ପାଇଁ ଯୁବ ପିଢୀ ବ୍ୟସ୍ତ । ମାତ୍ର ବହୁ ଯୁବକ ଯୁବତୀ ଶିକ୍ଷା ଲାଭ କରି ମଧ୍ୟ କିଛି ନୂଆ ଓ ସ୍ୱତନ୍ତ୍ର ପରିଚୟ ସହ ନିଜର ସ୍ୱପ୍ନ ସାକାର କରିବା ସହ ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଥାନ୍ତି । ହେଲେ ସେମାନଙ୍କୁ ବହୁ ମୂଲ୍ୟବାନ ସମୟ ଓ କଷ୍ଟ ଯନ୍ତ୍ରଣା ସହିବାକୁ ପଡିଥାଏ । ହେଲେ କିଛି ନୂଆ କରି ପରିଚୟ ପାଇଛନ୍ତି ଜଣେ ଯୁବକ । ଏଭଳି ଯୁବ ପ୍ରତିଭା ଦେଖିବାକୁ ମିଳିଛି ଯାଜପୁର ବ୍ଲକ ଝାଲପଡା ପଂଚାୟତର କାକୁଡିକୁଦ ଗ୍ରାମରେ । ଏହି ଗ୍ରାମର ପତିତପାବନ ନାୟକଙ୍କ ବଡପୁଅ ପ୍ରଶାନ୍ତ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରି ଲୋକାଲୋଚନକୁ ଆସିଛନ୍ତି । ପିଲାଟି ଦିନୁ ଲେଖାଲେଖି ଓ ଚିତ୍ରକଳା ପ୍ରତି ରୁଚି ରଖିଥିବା ପ୍ରଶାନ୍ତ ଶିକ୍ଷାଲାଭ ପରେ ସରକାରୀ ଚାକିରୀ ପଛରେ ନ ଯାଇ ନିଜର ବଳିଷ୍ଠ ଉଦ୍ୟମରେ ନିଜର ସ୍ୱପ୍ନକୁ ସାକାର କରିବା ପାଇଁ ସୁଦୂର ବାଙ୍ଗାଲୋର ଯାଇ ସ୍ୱରୋଜଗାରୀ ହୋଇଥିଲେ । ସେଠାରେ ଏକ ଲୁଗା କାରଖାନାରେ ଡିଜାଇନର ଭାବେ କାର୍ଯ୍ୟ କରିବା ସହ ଅବସର ସମୟରେ କବିତା ଓ ସଂଳାପ ସହ ନୂଆ ନୂଆ ଭାଷାଶିକ୍ଷା ତଥା ଓଡିଆ କଳା ସଂସ୍କୃତି ଚିତ୍ରକଳାକୁ ପ୍ରସାର ଓ ପ୍ରଚାର କରିବା ନିମନ୍ତେ ଟାଟୁ ଅଙ୍କନ କରିଥାନ୍ତି । ସେ ବାଙ୍ଗାଲୋରର ଆଂଚଳିକ କନ୍ନଡ଼ ଭାଷାରେ ଶିକ୍ଷା ଲାଭ କରି ଦୁଇରୁ ଅଧିକ ପିଲ୍ମ ପାଇଁ ସଂଳାପ ଲେଖି ସାରିଛନ୍ତି । ଇତି ମଧ୍ୟରେ କନ୍ନଡ଼, ଓଡିଆ ଦ୍ୱିଭାଷୀ ଫିଲ୍ମ ‘ନବମାସ’ ପାଇଁ ସଂଳାପ ଲେଖି ଉଚ୍ଚ ପ୍ରଶଂସିତ ହୋଇପାରିଛନ୍ତି । ଆଗକୁ ଆହୁରି ୨ରୁ ଅଧିକ କନ୍ନଡ଼ ପିଲ୍ମ ପାଇଁ ଲେଖା ଜାରି ରଖିଥିବା ସେ ପ୍ରକାଶ କରିଛନ୍ତି । ସେତିକି ନୁହେଁ ଆଜିକାଲି ଯୁବପିଢୀଙ୍କର ଟାଟୁର ଚାହିଦାକୁ ଦୃଷ୍ଟିରେ ରଖି ଏଥିରେ ନିଜର କ୍ୟାରିଅରକୁ ଗଢି ତୋଳିଛନ୍ତି । ତେଣୁ ଆଗାମୀ ଦିନରେ ଓଡିଆ ଓ ହିନ୍ଦୀ ଭାଷାର ଫିିଲ୍ମ ପାଇଁ ସଂଳାପ ଲେଖିବାକୁ ଆଶା ରଖିଥିବା ପ୍ରଶାନ୍ତ ତାଙ୍କ ପ୍ରତିକ୍ରୀୟାରେ ପ୍ରକାଶ କରିଛନ୍ତି । ତାଙ୍କର ଏହି ସଫଳତା ପାଇଁ ସ୍ଥାନୀୟ ଅଂଚଳରେ ସେ ବେଶ୍ ପ୍ରଶଂସିତ ହୋଇପାରିଛନ୍ତି । ତେବେ ତାଙ୍କର ଏହି ଉଦ୍ୟମ ଆଗାମୀ ଦିନରେ ଯୁବପିଢୀମାନଙ୍କ ପାଇଁ ଏକ ଉଦାହରଣ ପାଲଟିବ ନିଶ୍ଚୟ ।