-
ସର୍ବଦଳୀୟ ବୈଠକ ଡାକି ଆଲୋଚନା କରିବା ସହ ଧାନ କିଣାକୁ ନେଇ ଠୋସ ପଦକ୍ଷେପ ନେବାକୁ ରୁଲିଂ ଦେବା ପାଇଁ ଦାବି
-
ଧାନ କିଣା ସମସ୍ୟାର ସ୍ଥାୟୀ ସମାଧାନ ନେଇ ଗୃହରେ ଏକ ବିବୃତି ରଖିବାକୁ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀଙ୍କୁ ବାଚସ୍ପତିଙ୍କ ନିର୍ଦେଶ
ଭୁୁବନେଶ୍ୱର, ଚାଷୀ ମାନଙ୍କ ଠାରୁ ଧାନ କିଣିବାକୁ ନେଇ ରାଜ୍ୟ ସରକାର ବିଧାନସଭାରେ ପ୍ରତିଶ୍ରୁତି ଦେବା ପରେ ମଧ୍ୟ ସେମାନଙ୍କ ଠାରୁ ଧାନ କିଣା ଯାଉ ନାହିଁ । ଏପରି ସ୍ଥିତିରେ ବିଧାନସଭା କାହିଁକି ଚାଲିବ ବୋଲି ବିରୋଧୀ ବିଧାୟକ ମାନେ ପ୍ରଶ୍ନ କରିଛନ୍ତି । ଯେ ପର୍ଯ୍ୟନ୍ତ ଚାଷୀଙ୍କ ଠାରୁ ଧାନ କିଣା ନ ଯାଇଛି ସେ ପର୍ଯନ୍ତ ଗୃହ କାର୍ଯ୍ୟ ଚାଲି ପାରିବ ନାହିଁ । ବାଚସ୍ପତି ଏହି ପ୍ରସଙ୍ଗରେ ସର୍ବଦଳୀୟ ବୈଠକ ଡାକି ଆଲୋଚନା କରିବା ସହ ଧାନ କିଣାକୁ ନେଇ ଠୋସ ପଦକ୍ଷେପ ନେବାକୁ ରୁଲିଂ ଦେବା ପାଇଁ ଉଭୟ ବିଜେପି ଓ କଂଗ୍ରେସ ବିଧାୟକ ମାନେ ଦାବି କରିଥିଲେ । ୧୧.୩୦ରେ ଗୃହ କାର୍ଯ୍ୟ ପୁଣି ଥରେ ଆରମ୍ଭ ହେବା ମାତ୍ରେ ବିରୋଧୀ ବିଜେପି ଓ କଂଗ୍ରେସ ବିଧାୟକ ମାନେ ଧାନ କିଣା ନ ହେବା ପ୍ରସଙ୍ଗକୁ ନେଇ ଗୃହର ମଧ୍ୟ ଭାଗକୁ ଆସି ହଟ୍ଟଗୋଳ କରିବା ଓ ନାରାବାଜୀ କରିବା ଦେଖା ଦେଇଥିଲା । ଏହା ପରେ ବାଚସ୍ପତି ଶ୍ରୀ ପାତ୍ର କଂଗ୍ରେସ ବିଧାୟକ ଦଳର ନେତା ନରସିଂହ ମିଶ୍ରଙ୍କୁ କହିବାଜୁ ଡାକିଥିଲେ । ôଶ୍ରୀ ମିଶ୍ର କହିଥିଲେ ଯେ ପ୍ରଥମ ପର୍ଯ୍ୟାୟ ଅଧିବେଶନରେ ଏହି ପ୍ରସଙ୍ଗକୁ ନେଇ ଗୃହ ବାରମ୍ବାର ଅଚଳ ହୋଇଥିଲା । ଏହାର ସମାଧାନ ପାଇଁ ସର୍ବଦଳୀୟ ବୈଠକ ଡକା ଯାଇଥିଲା । ସଂସଦୀୟ ମନ୍ତ୍ରୀ ଏହି ପ୍ରସଙ୍ଗରେ ଉତର ରଖିଥିଲେ । ବିରୋଧୀ ଦଳର ଚିନ୍ତାକୁ ସେଥିରେ ସାମିଲ କରା ଯାଇ ନ ଥିଲା । ସଠିକ ଚାଷୀଙ୍କ ଠାରୁ ଧାନ କିଣା ଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ । ମାତ୍ର ୧୨ ଦିନ ହେଲାଣି ଏହା ଉପରେ କୌଣସି ପ୍ରକାର କାର୍ଯ୍ୟକାରୀ କରା ଗଲା ନାହିଁ । ଏହା ସରକାରଙ୍କର ବିଧାନସଭା ପ୍ରତି ବିଶ୍ୱାସଘାତକତା । ଏହା ଚାଷୀ ଓ ବିଧାୟକ ମାନଙ୍କ ପ୍ରତି ବେଇମାନୀ ବୋଲି ସେ କହିଛନ୍ତି । କାନ୍ଥକୁ କହିବା ପାଇଁ ବା ବାଚସ୍ପତିଙ୍କୁ ଶୁଣାଇବା ପାଇଁ ଗୃହରେ ଆଲୋଚନା ହୁଏ ନାହିଁ । ସରକାର ଦେଇଥିବା ପ୍ରତିଶ୍ରୁତିକୁ ପାଳନ କରାଇବା ଦାୟିତ୍ୱ ବାଚସ୍ପତିଙ୍କର । ବିଧାୟକ ମାନଙ୍କ ସୁରକ୍ଷା ଦେବା ମଧ୍ୟ ବାଚସ୍ପତିଙ୍କ ଦାୟିତ୍ୱ । ତେଣୁ ଏହା ଉପରେ ବାଚସ୍ପତି ଚାହିଁଲେ ନିଜ ଆଡୁ ସ୍ୱାଧୀକାର ଭଙ୍ଗ ମୋସନ ଆଣି ପାରିବେ । ବିଭିନ୍ନ ଜିଲ୍ଲାରୁ ତାଙ୍କ ନିକଟକୁ ଧାନ କିଣା ନ ଯାଉଥିବା ନେଇ ସୂଚନା ଆସିଛି । ଗଣମାଧ୍ୟମରେ ଗାଈ ଧାନ ଖାଉ ଥିବାର ଖବର ଫଟୋ ସହ ପ୍ରକାଶିତ ହୋଇଛି । ଚାଷୀ, ଓଡିଶାବାସୀ ଓ ଗୃହ ପ୍ରତି ପ୍ରତାରଣା କରା ନ ଯାଉ ବୋଲି ସେ କହିଛନ୍ତି ।
ବିଜେପି ବିଧାୟକ ଜୟ ନାରାୟଣ ମିଶ୍ର କହିଛନ୍ତି ଯେ ଗୃହର ନିଷ୍ପତି, ମନ୍ତ୍ରୀଙ୍କ ପ୍ରତିଶ୍ରୁତି ଓ ବାଚସ୍ପତିଙ୍କ ନିର୍ଦେଶକୁ କାର୍ଯ୍ୟକାରୀ କରା ଯାଉ ନାହିଁ । ଏବେ ବି ଧାନ ମଣ୍ଡି ଓ ଖଳାରେ ଧାନ ପଡି ରହିଛି । ସେମାନଙ୍କର ସ୍ଥିତି ଖରାପ ହୋଇଛି । ଯଦି ସରକାରଙ୍କ ଘୋଷଣା କାର୍ଯ୍ୟକାରୀ ହେବ ନାହିଁ ତେବେ ବିଧାନସଭା ଚାଲିବ କାହିଁକି ବୋଲି ସେ ପଶ୍ନ କରିଛନ୍ତି । କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନିପତି କହିଥିଲେ ଯେ ଶାସକ ଦଳର ସଭ୍ୟ ମାନେ ଧାନ କିଣା ସମସ୍ୟା ନେଇ ଉଦବେଗ ପ୍ରକାଶ କରିଛନ୍ତି । ସେମାନେ ଲବିରେ ତାଙ୍କ ସହ ଆଲୋଚନା ବେଳେ ଏହାକୁ ନେଇ ଚିନ୍ତା ବ୍ୟକ୍ତ କରୁଛନ୍ତି । ଶାସକ ଦଳରେ ଥିବା କାରଣରୁ ସେମାନେ ବିରୋଧ କରି ପାରିବେ ନାହିଁ ବୋଲି ସେମାନେ କହୁୁଛନ୍ତି । ତେଣୁ ଆପଣ ମାନେ ଚାଷୀ ମାନଙ୍କ ପାଇଁ ଲଢନ୍ତୁ ବୋଲି ସେମାନେ ଆମକୁ କହୁଛନ୍ତି । ଧାନ କିପରି ଚାଷୀ ମାନଙ୍କ ଠାରୁ କିଣା ଯିବ ସେ ନେଇ ବାଚସ୍ପତି ଐତିହାସିକ ନିଷ୍ପତି ନିଅନ୍ତୁ ବୋଲି ସେ ବାଚସ୍ପତିଙ୍କୁ ଅନୁରୋଧ କରିଛନ୍ତି । ଧାନ କିଣା ନ ହେବା ଯାଏ ଗୃହ ଚାଲି ପାରିବ ନାହିଁ ବୋଲି ସେ କହିଛନ୍ତି ।
ସନ୍ତୋଷ ସିଂହ ସାଲୁଜା କହିଥିଲେ ଯେ କଟନି ଛଟନି ବନ୍ଦ କରିବା ସହ ସେକ୍ରେଟରୀ ଓ ଅନ୍ୟ ମାନେ ଯେଉଁ ମାନେ ଦୁର୍ନୀତିରେ ସାମିଲ ଅଛନ୍ତି ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ଯାଉ ।
ବିରୋଧୀ ଦଳର ନେତା ପ୍ରଦୀପ୍ତ ନାଏକ କହିଥିଲେ ଯେ ଧାନର ସମସ୍ୟା ସବୁ ବର୍ଷ ଲାଗି ରହିବା ଦୁର୍ଭାଗ୍ୟଜନକ । ସଂସଦରେ ଭର୍ତୃହରି ମହତାବ ଓଡିଶାରେ ଧାନ କିଣା ନ ଯିବାକୁ ନେଇ ପ୍ରଶ୍ନର ଉତରରେ କେନ୍ଦ୍ର ସରକାର କହିଛନ୍ତି ଯେ ସମସ୍ତ ଧାନକୁ କିଣା ଯିବ । ତେବେ ରାଜ୍ୟ ସରକାର କିଣୁ ନାହାନ୍ତି କାହିଁକି ବୋଲି ସେ ପ୍ରଶ୍ନ କରିଥିଲେ । ସେ କହିଛନ୍ତି ଯେ ସରକାର ତାଙ୍କ ପ୍ରତିଶ୍ରୁତି କିପରି ପାଳନ କରିବେ, ଧାନ କିପରି କିଣା ଯିବ ତଥା ବିଧାନସଭାରେ ଏହି ପ୍ରସଙ୍ଗରେ କିପରି ଆଉ ଆଲୋଚନା ନ ହେବ ସେ ନେଇ ଆବଶ୍ୟକ ପଦକ୍ଷେପ ନେବାକୁ ସେ ଦାବି କରିଥିଲେ । ଏ ନେଇ ସର୍ବଦଳୀୟ ବୈଠକ ଡାକି ଠୋସ ପଦକ୍ଷେପ ନେବାକୁ ସେ ଦାବି କରିଥିଲେ । ବିଜେପି ବିଧାୟକ କୁସୁମ ଟେଟେ କହିଥିଲେ ଯେ ବିଧାନସଭା ପ୍ରଥମ ପର୍ଯ୍ୟାୟ ଅଧିବେଶନ ପରେ ନିଜ ବିଧାନସଭା ଅଂଚଳକୁ ଗଲା ପରେ ଧାନ କିଣା ନ ହେଉଥିବା ଦେଖିଲୁ । ଚାଷୀ ମାନେ ତାଙ୍କ ଘରକୁ ଧାନ ଧରି ଆସିେଲେ । ତେଣୁ ସେ ଜିଲ୍ଲାପାଲଙ୍କୁ ଏ ନେଇ ଜଣେଇଲା ପରେ ମଧ୍ୟ କିଛି ହେଲା ନାହିଁ । ବିଜେପି ବିଧାୟକ ମୋହନ ଚରଣ ମାଝୀ କହିଥିଲେ ଯେ ମୁଖ୍ୟମନ୍ତ୍ରୀ ବରଗଡ ଠାରେ ଚାଷୀ ମାନଙ୍କୁ ବୋନସ ଦେବା କଥା କହିଥିଲେ ତାହାକୁ ପାଂଚ ବର୍ଷ ବିତି ଗଲେ ସୁଦ୍ଧା କାର୍ଯ୍ୟକାରୀ ହେଲା ନାହିାଁ ଚାଷୀ ମାନଙ୍କ ଠାରୁ ଧାନ କିଣା ସମସ୍ୟା ଏକ ଉଦବେଗର ବିଷୟ ହୋଇଛି । ବିଜେପି ବିଧାୟକ ଭାସ୍କର ମଢେଇ ବିଧାୟକ ଓ ମନ୍ତ୍ରୀ ମାନେ ଲବିରେ ତାଙ୍କ ସହ କଥାବାର୍ତା ହେବା ବେଳେ ଧାନ କିଣା ନ ହେବାକୁ ନେଇ ଚିନ୍ତା ପ୍ରକଟ କରୁଛନ୍ତି । ସେମାନେ ଶାସକ ଦଳରେ ଥିବାରୁ ସେମାନେ ବର୍ତମାନ ଅସହାୟ ଅବସ୍ଥାରେ ଅଛନ୍ତି । ଯଦି ଧାନ କିଣା ନ ଯିବା ତେବେ ଭବିଷ୍ୟତରେ ଅବସ୍ଥା ଆହୁରି ଶୋଚନୀୟ ହେବ । ଏହା ପରେ ଗୃହର ଉଦହେବଗକୁ ଲକ୍ଷ୍ୟ କରି ବାଚସ୍ପତି ଶ୍ରୀ ପାତ୍ର ଧାନ କିଣା ସମସ୍ୟାର ସ୍ଥାୟୀ ସମାଧାନ ନେଇ ଗୃହରେ ଏକ ବିବୃତି ରଖିବାକୁ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀଙ୍କୁ ନିର୍ଦେଶ ଦେଇଥିଲେ ।
ବିିରୋଧୀ ଦଳର ସଦସ୍ୟ ମାନେ ଏଥିରେ ସନ୍ତୁଷ୍ଟ ନ ହୋଇ ହଟ୍ଟଗୋଳକୁ ଜାରୀ ରଖିଥିଲେ । ବାଚସ୍ପତି ବାଧ୍ୟ ହୋଇ ଗୃହକୁ ୧୨.୧୫ରୁ ଅପରାହ୍ନ ୪ଟା ଯାଏ ମୁଲତବୀ ରହିଲା ବୋଲି ଘୋଷଣା କରିଥିଲେ ।