ମାଲକାନଗିରି, ମାଲକାନଗିରି ଜିଲ୍ଲା ମାଥିଲି ଥାନା ଅନ୍ତର୍ଗତ କର୍ତନପାଲି ପଚାଂୟତ ସ୍ଥିତ ଗୋଗାପଦର ଠାରେ ଆଜି ସକାଳେ ଏକ ଲ୍ୟାଣ୍ଡ ବିସ୍ଫୋରଣରେ ଜଣେ ବିଏସଏଫ ଯବାନ ଗୁରୁତର ଆହତ ହୋଇଥିବା ଜଣାପଡିଛି ।
ପ୍ରାପ୍ତ ସୂଚନା ମୁତାବକ, କର୍ତନପାଲି ଠାରେ ମାଓ ଦମନ ପାଇଁ ମୁତୟନ ହୋଇଥିବା ସୀମା ସୁରକ୍ଷା ବଳର ଯବାନ ମାନେ ଆଜି ସକାଳୁ ଏରିଆ ଡୋମିନେସନ ପାଇଁ ଗୋଗାପଦର ଅଂଚଳକୁ ଯାଉଥିବା ବେଳେ ରାସ୍ତାରେ ମାଓବାଦୀ ମାନେ ଯବାନଙ୍କୁ ଟାର୍ଗେଟ୍ କରି ଖଞ୍ଜିଥିବା ଲ୍ୟାଣ୍ଡମାଇନ୍ ବିସ୍ଫୋରଣ ହୋଇଥିଲା । ଏହି ବିସ୍ଫୋରଣରେ ଜଣେ ଯବାନ ଗୁରୁତର ଭାବେ ଆହତ ହୋଇଛନ୍ତି । ଆହତ ଯବାନଙ୍କ ନାମ ଧର୍ମେନ୍ଦ୍ର ସାହୁ ବୋଲି ଜଣାପଡିଛି । ଚିକିତ୍ସା ନିମନ୍ତେ ତାଙ୍କୁ ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଯାଇଛି ।
ଅନ୍ୟପକ୍ଷରେ ବିସ୍ଫୋରଣ ପରେ ଯବାନଙ୍କ ପକ୍ଷରୁ ସମ୍ପୃକ୍ତ ଅଂଚଳରେ ମାଓବାଦୀଙ୍କୁ ଧରିବା ନିମନ୍ତେ ତଲାସୀ ଅଭିଯାନକୁ ଜୋରଦାର୍ କରାଯାଇଛି ।