
ମାଲକାନଗିରି-ଗତ ୨ ତାରିଖ ଠାରୁ ନକ୍ସଲଙ୍କ ପିଏଲଜିଏ ସପ୍ତାହ ଆରମ୍ଭ ହୋଇଛି। ଏହା ଆସନ୍ତା ୮ ତାରିଖ ପର୍ଯ୍ୟନ୍ତ ଚାଲିବ। ସ୍ୱାଭିମାନ ଅଂଚଳରେ ସବୁଠାରୁ ବେଶୀ ଅଘଟଣ ଘଟିବାର ଆଶଙ୍କା ରହିଥିବା ବେଳେ ଏଠାରେ ବିଏସ୍ଏଫ୍, ପୁଲିସ, ଏସ୍ଓଜି ଏବଂ ଡିଭିଏଫ ଯବାନଙ୍କ ତରଫରୁ ଜୋରଦାର କୁମ୍ବିଂ କରାଯାଉଛି। ନକ୍ସଲଙ୍କୁ କୌଣସି ଅଘଟଣ ଘଟାଇବା ସୁଯୋଗ ଦିଆଯାଉନାହିଁ। ଗୁଇନ୍ଦା ବିଭାଗ ଅତି ସତର୍କତାର ସହ କାମ କରୁଛି। ନକ୍ସଲଙ୍କର ପ୍ରତ୍ୟେକ ଗତିବିଧି ଉପରେ କଡ଼ା ନଜର ରଖିଛି ସୁରକ୍ଷା ବାହିନୀ। ତେବେ ସ୍ୱାଭିମାନ ଅଂଚଳକୁ ଯୋଡ଼ୁଥିବା ଗୁରୁପ୍ରିୟା ସେତୁର ସୁରକ୍ଷା ସବୁଠାରୁ ଅଧିକ କରାଯାଇଛି । କୌଣସି କ୍ଷେତ୍ରରେ ସୁରକ୍ଷାରେ ଯଦି ଢିଲା ହୁଏ ତେବେ ମାଓବାଦୀ ଏଠାରେ ବଡ ଅଘଟଣ ଘଟାଇବାରେ ସଫଳ ହେବେ। କୌଣସି ମୂହୁର୍ତ୍ତରେ ମଧ୍ୟ ଗୁରୁପ୍ରିୟାକୁ ଟାର୍ଗେଟ କରିପାରନ୍ତି। ସେତୁର ଦୁଇ ପଟେ ବିଏସ୍ଏଫ୍ ଯବାନ ଯିବା ଆସିବା କରୁଥିବା ଲୋକଙ୍କର ଯାଞ୍ଚ କରୁଛନ୍ତି । ଗୁରୁପ୍ରିୟାରେ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ସଂଧ୍ୟା ହେବା ମାତ୍ରେ ଗୁରୁପ୍ରିୟାରେ ଲାଗିଥିବା ଲାଇଟଗୁଡିକ ଝଲସି ଉଠିଥିଲା। ସ୍ୱାଭିମାନ ଅଂଚଳ ପାଇଁ ଏହା ସଂପର୍କର ସେତୁ ହୋଇଥିବାରୁ ସରକାର ଏହାକୁ ଅତି ଗୁରୁତ୍ୱର ସହ ନେଇଛନ୍ତି। ଯବାନ ଗୁରୁପ୍ରିୟାର ଚାରିଆଡେ ପଇଁତରା ମାରିବା ସହ ଯବାନ ସେତୁ ତଳେ ମଧ୍ୟ ବୁଲୁଥିବା ଦେଖିବାକୁ ମିଳିଛି। କିଛି ସ୍ଥାନରେ ଯବାନ ଦୂରବୀକ୍ଷଣ ଯନ୍ତ୍ର ସାହାଯ୍ୟରେ ମାଓବାଦୀ ଙ୍କ ଗତିବିଧିକୁ ତଦାରଖ କରୁଥିବା ଦେଖିବାକୁ ମିଳିଛି। ଗୁରୁପ୍ରିୟାରେ ସୁରକ୍ଷା ବ୍ୟବସ୍ଥା ଏତେ କଡାକଡି କରାଯାଇଛି ଯେ ଏଠାକୁ ମାଓବାଦୀ ଆସିବା ପୂର୍ବରୁ ଶହେ ଥର ଚିନ୍ତା କରିବେ। ଏଠାରେ ସିସିଟିଭିର ବ୍ୟବସ୍ଥା ମଧ୍ୟ କରାଯାଇଛି। ଦୂରଦୂରାନ୍ତ ପର୍ଯ୍ୟନ୍ତ ଲାଇଟର ବ୍ୟବସ୍ଥା କରାଯାଇଛି। ଦୁଇ ଘଣ୍ଟାରୁ ପାଞ୍ଚ ଘଣ୍ଟା ଗୋଟିଏ ଦଳ ସେତୁକୁ ଜଗି ରହିଥିବା ବଳେ ଏହା ପରେ ଆଉ ଏକ ଦଳ ଏହାର ସୁରକ୍ଷା ବ୍ୟବସ୍ଥା ହାତକୁ ନେଇଥାଏ। ରାତିରେ ସେତୁ ନିକଟରେ ହେଉଥିବା ଗତିବିଧିକୁ ସୁରକ୍ଷାକର୍ମୀ ଟିକିନିଖି ଯାଞ୍ଚ କରୁଥିବା ଦେଖିବାକୁ ମିଳିଛି। କୌଣସି ବି ହଲଚଲ ହେଲେ ସୁରକ୍ଷାକର୍ମୀ ତୁରନ୍ତ ନିଜ ପୋଜିସନ ନେଇଯାନ୍ତି। ସେତୁରେ ଲାଗିଥିବା ଲାଇଟଗୁଡିକ ଏପରି ଝଲସୁଛି ଯେ ରାତିରେ ଦିନର ଭ୍ରମ ସୃଷ୍ଟି କରୁଛି। ପେପରମେଟଲା ଥାନା ଅଧିକାରୀ ଲକ୍ଷ୍ମୀନାରାୟଣ ମୁଦୁଲିଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଏହି ଅଂଚଳରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଉଛି। ସେତୁ ନିକଟରେ କୌଣସି ଅଘଟଣ ହେଲେ ସେ ତୁରନ୍ତ ପହଞ୍ଚିଯାନ୍ତି। ସ୍ୱାଭିମାନ ଅଂଚଳରେ ଏବେ ବିକାଶର ଧାରା ଜୋରସୋରରେ ଚାଲିଥିବା ବେଳେ ଏଥିପାଇଁ ସେତୁ ହିଁ ମୁଖ୍ୟ ଭୁମିକା ଗ୍ରହଣ କରୁଛି। ସ୍ୱାଭିମାନ ଅଂଚଳର ୧୫୧ ଗ୍ରାମର ପ୍ରାୟ ୩୦ ହଜାରରୁ ଉର୍ଦ୍ଧ୍ଵ ଲୋକଙ୍କ ଲାଇଫ ଲାଇନ କୁହଯାଉଥିବା ଗୁରୁପ୍ରିୟା ସେତୁକୁ ସରକାର ଅତି ଗୁରୁତ୍ୱର ସହ ନେଇ ଏହାର ସୁରକ୍ଷାକୁ ବଢାଇ ଦେଇଛନ୍ତି। ପିଏଲଜିଏରେ ମାଓ ସଂଗଠନ କିଛି ବି ଘଟାଇବାର ସମ୍ଭାବନାକୁ ଏଡାଇ ଦିଆଯାଇନପାରେ। ତେଣୁ ଏକ କିଲୋମିଟର ବିଶିଷ୍ଟ ଏହି ସେତୁରେ ରାତିରେ ମଧ୍ୟ ସୁରକ୍ଷାକର୍ମୀ ପଇଁତରା ମାରୁଥିବା ଦେଖିବାକୁ ମିଳିଥିଲା। ଲୋକେ ରାତିରେ ଯଦି ସେତୁ ପାର ହୁଅନ୍ତି ତେବେ ପ୍ରତ୍ୟେକ ସ୍ଥାନରେ ଯାଞ୍ଚର ସାମ୍ନା କରିବାକୁ ପଡିଥାଏ। ତେବେ ଦିନ ଅପେକ୍ଷା ରାତିରେ ବିପଦ ଅଧିକା ରହିଥିବାରୁ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି। ନିଜ ପାଖରେ ପରିଚୟ ପତ୍ର ନଥିଲେ ସୁରକ୍ଷାକର୍ମୀ ସଂଦେହ ନଜରରେ ଦେଖନ୍ତି। ତେଣୁ ଏହି ସମୟରେ ଅତି ସତର୍କତା ଅବଲମ୍ବନକୁ ପ୍ରାଥମିକତା ଦିଆଯାଇଥିବା ସୁରକ୍ଷାକର୍ମୀ କହନ୍ତି। ଗୁରୁପ୍ରିୟା ସେତୁ ଯୋଗୁଁ ଆଜି ସ୍ୱାଭିମାନ ଅଂଚଳରେ ବିକାଶର ଚିହ୍ନ ଦେଖିବାକୁ ମିଳିଛି। ଲୋକଙ୍କ ନିକଟରେ ଶିକ୍ଷା, ସ୍ୱାସ୍ଥ୍ୟ ଓ ଗମନାଗମନର ସୁବିଧା ପହଁଞ୍ଚି ପାରିଛି!
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO