
ବାରିପଦା- ଧରା ପୃଷ୍ଠକୁ ଅବତରଣ କରିଛନ୍ତି ଜଗତ୍ ଜନନୀ ଦୁର୍ଗତି ନାସିନୀ କଲ୍ୟାଣମୟୀମା’ ମା ଦୁର୍ଗା । ଜଗଧାତ୍ରୀ ମା’ ଦୁର୍ଗା ଶକ୍ତି ସ୍ୱରୂପିଣି, ସେ ମଧ୍ୟ ଜଗଦମ୍ବା, ସିଂହ ବାହିନୀ ଓ ମହିଷାମର୍ଦ୍ଦିନୀ । ବାରିପଦା ପୌରପରିଷଦ ପରିସରରେ ରହିଥିବା ସମସ୍ତ ୨୬ ଗୋଟି ପୂଜାମଣ୍ଡପ ଗୁଡ଼ିକରେ ଶନିବାର ଘଟୋ ଉତୋଳନ, ବେଲବରଣ ସହ ନେତ୍ର ପ୍ରତିଷ୍ଠା ଆଦି କାର୍ଯ୍ୟକ୍ରମ ବିଧିବିଧାନ, ଶାସ୍ତ୍ର ଓ ପରମ୍ପରା ଅନୁସାରେ ସମାପନ ହୋବାପରେ ସପ୍ତମୀ ପୂଜା ଧୂମଧାମରେ ଶେଷ ହୋଇଥିଲା । ଏଥି ସହିତ ଆସନ୍ତାକାଲି ପୂଜା ମଣ୍ଡପଗୁଡ଼ିକରେ ମା’ଙ୍କ ମହାଅଷ୍ଟମୀ ପୂଜା ଅନୁଷ୍ଠିତ ହେବାକୁ ଯାଉଛି ।
ବାରିପଦା ସହରରେ ସାର୍ବଜନୀନ ଦୁର୍ଗାପୂଜା ପେଣ୍ଡେଲ ଓ ମଣ୍ଡପଗୁଡ଼ିକରେ ସାଧାରଣତଃ ପୂଜା ପାଇଥାନ୍ତି ମୃଣ୍ମୟୀ ଦେବୀ ଦଶଭୂଜା ଓ ସିଂହବାହିନୀ ‘ମା ଦୁର୍ଗା’ । ଶନିବାର ପୂର୍ବାହ୍ନରୁ ପୌରପରିଷଦ ପୂଜା ମଣ୍ଡପ, ସହିଦ ପଡ଼ିଆ, ଷ୍ଟେସନ ବଜାର, ବାରିପଦା ଟାଉନ ଥାନା ସମ୍ମୁଖ, ଫେଜାର ହଷ୍ଟେଲ, ଜିଲା କୋଷାଗାର ସମ୍ମୁଖ, ମୁର୍ଗାବାଡ଼ି ଗୋଲେଇ, ସୁନାମୁହିଁ, ତୁଳସୀଚୌରା, ପାଲବଣିଗୋଲେଇ, କୃଷ୍ଣ ଚନ୍ଦ୍ର ଗୋଲେଇ, ଦାରୋଗାଡାହି ଗୋଲେଇ, ଭଞ୍ଜପୁର, କମଳା ନେହେରୁ ବାଳିକା ବିଦ୍ୟାଳୟ ସମ୍ମୁଖ, ଲାଲବଜାର ଛକ, ତକତପୁର, ମଧୁବନ ମିନି ଷ୍ଟାଡ଼ିୟମ ନିକଟ, ବାବୁସାହି କିଚକେଶ୍ୱରୀ ମନ୍ଦିର ଫାଟକ ନିକଟ, ମଧୁବନ ବାରୁଣୀରୋଡ଼ ଓ ତେନ୍ତୁଳିଡିଙ୍ଗା ଦୁର୍ଗାପୂଜା ମଣ୍ଡପ ସହିତ ବଡ଼ବଜାର କଲେଜ ଛକ ଓ ଅମ୍ବିକା ମନ୍ଦିର ସାହି ତିନିକୋଣିଆ ଦୋଳି ପଡ଼ିଆଠାରେ ହରପାର୍ବତୀ ଏବଂ ବଡ଼ବଜାର ଶୀତଳା ମନ୍ଦିର ସମ୍ମୁଖ ପୂଜା ମଣ୍ଡପରେ ମା ବନଦୁର୍ଗାଙ୍କ ନିକଟରେ ପୂଜାର୍ଚ୍ଚନା ନିମନ୍ତେ ପୂଜା ମଣ୍ଡପଗୁଡ଼ିକରେ ଶ୍ରଦ୍ଧାଳୁମାନଙ୍କର ଭିଡ଼ ପରିଲକ୍ଷିତ ହୋଇଥିଲା ।
ବିଶେଷ ଭାବେ ପୂଜା ବଜାରରେ ସହର ତଥା ଆଖପାଖ ଅଂଚଳର ଜନସାଧାରଣଙ୍କ ମୁଖ୍ୟ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟି ଥିଲା ତୁଳସୀଚୌରା ଓ ପାଲବଣି ପୂଜା ମଣ୍ଡପ । ଏହି ଦୁଇ ପୂଜା କମିଟି ପକ୍ଷରୁ ପ୍ରତ୍ୟେକ ବର୍ଷ ଭିନ୍ନଭିନ୍ନ ଆକୃତିର ପେଣ୍ଡେଲ ଓ ତୋରଣ ନିର୍ମାଣ କରାଯାଇ ଭକ୍ତ ତଥା ଦର୍ଶକମାନଙ୍କ ଦ୍ୱାରା ଉଚ୍ଛସିତ ଭାବେ ପ୍ରସଂଶିତ ହୋଇ ଆସୁଛି । ତୁଳସୀଚୌରା ପୂଜା କମିଟି ପକ୍ଷରୁ ଚଳିତ ବର୍ଷ ପଶ୍ଚିମବଙ୍ଗ ରାଜ୍ୟ ନଦିଆସ୍ଥିତ ମାୟାପୁର ମନ୍ଦିର ଭ୍ରମ ସୃଷ୍ଟି କରିପାରିବା ଭଳି ମଣ୍ଡପ ଓ ପାଲବଣି ପୂଜାକମିଟି ପକ୍ଷରୁ ନୂଆଦିଲ୍ଲୀସ୍ଥିତ ଭଗବାନ ବିଷ୍ଣୁ ମନ୍ଦିର ଭଳି ମଣ୍ଡପ ନିର୍ମାଣ କରାଯାଇଛି । ବାରିପଦା ପୌରପରିଷଦରେ ସୂର୍ଯ୍ୟଦେବଙ୍କ ଅସ୍ତ ହେବା ପରେ ରଙ୍ଗ ବେରଙ୍ଗ ଆଲୋକ ମାଳାର ଦୃଶ୍ୟ ମଧ୍ୟ ପାରିପାଶ୍ୱର୍ିକ ଅବସ୍ଥା ଓ ପରିବେଶକୁ ଅତ୍ୟନ୍ତ ମନୋରମ କରି ଗଢ଼ିତୋଳି ଭକ୍ତି ଭାବନାରେ ଶ୍ରଦ୍ଧାଳୁମାନଙ୍କୁ ବିମୋହିତ କରାଉଥିବାର ପରିଲକ୍ଷିତ ହୋଇଛି । ସେହିପରି ତେନ୍ତୁଳିଡ଼ିଙ୍ଗାର ନିଆରା ପୂଜା ମଣ୍ଡପରେ କେବଳ ଓଡ଼ିଶା ନୁହେଁ ପୃଥିବୀରେ ଭାଇଚାରା, ବନ୍ଧୁତ୍ୱ ଓ ପ୍ରେମର ଗଭୀର ନିଦର୍ଶନ ଦେଖିବାକୁ ମିଳିଛି ।