

ସଂସ୍କୃତି ମନ୍ତ୍ରଣାଳୟ ପ୍ରଶାସନିକ ନିୟନ୍ତ୍ରଣରେ ଥିବା ସମସ୍ତ ସଂଗ୍ରହାଳୟ ଓ କଳା ଗ୍ୟାଲେରୀଗୁଡ଼ିକ ଏକ ଆଦେଶ ବଳରେ ଗତ ମାର୍ଚ୍ଚ ମାସଠାରୁ ବନ୍ଦ ରହିଛି । ପର୍ବପର୍ବାଣିକୁ ଦୃଷ୍ଟିରେ ରଖି ଆସନ୍ତା 10 ତାରିଖଠାରୁ ସମସ୍ତ ସଂଗ୍ରହାଳୟ ଓ କଳା ଗ୍ୟାଲେରୀଗୁଡ଼ିକୁ ଖୋଲିବା ପାଇଁ ନିଷ୍ପତ୍ତି ନିଆଯାଇଛି । ଏହାଫଳରେ ଜନସାଧାରଣ ପୁଣି ଥରେ ଦେଶର ସମୃଦ୍ଧ ସାଂସ୍କୃତିକ ଐତିହ୍ୟ ସମ୍ପର୍କରେ ଜାଣିବାର ସୁଯୋଗ ପାଇବେ । କେନ୍ଦ୍ର ସ୍ଵରାଷ୍ଟ୍ର ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ସମୟକ୍ରମେ ଅନଲକ ମାର୍ଗଦର୍ଶିକାମାନ ଜାରି କରାଯାଇଥାଏ । ଏହା ସମସ୍ତ କେନ୍ଦ୍ର ସରକାର ଓ ଅନ୍ୟାନ୍ୟ ପ୍ରତିଷ୍ଠାନ ପାଇଁ ଲାଗୁ ହେବା ସହ ସମ୍ପୃକ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ଆବଧାଞ୍ଚଳ ବିଜ୍ଞପ୍ତି ମଧ୍ୟ ପ୍ରକାଶ ପାଇଥାଏ । ଗତ ଅଗଷ୍ଟ 30ରେ ଜାରି କରାଯାଇଥିବା ଅନଲକ 4.0 ମାର୍ଗଦର୍ଶିକା ଅନୁସାରେ ସାମାଜିକ, ଶୈକ୍ଷିକ, କ୍ରୀଡା, ମନୋରଞ୍ଜନ, ସାଂସ୍କୃତିକ, ଧାର୍ମିକ ଉତ୍ସବ ଓ ଅନ୍ୟାନ୍ୟ ସମାବେଶ ପାଇଁ ଆବଧାଞ୍ଚଳ ବାହାରେ 100 ଜଣ ପର୍ଯ୍ୟନ୍ତ ଏକତ୍ରିତ ହେବା ପାଇଁ ଅନୁମତି ଦିଆଯାଇଥିଲା । ତେବେ କୋଭିଡ-19ର ମାର୍ଗଦର୍ଶିକା ଯଥା ସାମାଜିକ ଦୂରତ୍ଵ ରକ୍ଷା ଓ ସାନିଟାଇଜେସନ ସହ ଏହା ସେପ୍ଟେମ୍ବର 21ରୁ ଲାଗୁ ହୋଇଥିଲା ।
ଅନଲକ 5.0 ଗତମାସ 30 ତାରିଖ ଦିନ ଜାରି କରାଯାଇଥିବା ବେଳେ ଏହା ଚଳିତ ମାସ 30 ତାରିଖ ପର୍ଯ୍ୟନ୍ତ ବଳବତ୍ତର ରହିବ । ସାଂସ୍କୃତିକ ପ୍ରତିଷ୍ଠାନ ପାଇଁ ମାର୍ଗଦର୍ଶିକାର ଆବଶ୍ୟକ ଆଇନକାନୁନ ନିମ୍ନୋକ୍ତ ମତେ ହେବ –
• ଶତକଡା 50 ପ୍ରତିଶତ ଉପସ୍ଥିତି ସହ ସିନେମା, ଥିଏଟର ଓ ମଲ୍ଟିପ୍ଲେକ୍ସଗୁଡିକ ଖୋଲିବାକୁ ଅନୁମତି ଦିଆଯାଇଛି । ତେବେ ଆବଧାଞ୍ଚଳ ବାହାରେ ଥିବା ଏଗୁଡିକ ଅକ୍ଟୋବର 15 ତାରିଖରୁ ଖୋଲିବାକୁ ଅନୁମତି ଦିଆଯାଇଥିବା ବେଳେ ଏଥିପାଇଁ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ ଏସଓପି ଜାରି କରାଯାଇଛି ।
• ମନୋରଞ୍ଜନ ପାଇଁ ଉଦ୍ୟାନ ଓ ସେ ସମ୍ପର୍କିତ ସ୍ଥାନଗୁଡିକୁ ଅକ୍ଟୋବର 15ରୁ ଖୋଲିବା ପାଇଁ ଅନୁମତି ପ୍ରଦାନ କରାଯାଇ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ଏଥିପାଇଁ ଏସଓପି ଜାରି କରାଯାଇଛି ।
• କେବଳ ଆବଧାଞ୍ଚଳକୁ ଛାଡି ସର୍ବାଧିକ 100 ଜଣ ଲୋକଙ୍କୁ ନେଇ ସାମାଜିକ, ଶୈକ୍ଷିକ, କ୍ରୀଡା, ମନୋରଞ୍ଜନ, ସାଂସ୍କୃତିକ, ଧାର୍ମିକ, ରାଜନୈତିକ ଓ ଅନ୍ୟାନ୍ୟ ସମାରୋହ ନିମନ୍ତେ ଅନୁମତି ପ୍ରଦାନ କରାଯାଇଛି । 100ରୁ ଅଧିକ ଲୋକଙ୍କୁ ନେଇ ଆବଧାଞ୍ଚଳ ବାହାରେ ଅକ୍ଟୋବର 15ରୁ କେତେକ ସର୍ତ୍ତ ସହ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡିକୁ ସମାବେଶ ପାଇଁ ଅନୁମତି ମିଳିଛି ।
(କ) ଯେକୌଣସି ହଲରେ ସର୍ବାଧିକ 50 ପ୍ରତିଶତ ଉପସ୍ଥିତି ଓ 200 ଲୋକଙ୍କ ସମାବେଶ ପାଇଁ ଅନୁମତି ମିଳିଛି । ମୁହଁରେ ମାସ୍କ ପରିଧାନ ସହ ସାମାଜିକ ଦୂରତ୍ଵ ରକ୍ଷା, ଥର୍ମାଲ ସ୍କାନିଂ ସହ ହାଣ୍ଡ ୱାସ ଓ ସାନିଟାଇଜରକୁ ବାଧ୍ୟତାମୂଳକ କରାଯାଇଛି ।
(ଖ) ମୁକ୍ତାକାଶ ତଳେ ଆୟୋଜିତ ସମାବେଶ ପାଇଁ ସାମାଜିକ ଦୂରତ୍ଵ, ମାସ୍କ ପରିଧାନ, ଥର୍ମାଲ ସ୍କାନିଂ, ହାଣ୍ଡ ୱାସ ଓ ସାନିଟାଇଜର ବ୍ୟବହାର ବାଧ୍ୟତାମୂଳକ କରାଯାଇଛି । ଏସବୁ ସମାରୋହରେ କଡାକଡି ଭାବେ ମାର୍ଗଦର୍ଶିକାର ଅନୁପାଳନ ପାଇଁ ସମ୍ପୃକ୍ତ ରାଜ୍ୟ ଓ କେନ୍ଦ୍ର ସରକାରମାନେ ବିସ୍ତୃତ ଏସଓପି ଜାରି କରିବେ ।