
ଗଞ୍ଜାମ – ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ଗୋପପୁର ଗ୍ରାମରେ ୬ ଜଣଙ୍କୁ ଗୁଣିଆ ସନ୍ଦେହରେ ନିର୍ଯ୍ୟାତନା ଓ ଆକ୍ରମଣ ଅଭିଯୋଗରେ ଜଣେ ପ୍ରାଥମିକ ସ୍କୁଲର ଶିକ୍ଷକଙ୍କୁ ପୋଲିସ ଗିରଫ କରି କୋର୍ଟଚାଲାଣ କରିଛି । ଗିରଫ ଶିକ୍ଷକ ହେଲେ ଗୋପପୁର ହରିଜନ ସାହିର କଂଗ୍ରେସ ଦାସ । ସେ ବେଗୁନିଆପଡା ବ୍ଲକ ବୁରୁଝରୀ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକତା କରନ୍ତି । ଶିକ୍ଷକଙ୍କୁ ମିଶାଇ ମାମଲାରେ ଗିରଫଦାରୀ ସଂଖ୍ୟା ୩୫ ରେ ପହଂଚିଲାଣି । ସୂଚନା ମୁତାବକ, ଗତ ୩୦ ତାରିଖରେ ଏହି ଗ୍ରାମର ହରି ନାହାକ, ସନ୍ୟା ନାହାକ, ରଙ୍କ ନାହାକ, ଦୁର୍ଯ୍ୟ ନାହାକ, ଯୋଗୀ ନାହାକ, ଯୋଗିନ୍ଦ୍ର ନାହାକଙ୍କୁ ଗୁଣି କରୁଥିବା ଅଭିଯୋଗରେ ଗ୍ରାମବାସୀ ସ୍ପଷ୍ଟ ଦିବା ଲୋକରେ ସଂଘବଦ୍ଧ ଭାବେ ଆସି ଗାଁ ଦାଣ୍ଡରେ ନିସ୍ତୁକ ମାଡ଼ ମାରିବା ସହ ସେମାନଙ୍କର ଦାନ୍ତ ଭାଙ୍ଗି ବିଷ୍ଟା ଖୁଆଇଥିଲେ । ପୋଲିସ ଖବର ପାଇ ଗାଁରେ ପହଂଚି ଆହତ ଅବସ୍ଥାରେ ସେମାନଙ୍କୁ ଉଦ୍ଧାର କରି ଖଲ୍ଲିକୋଟ ଡାକ୍ତରଖାନାରେ ଭର୍ତି କରିଥିଲା । ଖଲ୍ଲିକୋଟ ଥାନା ପକ୍ଷରୁ ଏ ସଂକ୍ରାନ୍ତରେ ୨୫୬/୧୯ ରେ ଏକ ମାମଲା ରୁଜୁ ହୋଇଥିଲା । ଘଟଣା ଦିନ ହିଁ ଏଥିରେ ଜଡ଼ିତ ଥିବା ୨୯ ଜଣଙ୍କୁ ପୋଲିସ ଗିରଫ କରି କୋର୍ଟଚାଲାଣ କରିଥିଲା । ଗତକାଲି ଅନ୍ୟ ୫ ଜଣଙ୍କୁ ପୋଲିସ ଗିରଫ କରି କୋର୍ଟଚାଲାଣ କରିଥିଲା । ପରବର୍ତୀ ସମୟରେ ଶିକ୍ଷକଙ୍କ ଗିରଫଦାରୀ ପରେ ମାମଲାରେ ମୋଟ୍ ଗିରଫ ସଂଖ୍ୟା ୩୫ ରେ ପହଂଚିଛି ।