-
ଓଡ଼ିଶାରୁ ଏହି ମାସରେ ସଂଗୃହୀତ ଜିଏସ୍ଟି ପରିମାଣ 2,419 କୋଟି ଟଙ୍କା
-
ଗତବର୍ଷ ଅକ୍ଟୋବର ତୁଳନାରେ ଚଳିତବର୍ଷ ଏହି ମାସରେ ଓଡ଼ିଶାରୁ 21 ଶତାଂଶ ଅଧିକ ଜିଏସ୍ଟି ଆଦାୟ ହୋଇଛି
ନୂଆଦିଲ୍ଲୀ,2020 ଅକ୍ଟୋବରର ମାସରେ ଓଡିଶା ସମେତ ସମଗ୍ର ଦେଶରେ ମୋଟ ଜିଏସ୍ଟି ରାଜସ୍ୱ ସଂଗ୍ରହ 1,05,155 କୋଟି ଟଙ୍କା ହୋଇଛି । ସେଥିମଧ୍ୟରୁ ସିଜିଏସ୍ଟି ପରିମାଣ 19,193 କୋଟି ଟଙ୍କା, ଏସ୍ଜିଏସ୍ଟି 25,411 କୋଟି ଓ ଆଇଜିଏସ୍ଟି ପରିମାଣ 52,540 କୋଟି ଟଙ୍କା ଥିବା ସରକାରୀଭାବେ ଜଣାପଡିଛି । ଏଥିରେ ଆମଦାନୀ ସାମଗ୍ରୀ ଉପରୁ ସଂଗୃହୀତ ଟିକସ ରାଜସ୍ୱର ପରିମାଣ 23,375 କୋଟି ଟଙ୍କା ଅନ୍ତର୍ଭୁକ୍ତ । ଏହାଛଡା ଏହି ମାସରେ ସାମଗ୍ରୀ ରପ୍ତାନୀ ଉପରୁ ଆଦାୟ 932 କୋଟି ଟଙ୍କାର ରାଜସ୍ୱ ସମେତ ମୋଟ 8,011କୋଟି ଟଙ୍କାର ସେସ୍ ବା ଉପକର ସଂଗୃହୀତ ହୋଇଛି । ଚଳିତବର୍ଷ ଅକ୍ଟୋବରର 31 ସୁଦ୍ଧା 80 ଲକ୍ଷ ଜିଏସ୍ଟିଆର-3ବି ରିଟର୍ଣ୍ଣ ଫାଇଲ କରାଯାଇଛି । ଓଡ଼ିଶାରୁ ଏହି ମାସରେ ମୋଟ 2,419 କୋଟି ଟଙ୍କାର ଜିଏସ୍ଟି ସଂଗୃହୀତ ହୋଇଛି । ଗତବର୍ଷ ଅକ୍ଟୋବରର ତୁଳନାରେ ଏହି ଜିଏସ୍ଟି ସଂଗ୍ରହ 21 ଶତାଂଶ ଅଧିକ । ଗତବର୍ଷ ଅକ୍ଟୋବରର ମାସରେ ଓଡିଶାରୁ 1994 କୋଟି ଟଙ୍କାର ଜିଏସ୍ଟି ଆଦାୟ ହୋଇଥିଲା ।
କରୋନା ମହାମାରୀ ଯୋଗୁଁ ଜିଏସ୍ଟି ଆଦାୟ ଗୁରୁତରଭାବେ ପ୍ରଭାବିତ ହୋଇଥିଲା । ଏ ବର୍ଷ ଜୁଲାଇ-ଅଗଷ୍ଟ ମାସରେ ଏହା ଧାର୍ଯ୍ୟ ଲକ୍ଷ୍ୟଠାରୁ ତଳେ ଥିଲା । ତେବେ ସେପ୍ଟେମ୍ବରରୁ ଏହା ଅଭିବୃଦ୍ଧି ପରଲକ୍ଷିତ ହୋଇଛି ।
ଚଳିତବର୍ଷ ଅକ୍ଟୋବରର ମାସରେ ଜିଏସଟି ବାବଦରେ ଯେଉଁ ଟିକସ ରାଜସ୍ୱ ଆଦାୟ ହୋଇଛି ତାହା ଗତବର୍ଷର ସେହିମାସ ତୁଳନାରେ 10 ଶତାଂଶ ଅଧିକ । ଏହି ସମୟ ମଧ୍ୟରେ ଆମଦାନୀ ସାମଗ୍ରୀ ଉପରୁ 9 ଶତାଂଶ ଅଧିକ ରାଜସ୍ୱ ଆଦାୟ ହୋଇଛି । ସେହିଭଳି ସେବା ଆମଦାନୀ ସମେତ ଘରୋଇ ମାଲପରିବହନ ଓ ଚାଲାଣ କ୍ଷେତ୍ରରେ ଆଦାୟ ହେଉଥିବା ଜିଏସ୍ଟି ରାଜସ୍ୱ ଗତବର୍ଷ ଅକ୍ଟୋବରର ତୁଳନାରେ 11 ଶତାଂଶ ଅଧିକ ବଢିଛି । ଜିଏସ୍ଟି ରାଜସ୍ୱର ଅଭିବୃଦ୍ଧି ଚଳିତବର୍ଷ ଜୁଲାଇ, ଅଗଷ୍ଟ ଓ ସେପ୍ଟେମ୍ବରରେ ଯଥାକ୍ରମେ -14%, -8% ଏବଂ 5 ଶତାଂଶ ଥିଲା । ଏଥିରୁ ଅର୍ଥନୀତିରୁ ପୁନରୁଦ୍ଧାର ଚିତ୍ର ସ୍ପଷ୍ଟ ପ୍ରତୀୟମାନ ହୁଏ । କ୍ରମଶଃ କାରବାର ବଢିବା ସହିତ ଜିଏସ୍ଟି ଆଦାୟ ମଧ୍ୟ ବଢିବାରେ ଲାଗିଛି ।