
ଭୁବନେଶ୍ୱର – ଜାତିର ପିତା ମହାତ୍ମା ଗାନ୍ଧୀ ୧୯୩୪ ମସିହା ମଇ ମାସ ୫ ତାରିଖରେ ଅବସ୍ଥାନ କରିଥିବା ବାମୁର୍ ଠାରେ ୧୫୦ତମ ଦୁଇଦିନିଆ ଜୟନ୍ତୀ ସମାରୋହ ସ୍ଥାନୀୟ ମହାତ୍ମା ଗାନ୍ଧୀ ମେମୋରିଆଲ ଟ୍ରଷ୍ଟ ଆନୁକୂଲ୍ୟରେ ଗତ ୨ ଓ ୩ ତାରିଖ ଦିନ ଆଠମଲ୍ଲିକ ବିଧାୟକ ରମେଶ ଚନ୍ଦ୍ର ସାଏଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ହୋଇଯାଇଛି । ୨ ତାରିଖ ପ୍ରତ୍ୟୁଷର ପ୍ରଭାତ ଫେରି, ସମୂହ ରାମଧୂନ ଗାୟନ ମଧ୍ୟରେ ଜାତିର ପିତାଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରାଯାଇ ମହୋତ୍ସବର ଅୟମାରମ୍ଭ କରାଯାଇଥିଲା । ୩ ତାରିଖ ଦିନ ଆୟୋଜିତ ଉତ୍ସବରେ ଓଡ଼ିଶା ବିଧାନସଭାର ଉପ ବାଚସ୍ପତି ରଜନୀକାନ୍ତ ସିଂହ ମୁଖ୍ୟ ଅତିଥି ଭାବରେ ଯୋଗଦାନ କରି ଉତ୍ସବକୁ ଉଦଘାଟନ କରିବା ସହ ଡାକ ବିଭାଗ ସହଯୋଗରେ ଆୟୋଜିତ ଡାକଟିକେଟ ପ୍ରଦର୍ଶନୀ, ଟ୍ରଷ୍ଟ ତରଫରୁ ବାମୁର୍ ଗାନ୍ଧୀ ପୀଠ ଉପରେ ସ୍ୱତନ୍ତ୍ର ଡାକ ଲଫାପା ଉନ୍ମୋଚନ କରିଥିଲେ । ଏହି ଉତ୍ସବରେ ପୂର୍ବତନ ପୂର୍ତସଚିବ ନଳିନୀକାନ୍ତ ପ୍ରଧାନ, ଅନୁଗୋଳ ଜିଲ୍ଲା ସାହିତ୍ୟ ସଂସଦ ସଭାପତି ଅଧ୍ୟାପକ କୁମୁଦ ଚନ୍ଦ୍ର ଦାସ, ଅନୁଗୋଳ ଜିଲ୍ଲାପାଳ ମନୋଜ କୁମାର ମହାନ୍ତି, ଓଡ଼ିଶା ଗ୍ରାମ୍ୟ ଗୃହ ନିର୍ମାଣ ଅଧ୍ୟକ୍ଷ ମୀନକେତନ ଅମାତ, ଆଠମଲ୍ଲିକ ଉପଜିଲ୍ଲାପାଳ ଡଃ ରଜନୀକାନ୍ତ ବିଶ୍ୱାଳ, ସମ୍ବଲପୁର ପୋଷ୍ଟ ମାଷ୍ଟର ଜେନେରାଲ ଲଳିତେନ୍ଦୁ ପ୍ରଧାନ, ଢେଙ୍କାନାଳ ଡାକମଣ୍ଡଳ ଅଧିକ୍ଷକ ବିପୀନ ବିହାରୀ ମହାନ୍ତି, ରାଜକିଶୋର ନଗର ଗୋଷ୍ଠୀ ଉନ୍ନୟନ ଅଧିକାରୀ ଅମୃତା ପ୍ରିୟମ୍ବଦା, କିଶୋରନଗର ବ୍ଲକ ଅଧ୍ୟକ୍ଷା ବବିତା ପ୍ରଧାନ, ଆଠମଲ୍ଲିକ ବ୍ଲକ ଅଧ୍ୟକ୍ଷା ମୀନାକ୍ଷୀ ଦଳେଇ, ଜିଲ୍ଲା ପରିଷଦ ସଭ୍ୟ ଅର୍ଜ୍ଜୁନ କୁମାର ପାଣ୍ଡେ ପ୍ରମୁଖ ନିଜ ବକ୍ତବ୍ୟରେ ସବୁ ସମୟରେ ଗାନ୍ଧୀ ବିଚାରଧାରା ହିଁ ବିଶ୍ୱଶାନ୍ତି, ପ୍ରତିଷ୍ଠାରେ ସହାୟକ ହୋଇରହିଛି ଓ ରହିବ । ଅତିଥିମାନେ ନିଜ ବକ୍ତବ୍ୟରେ ଦେଶର ସ୍ୱାଧୀନତା ପାଇଁ ଗାନ୍ଧୀଙ୍କ ତ୍ୟାଗ, ସତ୍ୟ, ଅହିଂସା, ଅସ୍ପୃଶ୍ୟତା ନିରାକରଣ, ନିଶାନିବାରଣ, କୁଟୀରଶିଳ୍ପୀ ବିଷୟରେ ମତଦେବା ସହ ଗାନ୍ଧୀଙ୍କ ବାମୁର ରହଣୀର ସ୍ମୃତିକୁ ମନେପକାଇ ଦେଇଥିଲେ । ଏହି ପୀଠକୁ ଆଗାମୀ ଦିନରେ ଉକ୍ରର୍ଷତାର କେନ୍ଦ୍ର କରାଯିବ ବୋଲି ମତ ଦେଇଥିଲେ । ଉତ୍ସବରେ ସମୂହ ରାମଧୂନ, ଦେଶାତ୍ମବୋଧକ ସଙ୍ଗୀତ ପରିବେଷଣ ସହିତ ପ୍ରାଚୀନ ଲୋକକଳା, ଓଡ଼ିଶୀ ସଂକୀର୍ତନ, ପାଲା, ଦଣ୍ଡନୃତ୍ୟ, ଗୋପାଳ ଓଗାଳ, ଲଉଡ଼ି, ରାମତାଳି ପରିବେଷଣ କରାଯାଇଥିଲା । ଶିଶୁ ସାହିତ୍ୟିକ ସଂଗ୍ରାମ କେଶରୀ ପୃଷ୍ଟି ଅତିଥି ପରିଚୟ ପ୍ରଦାନ କରିଥିଲାବେଳେ କିଶୋରନଗର ନାଟକ ମହାବିଦ୍ୟାଳୟ ଅଧ୍ୟକ୍ଷ ଅକ୍ଷୟ କୁମାର ଦାଶ ସ୍ୱାଗତ ଭାଷଣ ଦେଇଥିଲେ । ଟ୍ରଷ୍ଟର ସମ୍ପାଦକ ଗୋକୁଳାନନ୍ଦ ପ୍ରଧାନ ବାର୍ଷିକ ବିବରଣୀ ପଠନ ମାଧ୍ୟମରେ ବାମୁର ଗାନ୍ଧୀପୀଠକୁ ଦେଶର ଅଗ୍ରଣୀ ଗାନ୍ଧୀ ବିଚାରଧାରା ଅନୁଷ୍ଠାନରେ ପରିଣତ କରିବା ପାଇଁ ଅତିଥିମାନଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ଓ ଲବ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଳେ । ଏହି ଅବସରରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗୀମାନଙ୍କୁ ବ୍ଲକ ପ୍ରଶାସନ ତରଫରୁ ପୁରସ୍କୃତ କରାଯାଇଥିଲା । ଏହି ଉତ୍ସବରେ ଆଠମଲ୍ଲିକ ଉପଖଣ୍ଡ ସମେତ ଅନୁଗୋଳ, ବୌଦ୍ଧ, ରେଢାଖୋଲ ଓ ସମ୍ବଲପୁର ଅଂଚଳର ହଜାର ହଜାର ଗାନ୍ଧୀପ୍ରେମୀ ଜନସାଧାରଣ ଯୋଗଦାନ କରିଥିଲେ ।