ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାରେ କରୋନାର ପାର୍ଦୁଭାବ କମିଛି । କିନ୍ତୁ ସମ୍ପୂର୍ଣ୍ଣ ଭାବେ ଭୟ ଦୂର ହୋଇନାହିଁ । ତେଣୁ କରୋନା ମହାମାରୀକୁ ମୁକାବିଲା କରିବା ପାଇଁ ସମସ୍ତେ ସତର୍କ ରହିଲେ ଏହା ଠାରୁ ଦୂରରେ ରହିପାରିବା । ରେଶମ ସହର ବ୍ରହ୍ମପୁରରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ହ୍ରାସ ପାଉଥିଲେ ମଧ୍ୟ ଭୟ ଦୂର ହୋଇନାହିଁ । ତେଣୁ ଏହାକୁ ନିୟନ୍ତ୍ରଣରେ ରଖିବା ପାଇଁ ବିଏମ୍ସି କର୍ତ୍ତୃପକ୍ଷଙ୍କୁ ସହଯୋଗର ହାତ ବଢ଼ାଇବା ପାଇଁ ବିଏମ୍ସି କମିଶନର ସିଦ୍ଧେଶ୍ୱର ବାଳିରାମ ବନ୍ଦୋର ବିଏମ୍ସି ସମ୍ମିଳନୀ କକ୍ଷରେ ଆୟୋଜିତ ସମ୍ମିଳନୀ କକ୍ଷରେ ଏହି ସୂଚନା ଦେଇଛନ୍ତି । ଆସନ୍ତା ଦୁର୍ଗାପୂଜା ପାଇଁ ସହର ଭିଡ ରହିବ । ତେଣୁ ନିଜେ ସତର୍କ ରହିବା ସହ ଅନ୍ୟକୁ ସତର୍କ ରହିବା ପାଇଁ ପରାମର୍ଶ ଦେବାକୁ ସେ ସହରବାସୀଙ୍କୁୂ ଆହ୍ୱାନ କରିଛନ୍ତି । ତେଣୁ ଆସନ୍ତା ୧୨ତାରିଖ ଠାରୁ ୨୦ତାରିଖ ପର୍ଯ୍ୟନ୍ତ ବିଏମ୍ସି ଅଧିନରେ ୧୨୦ଟି ସ୍ୱାସ୍ଥ୍ୟ ଟିମ୍ ନିଗମର ୪୦ଟି ୱାର୍ଡରେ ଘରକୁ ଘର ବୁଲି ସ୍ୱାସ୍ଥ୍ୟ ଯାଞ୍ଚ କରିବ । ଅକ୍ସିମିଟର ଓ ଥର୍ମାମିଟର ସହ ଡାକ୍ତର, ଫାର୍ମାଶିଷ୍ଟ, ଏଏନ୍ଏମ୍, ନର୍ସ, ଅଙ୍ଗନୱାଡ଼ି କର୍ମୀ ଓ ସମ୍ପୃକ୍ତ ୱାର୍ଡର ସ୍ୱଚ୍ଛ ସାଥିଙ୍କୁ ନେଇ ଗଠିତ ଟିମ୍ ବିଏମ୍ସି ପକ୍ଷରୁ ଏହି ସ୍ୱତନ୍ତ୍ର ଅଭିଯାନରେ ସାମିଲ୍ ହେବେ ବୋଲି କମିଶନର ସୂଚନା ଦେଇଛନ୍ତି । ତେଣୁ ଆପଣଙ୍କ ଘର ନିକଟକୁ ଗଲେ ସ୍ୱାସ୍ଥ୍ୟ ଟିମ୍କୁ ସହଯୋଗ କରନ୍ତୁ ବୋଲି ସହରବାସୀଙ୍କୁ କମିଶନର ଅନୁରୋଧ କରିବା ସହ ନିଜ ନିଜ ଅଞ୍ଚଳରେ କରୋନା ମହାମାରୀରୁ ଦୂରରେ ରହିବା ପାଇଁ ସଚେତନତା ଉପରେ ଗୁରୁତ୍ୱ ଦେଇଛନ୍ତି । ଆବଶ୍ୟକ ପଡିଲେ ସହରରେ ପୁଣି ଦ୍ୱିତୀୟ ପର୍ଯ୍ୟାୟ ସେର ଟେଷ୍ଟ ଆରମ୍ଭ ହେବ ବୋଲି ସେ କହିଛନ୍ତି । ସେହିଭଳି ବ୍ୟବସାୟୀକ ପ୍ରତିଷ୍ଠାନମାନଙ୍କୁ ପ୍ରଶାସନର ପଞ୍ଚସୂତ୍ର ନିୟମ ପାଳନକରି ବ୍ୟବସାୟ କରିବାକୁ ପରାମର୍ଶ ଦେଇଛନ୍ତି । ବିଏମ୍ସି ଓ ପ୍ରଶାସନର ମିଳିତରେ ଗଠିତ ୪ଟି ଟିମ୍ ବ୍ୟବସାୟିକ ପ୍ରତିଷ୍ଠାନ ଉପରେ ନଜର ରଖିବେ । ଆସନ୍ତା ୧୨ତାରିଖ ଠାରୁ ପଞ୍ଚସୁୂତ୍ରୀ ନିୟମ ପାଳନ ଉପରେ ଗୁରୁତ୍ୱଦେଇ ଯାଞ୍ଚ ପ୍ରକ୍ରିୟାକୁ କଡାକଡି କରାଯିବ ବୋଲି ମଧ୍ୟ ସେ ସୂଚନା ଦେଇଛନ୍ତି । ଏହିସବୁ କାର୍ଯ୍ୟକ୍ରମକୁ ବିଏମ୍ସିର ୪ଜଣ ବରିଷ୍ଠ ଅଧିକାରୀଙ୍କୁ ନେଇ ୪ଟି ଟିମ୍ ଗଠନ କରାଯାଇଛି । ଏହି ଟିମ୍ ସ୍ୱାସ୍ଥ୍ୟ ଯାଞ୍ଚ କରୁଥିବା ସ୍ୱାସ୍ଥ୍ୟ ଟିମ୍କ କାର୍ଯ୍ୟର ତଦାରଖ କରିବେ । ବିଏମ୍ସି ପକ୍ଷରୁ ପୂର୍ବରୁ ୬ଟି ପର୍ଯ୍ୟାୟରେ ସହରବାସୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ଓ ଯାଞ୍ଚ କରାଯାଇଥିବା ବେଳେ ଏହା ସପ୍ତମ ପର୍ଯ୍ୟାୟରେ ସ୍ୱାସ୍ଥ୍ୟ ଯାଞ୍ଚ କରାଯିବ ବୋଲି ଜଣାପଡିଛି । ଏହାସହ ପୂର୍ବରୁ ଚିହ୍ନଟ ହୋଇଥିବା ବହୁରୋଗ ବିଶିଷ୍ଟ ବ୍ୟକ୍ତିବିଶେଷଙ୍କ ମଧ୍ୟ ପୁଣିଥରେ ସ୍ୱାସ୍ଥ୍ୟଯାଞ୍ଚ ହୋଇପାରିବ ବୋଲି ଜଣାପଡିଛି । ମାସ୍କ, ପଞ୍ଚସୂତ୍ର ନିୟମ ପାଳନକୁ ନେଇ ବ୍ରହ୍ମପୁର ଉପଜିଲ୍ଲାପାଳ, ତହସିଲଦାରଙ୍କୁ ନେଇ ଗଠିତ ଟିମ୍ ମଧ୍ୟ ଏଥିରେ ସାମିଲ୍ ହେବେ । ସେହିପରି ଯେଉଁ ସାହି ଗଳିକନ୍ଦିରେ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ସେହି ସାହିଗୁଡିକ ଉପରେ ମଧ୍ୟ ବିଏମ୍ସି ପକ୍ଷରୁ ନଜର ରଖାଯାଇଛି । ହୋଟେଲ୍ ଗୁଡିକରେ ଖାଦ୍ୟ ସାମଗ୍ରୀ ପାର୍ସଲ ଉପରେ ଗୁରୁତ୍ୱ ଦେବାକୁ ବ୍ୟବସାୟୀଙ୍କୁ କୁହାଯାଇଥିବା ବେଳେ ହୋଟେଲରେ ଅନାୟସରେ ଭିଡ ନ ଜମାଇବାକୁ ମଧ୍ୟ କୁହାଯାଇଛି । ସାମ୍ବାଦିକ ସମ୍ମିଳନୀରେ କମିଶନରଙ୍କ ସମେତ ଡେପୁଟି କମିଶନର ରୋମାଞ୍ଚଳ ଖମାରୀ, ଆଶୁତୋଷ ସାମଲ, ଏନ୍ଫୋର୍ସମେଣ୍ଟ ଅଫିସ୍ର ତରୁଣ କାନ୍ତ ପ୍ରମୁଖ ଉପସ୍ଥିତ ଥିଲେ । ସାମ୍ବାଦିକ ସମ୍ମିଳନୀ ପୂର୍ବରୁ ତହସିଲଦାର ସିପକ ପାତ୍ର ଓ ସ୍ୱାସ୍ଥ୍ୟ ଟିମ୍କୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା ।
Related Stories
May 17, 2024