ପାରଳାଖେମୁଣ୍ଡି– ଗଜପତି ଜିଲ୍ଲାରେ ଆଜି ନୂଆ ୨୨ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏଥିସହ ଜିଲ୍ଲାରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୩୪୮୨ କୁ ବୃଦ୍ଧି ପାଇଛି । ୯୦୬ ନମୂନା ସଂଗ୍ରହ ପରେ ର୍ୟାପିଡ଼୍ ଆଂଟିଜେନ ଓ ଆରଟି-ପିସିଆର ଟେଷ୍ଟ କରାଯାଇଥିଲା । ଏହି ପରୀକ୍ଷାରୁ ୨୦ଟି ରିପୋର୍ଟ ପଜିଟିଭ୍ ଆସିଥିଲା । ଅନ୍ୟ ଦୁଇ ଜଣ ଜିଲ୍ଲା ବାହାରେ ହସ୍ପିଟାଲରେ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ନୂଆ ଚିହ୍ନଟ ଏହି ଆକ୍ରାନ୍ତ ମାନଙ୍କୁ କୋଭିଡ଼୍ ହସ୍ପିଟାଲ ଓ କୋଭିଡ଼୍ କେୟାର ସେଂଟରରେ ଭର୍ତି କରାଯାଇଛି । ସାମାନ୍ୟ ଆକ୍ରାନ୍ତ ମାନଙ୍କୁ ହୋମ୍ ଆଇସୋଲେସନରେ ରହିବାକୁ ପରାମର୍ଶ ଦିଆଯାଇଛି ।
ନୂଆ ଚିହ୍ନଟ ଏହି ୨୨ ଆକ୍ରାନ୍ତଙ୍କ ମଧ୍ୟରେ ୧୬ ଜଣ ପୁରୁଷ ଓ ୬ ଜଣ ମହିଳା ରହିଛନ୍ତି । ତନ୍ମଧ୍ୟରେ ଜଣେ ନାବାଳକ ରହିଛନ୍ତି । ଏମାନଙ୍କର ବୟସ ୧୫ ବର୍ଷରୁ ୮୦ ବର୍ଷ ମଧ୍ୟରେ ରହିଛି । ଏହି ଆକ୍ରାନ୍ତ ମାନଙ୍କ ମଧ୍ୟରେ ଗୋଷାଣି ବ୍ଲକରୁ ୩ ଜଣ, ଗୁମ୍ମା ବ୍ଲକରୁ ୨ ଜଣ, କାଶୀନଗର ବ୍ଲକରୁ ୩ ଜଣ, ମୋହନା ବ୍ଲକରୁ ୨ ଜଣ, ନୂଆଗଡ଼ ବ୍ଲକରୁ ୨ ଜଣ, ଆର୍. ଉଦୟଗିରି ବ୍ଲକରୁ ୪ ଜଣ, ରାୟଗଡ଼ ବ୍ଲକରୁ ୪ ଜଣ ଆକ୍ରାନ୍ତ ରହିଛନ୍ତି । ଏହା ବ୍ୟତୀତ ଜିଲ୍ଲା ବାହାରେ ହସ୍ପିଟାଲରେ ଦୁଇ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସମ୍ପୃକ୍ତ ଦୁଇ ଆକ୍ରାନ୍ତ ସେଠାରେ ଚିକିତ୍ସାଧିନ ରହିଛନ୍ତି । ଘରକୁ ଘର ବୁଲି ମେଡ଼ିକାଲ ଟିମ୍ ର ସର୍ଭେଲାନ୍ସ ବେଳେ ୧୭ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ଅନ୍ୟ ଦୁଇ ଜଣ କୋଭିଡ଼୍ ଯୋଦ୍ଧା ରହିଛନ୍ତି । ୩ ଜଣ ପୂର୍ବ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି ସଂକ୍ରମିତ ହୋଇଛନ୍ତି । ସେହିପରି ଜିଲ୍ଲା ବାହାରେ ହସ୍ପିଟାଲରେ ୨ ଜଣ ଚିକିତ୍ସାଧିନ ରହିଛନ୍ତି ।
ଅଦ୍ୟାବଧି ଜିଲ୍ଲାରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୨୨ ରହିଛି । ଜଣକର ଅନ୍ୟ କାରଣରୁ ମୃତ୍ୟୁ ଘଟିଥିବା ନେଇ ଜିଲ୍ଲା ପ୍ରଶାସନ ସୂତ୍ରରୁ ଜାରୀ କରାଯାଇଥିବା ପ୍ରେସ୍ ବିଜ୍ଞପ୍ତିରୁ ସୂଚନା ମିଳିଛି ।