ବ୍ରହ୍ମପୁର: ବଡବଜାର ଥାନା ଅନ୍ତର୍ଗତ ପୁରୁଣା ବ୍ରହ୍ମପୁର ନିକଟ ରାଧାକାନ୍ତ ସାହିରେ ଥିବା ରାଧାକୃଷ୍ଣ ମନ୍ଦିର ପରିସରରେ ଜଣେ ଯୁବକ କାଳିଆ ସାହୁଙ୍କୁ ପଥର ଛେଚି ହତ୍ୟା କରାଯାଇଥିବା ଥାନାରେ ଅଭିଯୋଗ ହୋଇଛି । ତାଙ୍କ ମୁଣ୍ଡରୁ ପ୍ରବଳ ରକ୍ତସ୍ରାବ ହେବା ପରେ ସେ ମନ୍ଦିର ପରିସରରେ ହିଁ ମୃତ୍ୟୁ ବରଣ କରିଥିବା ପୁଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି । ଖବର ପାଇ ଏସ୍ଡିପିଓ ବିଷ୍ଣୁପ୍ରସାଦ ପତି ଓ ବଡବଜାର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ôଚ ତଦନ୍ତ ଆରମ୍ଭ କରିଛନ୍ତି । ଏହି ଘଟଣାରେ ସମ୍ପୃକ୍ତ ଥିବା ସନ୍ଦେହ କରି ପୁଲିସ ୪ ଜଣଙ୍କୁ ଅଟକ ରଖି ପଚରା ଉଚରା କରୁଥିବା ପୁଲିସ କହିଛି । କାଳିଆ ଜଣେ ପୁରୁଣା ଅପରାଧୀ ହୋଇଥିବା ବେଳେ ସେ ଚୋରୀ ଏବଂ ମାରପିଟ ଘଟଣାରେ ଦୁଇଥର ଜେଲ ଯାଇ ଫେରିଛନ୍ତି । ବର୍ତ୍ତମାନ କାଳିଆ ଜେନା ସାହିସ୍ଥିତ ତାଙ୍କ ଘରକୁ ଭଲଭାବେ ଯାଉନଥିବା ବେଳେ ବାହାରେ ବୁଲୁୂଥିବା ଜଣାପଡିଛି । ଘଟଣାରୁ ପ୍ରକାଶ ଯେ, ରାଧାକୃଷ୍ଣ ମନ୍ଦିର ପରିସରରେ ଦୀର୍ଘ ଦିନ ଧରି ସେହି ଅଞ୍ଚଳ ଏବଂ ବାହାର ଅଞ୍ଚଳର କିଛି ଯୁବକ ଏକତ୍ରିତ ହୋଇ ରାତିରେ ଗଞ୍ଜେଇ ଟାଣୁଥିଲେ । ଏହାକୁ ନେଇ ସ୍ଥାନୀୟ ଲୋକେ ବିରୋଧ କରୁଥିଲେ ମଧ୍ୟ ଗଞ୍ଜେଇ ଟାଣୁଥିବା ଲୋକେ ସେମାନଙ୍କୁ ଗାଳିଗୁଲଜ କରୁଥିଲେ । ସବୁ ଦିନ ପରି ଗତକାଲି ରାତିରେ ମଧ୍ୟ କାଳିଆ ଏବଂ କିଛି ଯୁବକ ମନ୍ଦିର ମଧ୍ୟରେ ଗଞ୍ଜେଇ ଟାଣୁଥିଲେ । ଏହା ପରେ ସେମାନେ ବାହାରକୁ ଚାଲିଯାଇଥିଲେ । କାଳିଆ ଏକାକି ପୁଣି ମନ୍ଦିର ଭିତରକୁ ଆସି ଶୋଇ ପଡିଥିଲେ । ଏହି ସମୟରେ କିଛି ଯୁବକ କାନ୍ଥ ଡେଇଁ ମନ୍ଦିର ଭିତରକୁ ଆସି କାଳିଆଙ୍କ ମୁଣ୍ଡକୁ ଦୁଇଟି ସିମେଣ୍ଟ ଇଟାରେ ଆକ୍ରମଣ କରି ହତ୍ୟା କରିଥିଲେ । ରକ୍ତାକ୍ତ ଅବସ୍ଥାରେ କାଳିଆ ସେଠାରେ ପଡିଥିବା ବେଳେ ଯୁବକମାନେ ସେଠାରୁ ଚମ୍ପଟ ମାରିଥିଲେ ବୋଲି ପୁଲିସ କହିବା ସହ ଥାନା କେଶ୍ ନମ୍ବର ୧୯୬/୨୦ରେ ଏକ ହତ୍ୟା ମାମଲା ରୁଜୁକରି ତଦନ୍ତ ଚଳାଇଥିବା ଥାନାଧିକାରୀ ପ୍ରଶାନ୍ତ ଭୁପତି ସୂଚନା ଦେଇଛନ୍ତି ।