ଭୁବନେଶ୍ୱର – ୨୦୧୯-୨୦ରେ ଖରିଫ ଧାନ ସଂଗ୍ରହ ପାଇଁ ଏକ ନିର୍ଭୁଲ ଚାଷୀମାନଙ୍କ ନାମ ପଞ୍ଜୀକରୀଣ ତାଲିକା ପ୍ରସ୍ତୁତ କରିବା ପାଇଁ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ସମବାୟ ମନ୍ତ୍ରୀ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଗୁରୁତ୍ୱାରୋପ କରିଥିବା ଦୃଷ୍ଟିରୁ ବିଭାଗ ପକ୍ଷରୁ ଅନୁରୂପ ପଦକ୍ଷେପ ଗ୍ରହଣ କରାଯାଇଛି ।
ଖରିଫ୍ ଧାନ ସଂଗ୍ରହ ପାଇଁ ଚାଷୀ ନାମ ପଞ୍ଜୀକରଣ କାର୍ଯ୍ୟକ୍ରମ ସେପ୍ଟେମ୍ବର ୧୭ ତାରିଖରେ ଶେଷ ହୋଇଛି । ସଂଗୃହୀତ ଦରଖାସ୍ତଗୁଡ଼ିକର ସମ୍ପୃକ୍ତ ପ୍ରାଥମିକ କୃଷି ସମବାୟ ସମିତି ଓ ଲ୍ୟାମ୍ପସ୍ରେ ଅନଲାଇନ ପ୍ରକ୍ରିୟାରେ କମ୍ପ୍ୟୁଟରୀକୃତ(ଡିଜିଟାଇଜେସନ୍) କରାଯିବା କାର୍ଯ୍ୟ ସେପ୍ଟେମ୍ବର ୨୨ ତାରିଖରେ ଶେଷ ହୋଇଛି । ପଞ୍ଜୀକୃତ ଚାଷୀମାନେ ଖଣିଫ ଧାନ ଚାଷ କରିଥିବା ଜମିର ପରିମାଣ ବାବଦ ତଥ୍ୟ ସମ୍ବଳିତ ଚିଠା ସର୍ବସାଧାରଣଙ୍କ ଅବଗତି ନିମନ୍ତେ ପ୍ରକାଶନ କରାଯିବ । ଏହି ତଥ୍ୟ ପଞ୍ଜୀକରଣ କାର୍ଯ୍ୟ ସମ୍ପାଦନ କରୁଥିବା ସମ୍ପୃକ୍ତ ସମିତି, ଗ୍ରାମପଂଚାୟତ କାର୍ଯ୍ୟାଳୟ ଓ କଂଟ୍ରୋଲ ଦୋକାନରେ ସେପ୍ଟେମ୍ବର ୨୫ରୁ ୩୦ ତାରିଖ ମଧ୍ୟରେ ସର୍ବସାଧାରଣଙ୍କ ଅବଗତି ନିମନ୍ତେ ପ୍ରକାଶନ କରାଯାଉଛି । ସବିଶେଷ ତଥ୍ୟ ସମ୍ପୃକ୍ତ ପଞ୍ଜୀକରଣକାରୀ ପ୍ୟାକ୍ସ/ଲ୍ୟାମ୍ପସ୍ ଆଦିରେ ଉପଲବ୍ଧ କରାଯିବ ଏବଂ ପଞ୍ଜୀକୃତ ଚାଷୀ ଓ ସର୍ବସାଧାରଣ ତଥା ନିରୀକ୍ଷଣ କରିପାରିବେ । ଯଦି ପ୍ରକାଶିତ ତାଲିକାରେ କୌଣସି ତ୍ରୁଟି ପରିଲକ୍ଷିତ ହେଉଥାଏ, ତତସମ୍ବନ୍ଧୀୟ ଅଭିଯୋଗ ଯେକୌଣସି ନାଗରିକ ସମ୍ପୃକ୍ତ ପ୍ରକାଶନ ସ୍ଥଳରେ ଆସନ୍ତା ଅକ୍ଟୋବର ୩ ତାରିଖ ସୁଦ୍ଧା ଦରଜ କରିପାରିବେ ।
ଆପତି କରିବା ପାଇଁ ନିର୍ଦ୍ଧାରିତ ଫର୍ମ ପ୍ରକାଶନ ସ୍ଥଳରେ ଉପଲବ୍ଧ ହେଉଛି । ଆଗ୍ରହୀ ନାଗରିକଙ୍କୁ ସବିଶେଷ ପଞ୍ଜୀକୃତ ତଥ୍ୟ ଜାଣିବା ପାଇଁ ପ୍ୟାକ୍ସ/ଲ୍ୟାମ୍ପସ ଆଦି ଆବଶ୍ୟକୀୟ ସୁଯୋଗ ଦେବେ । ସମିତି ସମ୍ପାଦକ, ଗ୍ରାମ ପଂଚାୟତ ନିର୍ବାହୀ ଅଧିକାରୀ କଂଟ୍ରୋଲ ଡିଲର ଅଭିଯୋଗକାରୀଙ୍କ ଦସ୍ତଖତ ସମ୍ବଳିତ ଆପତି ପତ୍ର ପ୍ରାପ୍ତିସ୍ୱୀକାର ସହ ଗ୍ରହଣ କରିବେ ବୋଲି ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ସୂତ୍ରରୁ ପ୍ରକାଶ ।