ଜୟପୁର – ଜୟପୁର ସରକାରୀ ଉଚ୍ଚ ବିଦ୍ୟାଳୟର ସହକାରୀ ଶିକ୍ଷକ ଓମ୍ ପ୍ରକାଶ ମିଶ୍ର ଆନ୍ତର୍ଜାତିକ ଶିକ୍ଷା ସମ୍ମାନ ପାଇଛନ୍ତି । ଗତ ୨୪ ତାରିଖରେ ନୂଆଦିଲ୍ଲୀ ସ୍ଥିତ ହୋଟେଲ ତାଜ୍ ଭିଭାନ୍ତ ଠାରେ ଅନୁଷ୍ଠିତ ଅନ୍ତର୍ଜାତୀୟ ଏଜୁକେସନ ଆଇକନ୍ ଆୱାର୍ଡ ସମାରୋହ ୨୦୧୯ ରେ ସହକାରୀ ଶିକ୍ଷକ ଶ୍ରୀ ମିଶ୍ରଙ୍କୁ ଏହି ସମ୍ମାନରେ ସମ୍ମାନିତ କରାଯାଇଥିଲା । ଆନ୍ତର୍ଜାତିକ ରୋବୋଟିକସ୍ ସଂସ୍ଥା ଦ୍ୱାରା ଆୟୋଜିତ ଏକ ଉତ୍ସବରେ ଆର୍ଜେଟିଂନାର ରାଷ୍ଟ୍ରଦୁତ ଡାନିଏଲ ଛୁବ୍ରୁଙ୍କ ଠାରୁ ଶ୍ରୀ ମିଶ୍ର ଏହି ପୁରସ୍କାର ଗ୍ରହଣ କରିଥିଲେ । ଉକ୍ତ ଉତ୍ସବରେ ଘାନାର ସଚିବ ଆରୋନ ସିନ୍ତିମ୍, ସ୍ପେନର ଆନ୍ତର୍ଜାତୀୟ ଶିକ୍ଷକ ପ୍ରଶିକ୍ଷକ ମାରିଆ ଲୋପେଜ୍, ଭାରତର ସରକାରଙ୍କ ମାନବ ସମ୍ବଳ ବିକାଶ ମନ୍ତ୍ରାଣାଳୟ ଉପଦେଷ୍ଟା ବିଶାଳ ଗୁପ୍ତା, ଗୁଗୁଲ୍ ଗାର୍ଲ ଅଫ ଇଣ୍ଡିଆ ଜିୟା ଫୁଟେଲାଙ୍କ ସହ ଜାତୀୟ, ଆନ୍ତର୍ଜାତିୟ ସ୍ତରର ଶିକ୍ଷାବିତ୍ ଓ ବୁଦ୍ଧିଜୀବୀ ମାନେ ଉପସ୍ଥିତ ଥିଲେ । ଏହି ପୁରସ୍କାର ନିମନ୍ତେ ୨୦ଟି ଦେଶରୁ ଅନ ଲାଇନ ମାଧ୍ୟମରେ ଦରଖାସ୍ତ ଆହ୍ୱାନ କରାଯାଇଥିଲା । ଏବଂ ସ୍କାଇପ୍ ଓ ବୈଷୟିକ ଜ୍ଞାନ କୌଶଳରେ ଶିକ୍ଷକମାନଙ୍କର ସାକ୍ଷାତକାର ନିଆଯାଇ ଏକ କଠିନ ପ୍ରକ୍ରିୟା ଦ୍ୱାରା ଏହାର ଚୟନ କରାଯାଇଥିଲା । ସହକାରୀ ଶିକ୍ଷକ ଶ୍ରୀ ମିଶ୍ର ଗତ ଅଗଷ୍ଟ ୧୭-୧୮ ରେ ନୂଆଦିଲ୍ଲୀ ଠାରେ ଏନସିଟିଇ ଦ୍ୱାରା ଆୟୋଜିତ ଅନ୍ତର୍ଜାତୀୟ ପାଠଚକ୍ରରେ ଭାରତ ସରକାରଙ୍କ ଦ୍ୱାରା ସ୍ୱତନ୍ତ୍ର ଅତିଥି ଭାବେ ଯୋଗଦେଇ ଅନ୍ତର୍ଜାତୀୟ କର୍ମଶାଳାରେ ନିଜର ମତାମତ ଦେଇ ଉଚ୍ଚ ପ୍ରଶଂସିତ ହୋଇଥିଲେ । ତାଙ୍କର ଏହି ସଫଳତାରେ କୋରାପୁଟ ଜିଲା ପୁଣିଥରେ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ନିଜର ପରିଚୟ ସୃଷ୍ଟି କରିଥିବାରୁ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୁରେନ୍ଦ୍ର ପଟ୍ଟନାୟକଙ୍କ ସହ ଚାରିଆଡୁ ତାଙ୍କ ନିକଟକୁ ଶୁଭେଚ୍ଛାର ସୁଅ ଛୁଟିଛି ।
Related Stories
May 15, 2023
April 10, 2023