ଓଡିଶା ରାଜ୍ୟ ସରକାରୀ ଆୟୁର୍ବେଦ ମେଡିକାଲ କଲେଜ ଅଧ୍ୟାପକ ସଂଘ ଏବଂ ଓଡିଶା ସରକାରୀ ହୋମିଓପାଥିକ ମେଡିକାଲ କଲେଜ ଅଧ୍ୟାପକ ସଂଘ ତରଫରୁ ମିଳିତ ଭାବେ ଏକ ପ୍ରେସ ବିବୃତି ଦିଆଯାଇଅଛି |ସୂଚନା ଅନୁସାରେ ଉଭୟ ସଂଘର ସଦସ୍ୟମାନେ ଦୀର୍ଘ ଦିନ ଧରି ସରକାରଙ୍କ ନିକଟରେ ସଂଘର ନ୍ୟାଯ୍ୟ ଦାବୀ ବାରମ୍ବାର ଉପସ୍ଥାପନ କରିଆସୁଥିଲେ ମଧ୍ୟ ଏଥିପ୍ରତି ସରକାର କିଛି କର୍ଣ୍ଣପାତ ନକରିବା ବଡ଼ ଦୁଃଖ ଓ ପରିତାପର ବିଷୟ ହୋଇଅଛି । ଏହି ଅବସରରେ ଉଭୟ ସଂଘର ଅଧ୍ୟାପକ ମାନେ ଦୀର୍ଘ ଦେଢ଼ ବର୍ଷରୁ ଉର୍ଦ୍ଧକାଳ ଜୀବନକୁ ବାଜି ଲଗାଇ କୋଭିତ-୧୯ କାର୍ଯ୍ୟରେ ଜନସାଧାରଣଙ୍କର ସେବା କରି ଉଚ୍ଚ ପ୍ରସଂଶିତ ହୋଇଛନ୍ତି ଓ ସଦା ସର୍ବଦା ଛାତ୍ର ଛାତ୍ରୀଙ୍କୁ ଶିକ୍ଷା ଦାନ ଓ ରୋଗୀ ସେବାରେ ନିଜକୁ ନିୟୋଜିତ କରି ଆସୁଛନ୍ତି । ଇତି ମଧ୍ୟରେ ମାନ୍ୟବର ସର୍ବୋଚ୍ଚ ନ୍ୟାୟଳୟଙ୍କ ଦ୍ବାରା ତା ୦୩-୦୮-୨୦୨୧ ରିଖ ଦିନ ଦିଆଯାଇଥିବା ରାୟ ପ୍ରଣିଧାନ ଯୋଗ୍ୟ ଅଟେ । ଏହି ରାୟରେ ଦର୍ଶାଯାଇଛି ଯେ କୌଣସି ପରିସ୍ଥିତିରେ “ଆୟୁଷ ଡାକ୍ତର ଓ ଏଲୋପ୍ୟାଥିକ ଡାକ୍ତରଙ୍କ ମଧ୍ୟରେ ଦରମା, ଅବସର ବୟସ ତଥା ଅନ୍ୟାନ୍ୟ ସୁବିଧା ସୁଯୋଗରେ ପାତର ଅନ୍ତର କରାଯାଇପାରିବ ନାହିଁ” ।
ଏହି ପରିପ୍ରେକ୍ଷୀରେ ଦର୍ଶାଯାଇପାରେ ଯେ ଓଡ଼ିଶାର ମାନ୍ୟବର ପ୍ରିୟ ମୁଖ୍ୟମନ୍ତ୍ରୀ ଭାରତ ବର୍ଷର ଜଣେ ଲୋକପ୍ରିୟ, ଆଦର୍ଶବାଦୀ ଓ ଶ୍ରେଷ୍ଠ ମୂଖ୍ୟମନ୍ତ୍ରୀ ଅଟନ୍ତି ଓ ସବୁ କର୍ମଚାରୀମାନଙ୍କ ଦାବୀକୁ ସହୃଦୟ ସହ ବିଚାର କରନ୍ତି । ସେଥିପାଇଁ ସଂଘ ତରଫରୁ ପ୍ରେସ ଇସ୍ତାହାର ମାଧ୍ୟମରେ ମାନ୍ୟବର ପ୍ରିୟ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରାଯାଇଛି | ସଙ୍ଘର ନ୍ୟାୟଯୁକ୍ତ ଦାବୀ ପ୍ରତି ସହୃଦୟତାର ସହ ବିଚାର କରି ମାନ୍ୟବର ସର୍ବୋଚ୍ଚ ନ୍ୟାୟଳୟ ପ୍ରଦାନ କରିଥିବା ରାୟ ଅନୁସାରେ ଉଭୟ ସଂଘର ନ୍ୟାଯ୍ୟ ଦାବୀ ଗୁଡିକୁ ପୂରଣ କରିବାରେ ପଦକ୍ଷେପ ନେଲେ ସଂଘର ସଦସ୍ୟମାନେ ଚିକିତ୍ସା ଅନୁସନ୍ଧାନ, ରୋଗୀସେବା ଓ ଛାତ୍ରଛାତ୍ରୀ ମାନଙ୍କ ଅଧ୍ୟାପନା କାର୍ଯ୍ୟରେ ନିଜକୁ ସମର୍ପଣ କରିବା ପାଇଁ ଉତ୍ସାହିତ ହେବେ ବୋଲି ସଂଘ ତରଫରୁ କୁହାଯାଇଛି ।