ପୁରୀ– ଶ୍ରୀମନ୍ଦିରର ବରିଷ୍ଠ ସେବାୟତ ପ୍ରେମାନନ୍ଦ ଦାସମହାପାତ୍ରଙ୍କ ୬୭ ବର୍ଷ ବୟସରେ ପରଲୋକ ଘଟିଛି । ସେ କରୋନାରେ ପୀଡ଼ିତ ହୋଇ ଗତ କିଛି ଦିନ ହେଲା ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ସେଠାରୁ ସୁସ୍ଥ ହୋଇ ତିନି ଦିନ ତଳେ ତାଙ୍କ ହୋଟେଲରେ ହୋମ୍ ଆଇସୋଲେସନରେ ରହିଥିଲେ । ଆଜି ଭୋର୍ ପ୍ରାୟ ୪ଟା ସମୟରେ ସେ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ପରିବାର ଲୋକେ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରିଥିଲେ । ଚିକିତ୍ସାଳୟର ଆଇସିୟୁରେ ରଖିବା ପରେ ଡ଼ାକ୍ତର ତାଙ୍କୁ ଅକ୍ସିଜେନ ଦେବାକୁ ଚେଷ୍ଟା କରିଥିଲେ । ହେଲେ ସଫଳ ହୋଇନଥିଲେ । ହୃଦଘାତରେ ତାଙ୍କର ମୃତ୍ୟୁ ଘଟିଥିବା ନେଇ ଡ଼ାକ୍ତର ଘୋଷଣା କରିଥିଲେ ।
ଦଇତାପତି ସେବାୟତ ପ୍ରେମାନନ୍ଦ ଦୀର୍ଘ ୨୭ ବର୍ଷ ଧରି ଦଇତାପତି ନିଯୋଗର ସମ୍ପାଦକ ରୂପେ କାର୍ଯ୍ୟ କରିଥିଲେ । ସେ ମଧ୍ୟ ଶ୍ରୀ ମନ୍ଦିର ପରିଚାଳନା କମିଟିର ପୂର୍ବତନ ସଦସ୍ୟ ରହିଥିଲେ । ଦେବୀ ସୁଭଦ୍ରାଙ୍କ ମୁଖ୍ୟ ବାଡ଼ଗ୍ରାହୀ ଭାବେ କାର୍ଯ୍ୟ କରୁଥିଲେ । ତାଙ୍କ ମୃତ୍ୟୁ ଘଟଣା ପ୍ରଚାରିତ ହେବା ପରେ ସେବାୟତ ମହଲରେ ଗଭୀର ଶୋକ ପ୍ରକାଶ ପାଇଛି ।
କରୋନା ପାଇଁ ସମ୍ପ୍ରତି ସେବାୟତ ମାନେ ସଙ୍କଟରେ ରହିଥିବା ବେଳେ ଜଣକ ପରେ ଜଣେ ବରିଷ୍ଠ ସେବାୟତଙ୍କ ଦେହାନ୍ତ ହେବା ଘଟଣା ସେବାୟତ ମହଲରେ ଚିନ୍ତାର ବିଷୟ ହୋଇଛି । ପୂର୍ବରୁ ବରିଷ୍ଠ ସେବାୟତ ଇଂ. ବଳଦେବ ସିଂହାରୀ, ରବିନ୍ଦ୍ର ନାଥ ପ୍ରତିହାରୀଙ୍କ ମୃତ୍ୟୁ ଘଟିଛି । ପ୍ରେମାନନ୍ଦଙ୍କ ଶେଷକୃତ୍ୟ ସ୍ୱର୍ଗଦ୍ୱାର ଠାରେ ସମାପନ ହେବ ବୋଲି ସୂଚନା ମିଳିଛି । ଶ୍ରୀ ମନ୍ଦିରରୁ ଅଗ୍ନି ଆସିବା ପରେ ତାଙ୍କର ଶବ ସତ୍କାର କରାଯିବ ।