କୈଳାଶ ଚନ୍ଦ୍ର ପଣ୍ଡା, ପୁରୀ, ୧୯/୦୯/୨୦୨୦,ଆନ୍ତର୍ଜାତିକ ବେଳାଭୂମି ଦିବସ ଅବସରରେ ବେଳାଭୂମି ହେଲା ସଫେଇ । ଜିଲ୍ଲାରେ ୫୧ଟି ସ୍ଥାନରେ ଏକ ସାଙ୍ଗରେ ସକାଳ ୫ରୁ ୬ ଘଟିକା ମଧ୍ୟରେ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ପୁରୀ ପୌରସଂସ୍ଥା ଅଧିନସ୍ଥ ହୋଟେଲ ଷ୍ଟର୍ଲିଂ ଠାରୁ ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ବବିଦ୍ୟାଳୟ ପର୍ଯ୍ୟନ୍ତ ୧୦ ଟି ସ୍ଥାନ, କୋଣାର୍କରେ ୧୦, କୃଷ୍ଣପ୍ରସାଦର ୧୧, ବ୍ରହ୍ମଗିରି, ଅସ୍ତରଙ୍ଗ, ଗୋପ ଓ କାକଟପୁରର ପ୍ରତ୍ୟେକ ୫ଟି ସ୍ଥାନରେ ସଫେଇ କାର୍ଯ୍ୟକ୍ରମ ସମ୍ପୂର୍ଣ୍ଣ ହୋଇଯାଇଛି । ଜିଲ୍ଲାପାଳଙ୍କ ନିର୍ଦେଶକ୍ରମେ ସଂପୃକ୍ତ ବିଡିଓ ମାନେ ନିଜର ଦାୟିତ୍ବ ସୁଚାର ରୂପରେ ତୁଲାଇଥିଲେ । ପ୍ରତ୍ୟେକ ସ୍ଥାନରେ ୧୦ ଜଣ ସ୍ବେଚ୍ଛାସେବୀ ଓ ଜଣେ ନୋଡାଲ ଅଫିସର ଦାୟିତ୍ୱରେ ଉପସ୍ଥିତ ରହିଥିଲେ ।
ମହାମାରୀ କରୋନାକୁ ଦୃଷ୍ଟିରେ ରଖି ସଫେଇ ସମୟରେ ମାସ୍କ ବ୍ୟବହାର ଓ ସାମାଜିକ ଦୂରତ୍ବ ବଜାୟ ରଖିବା ଉପରେ ପ୍ରଶାସନ ପକ୍ଷରୁ ଗୁରୁତ୍ବ ଦିଆଯାଇଥିଲା । ପ୍ରତ୍ୟେକ ବର୍ଷ ସେପ୍ଟମ୍ବର ମାସ ତୃତୀୟ ଶନିବାର ଦିନ ଆନ୍ତର୍ଜାତିକ ବେଳାଭୂମି ସଫେଇ ଦିବସ ପାଳିତ ହୋଇଆସୁଅଛି । ବେଳାଭୂମି ଓ ସମୁଦ୍ରର ସୁରକ୍ଷା ଏବଂ ସଫେଇ ଦିଗରେ ସଚେତନତା ଲୋଡି ଏହି ଦିବସ ପାଳନ କରାଯାଇଛି।