

Related Stories
May 13, 2025
ମାଲକାନଗିରି– ମାଲକାନଗିରି ଜିଲ୍ଲାର ଦୁର୍ଗମ ତଥା ଆଦିବାସୀ ଗଡ଼ର ପିଲା ହେଲେବି ନିଜର ଶାରୀରିକ ଶକ୍ତି, ସାମର୍ଥ୍ୟ ଓ ଉପଯୁକ୍ତ ତତ୍ତ୍ୱାବଧାନ ଯୋଗୁଁ ପଡିଆ ବ୍ଳକ ର ଶହ ଶହ ପିଲା ନିଜକୁ ବିଭିନ୍ନ କ୍ରୀଡା କ୍ଷେତ୍ରରେ ସାମିଲ କରିପାରିଥିବା ଦେଖାଯାଇଛି । ଅନେକ ପିଲା ବିଭିନ୍ନ କ୍ରୀଡ଼ାରେ ନିଜର ପ୍ରତିଭା ପ୍ରଦର୍ଶନ କରି ଜିଲ୍ଲା, ରାଜ୍ୟ ତଥା ଦେଶ ପାଇଁ ଗୌରବ ମଧ୍ୟ ଆଣିଛନ୍ତି। ଏଥିପାଇଁ ସେମାନଙ୍କ ଇଚ୍ଛାଶକ୍ତି, କ୍ରିଡ଼ାନୈପୁଣ୍ୟତା ସହ ଉପଯୁକ୍ତ ଶିକ୍ଷାଦାନ ଓ ପ୍ରଶାସନିକ ସହଯୋଗ ହିଁ ସେମାନଙ୍କୁ କ୍ରୀଡ଼ା କ୍ଷେତ୍ରରେ ପ୍ରତିଷ୍ଠିତ କରାଇ ପାରିଛି ବୋଲି କୁହାଯିବ। ତେବେ ଚଳିତ ବର୍ଷ ମାର୍ଚ୍ଚ ୨୪ ରୁ ଲକ୍ ଡାଉନ୍ ଘୋଷଣା କରାଯିବା ପରେ ଏମାନଙ୍କ ଜୀବନ ସମ୍ପୂର୍ଣ୍ଣ ପ୍ରଭାବିତ ହୋଇଛି। ମୁଖ୍ୟତଃ ମାଲକାନଗିରି ଜିଲ୍ଲା ସୀମାନ୍ତ ପଡିଆ ବ୍ଲକ ର ଏକାଧିକ କ୍ରୀଡାବିତ୍, ଯେଉଁମାନେ ଏକ ନିର୍ଦିଷ୍ଟ କ୍ରୀଡ଼ାରେ ଜିଲ୍ଲା ତଥା ରାଜ୍ଯ ସ୍ତରରେ ନିଜକୁ ପରିଚିତ କରାଇବା ସହ ଆଗାମୀ ଦିନରେ ଏହି କ୍ରୀଡ଼ାକୁ ନେଇ ନିଜର ଭବିଷ୍ୟତ ବାଛିଥାନ୍ତେ । ଲକ୍ ଡାଉନ୍ ଘୋଷଣା ପରଠାରୁ ପ୍ରାୟ ୫ ମାସ ଧରି ଏହି ଗ୍ରାମାଞ୍ଚଳର କ୍ରୀଡାବିତ ମାନେ କରୋନା ଯୋଗୁଁ ପଦାକୁ ବାହାରି ନପାରି ଅଭ୍ୟାସ ରୁ ଦୁରେଇ ରହିବା ସହ ନିଜର କ୍ରୀଡାକୌଶଳ ବିକାଶ କରିପାରୁ ନାହାନ୍ତି। କରୋନା ପୂର୍ବରୁ ଜିଲ୍ଲା ପ୍ରଶାସନର ସହଯୋଗରେ ଜିଲ୍ଲା କ୍ରୀଡା ହଷ୍ଟେଲରେ କୋଚ୍ ଙ୍କ ତତ୍ତ୍ଵାବଧାନରେରହି ଏହି କ୍ରୀଡ଼ାବିତ ମାନେ ନିଜର କ୍ରୀଡାନୈପୁଣ୍ୟ କୁ ବିକଶିତ କରିପାରୁଥିଲେ। ଯାହାକି ସେମାନଙ୍କୁ ଆଗାମୀ ଦିନରେ ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରର ଜଣେ ଖେଳାଳି ଭାବେ ପ୍ରସ୍ତୁତ କରିବାରେ ଆଶା ସ୍ରୁଷ୍ଟି କରିଥିଲା । ତେବେ ଗତ କିଛି ମାସ ଖେଳ ସହ କୋଚ୍ ଙ୍କ ଶିକ୍ଷାଦାନ ରୁ ମଧ୍ୟ ଦୁରେଇ ରହିବାକୁ ପଡିଛି, ଯାହାକି ଗ୍ରାମାଞ୍ଚଳର ଏହି କ୍ରୀଡାବିତ୍ ଙ୍କ ଜୀବନରେ ସିଧାସଳଖ ପ୍ରଭାବ ପକାଇବ ବୋଲି କୁହାଯାଉଛି। ପୂର୍ବରୁ ପଡିଆ ବ୍ଲକର ଶିରିସା କାରାମୀ ଆନ୍ତର୍ଜାତୀୟ ସ୍ତରରେ ସୁନାମ ଅର୍ଜନ କରିଥିବା ବେଳେ ଶୁକାନ୍ତ ମାଢ଼ି, ସୀମାଞ୍ଚଳ ମୁଦୁଲି,ନବୀନ ୱାନ୍ତାଲ, ଦୀପା ମଣ୍ଡଲ, ପାୟେଲ କାର୍ତ୍ତାମୀ,କେଶବ ଜୁନୀ, ରାଜୁ କାବାସୀ, ପ୍ରମିଳା ପଡିଆମି, ମଧୁସ୍ମିତା ସାଲବାମ,ଭୀମସେନ କମରାମ ଓ ପାଣ୍ଡୁ କାବାସୀ ପ୍ରମୁଖ ନିଜର କ୍ରିଡ଼ାନୈପୁଣ୍ୟତା ମାଧ୍ୟମରେ ଜିଲ୍ଲା ସ୍ତରରେ ପରିଚିତ ହୋଇପାରିଥିବା ପଡିଆ ମଙ୍ଗଳ ଶିକ୍ଷା ଅଧିକାରୀ ଗୁରୁଚରଣ ମଲ୍ଲିକ ସୂଚନା ଦେଇଛନ୍ତି। ଏମାନେ ଜିଲ୍ଲା କ୍ରୀଡା ହଷ୍ଟେଲ ଓ ବିଭିନ୍ନ ଆଶ୍ରମ ବିଦ୍ୟାଳୟରେ ରହି କ୍ରୀଡା ଶିକ୍ଷକ ଙ୍କ ସହଯୋଗରେ ବିଭିନ୍ନ କ୍ରୀଡା ରେ ନିଜକୁ ପରିଚିତ କରାଇ ପାରିଥିଲେ ମଧ୍ୟ ଲକ୍ ଡାଉନ୍ ପରେ ଗତ ୫ ମାସ ସମୟ ମଧ୍ୟରେ ଏମାନଙ୍କ ଭବିଷ୍ୟତ ପଛକୁ ଚାଲିଯାଇଥିବା କୁହାଯାଉଛି । ଏ ସମ୍ପର୍କରେ ଜିଲ୍ଲା କ୍ରୀଡା ଅଧିକାରୀ କୁଳମଣୀ ନିଆଲ ଦୁର୍ଗମ ଅଞ୍ଚଳରେ ପିଲାଙ୍କ ପାଖରେ ଭଲ ମୋବାଇଲ ନଥିବା ସହ ନେଟୱାର୍କ ଅପହଞ୍ଚ ହେଉଥିବାରୁ ଅନଲାଇନ କୋଚିଙ୍ଗ ହୋଇପାରି ନାହିଁ। ଏଥିସହ ଚଳିତ ବର୍ଷ ଜାତୀୟ କ୍ରୀଡ଼ା ଦିବସ ରେ ଏକ ଅନଲାଇନ୍ ବୈଠକ ଅନୁଷ୍ଠିତ କରାଯାଇ ଖେଳାଳିଙ୍କୁ ଘରେ ରହି ଯୋଗ, ବ୍ୟାୟାମ ଓ ଅଭ୍ୟାସ କରିବାକୁ କୁହାଯାଇଛି ବୋଲି କହିଥିଲେ। ଅନ୍ୟପଟେ ଗ୍ରାମାଞ୍ଚଳର ଏଭଳି କିଛି ଖେଳାଳୀ କ୍ରୀଡା ଠାରୁ ଦୁରେଇ ନିଜନିଜ ଘରେ ରହି ବିଭିନ୍ନ କାମରେ ପରିବାର ଲୋକଙ୍କୁ ସହଯୋଗ କରୁଥିବା ମଧ୍ୟ ଦେଖିବାକୁ ମିଳୁଛି। ବଣ ମଲ୍ଲୀ ବଣରେ ଫୁଟି ଝଡ଼ିଯିବା ଭଳି ଦୁର୍ଗମ ଅଞ୍ଚଳର କ୍ରୀଡାବିତଙ୍କ ପ୍ରତିଭା କ୍ଷୁଣ୍ଣ ହେବା ପୂର୍ବରୁ ପ୍ରାଶାସନ ଗ୍ରାମାଞ୍ଚଳର ବିଭିନ୍ନ ପ୍ରତିଭାବାନ୍ ଖେଳାଳିଙ୍କ ଅଭ୍ୟାସ ଓ ଶିକ୍ଷା ଉପରେ ମଧ୍ୟ ଗୁରୁତ୍ଵ ଦେବା ଆବଶ୍ୟକ ବୋଲି ବୁଦ୍ଧିଜୀବି ମହଲରେ ଆଲୋଚନା ହେଉଛି !