ଗଞ୍ଜାମ– ଚିଟଫଣ୍ଡ କମ୍ପାନୀ ଗ୍ରୀନ୍ ଇଣ୍ଡିଆର ପରିଚାଳନା ନିର୍ଦ୍ଦେଶକ (ଏମଡି) ପ୍ରଦୀପ ସିଂହ (୪୧)ଙ୍କୁ ଦୁଇ ଦିନିଆ ରିମାଣ୍ଡରେ ଆଣିଛି ବ୍ରହ୍ମପୁର ଟାଉନ୍ ଥାନା ପୋଲିସ । ଏହି ରିମାଣ୍ଡ ଅବଧି ଶେଷ ପରେ ଆସନ୍ତାକାଲି ତାଙ୍କୁ ପୁଣି ଥରେ କୋର୍ଟରେ ହାଜର କରାଯିବ । ପ୍ରଦୀପଙ୍କକୁ ଟାଉନ୍ ଥାନା ପୋଲିସ ଶନିବାର ରାତିରେ ବ୍ରହ୍ମପୁର ସହରର ଅଯୋଧ୍ୟା ନଗରରୁ ଗିରଫ କରିଥିଲା । ଏବଂ ମାମଲା ସମ୍ପର୍କରେ ତାଙ୍କୁ ଅଧିକ ପଚରା ଉଚୁରା ପାଇଁ ଦୁଇ ଦିନିଆ ରିମାଣ୍ଡରେ ନେବାକୁ ବ୍ରହ୍ମପୁର ସ୍ୱତନ୍ତ୍ର ଚିଟଫଣ୍ଡ କୋର୍ଟରେ ଆବେଦନ କରିଥିଲା । ଏହାକୁ ବିଚାରପତି ମଞ୍ଜୁର କରିଥିଲେ ।
କେସ୍ ନଂ ୯୮/୨୦୧୬ ରେ ପ୍ରଦୀପଙ୍କୁ ଗିରଫ କରାଯାଇଥିବା ସମ୍ପର୍କରେ ପୂର୍ବରୁ ସୂଚନା ଦେଇଥିଲେ ଟାଉନ୍ ଏସଡ଼ିପିଓ ବିଷ୍ଣୁ ପ୍ରସାଦ ପତି । ପ୍ରଦୀପଙ୍କ ନାମରେ ଟାଉନ୍ ଥାନାରେ ୫ଟି ମାମଲା ରହିଥିବା ବେଳେ ୨୦୧୩ରେ ରୁଜ୍ଜୁ ହୋଇଥିବା ୧୫୨/୨୦୧୩ ମାମଲା ସିବିଆଇକୁ ହସ୍ତାନ୍ତର ହୋଇଛି । ଅନ୍ୟ ୪ଟି ମାମଲା ଟାଉନ୍ ଥାନାରେ ପେଣ୍ଡିଙ୍ଗ ରହିଛି । ଏହି ୪ଟି ମାମଲାରେ ୩୬ ଜଣ ଅଭିଯୋଗକାରୀ ରହିଛନ୍ତି । ଗ୍ରୀନ୍ ଇଣ୍ଡିଆ ଚିଟଫଣ୍ଡ ସଂସ୍ଥା ସେମାନଙ୍କର ୨ କୋଟି ଟଙ୍କା ଠକି ନେଇଥିବା ଅଭିଯୋଗ ହୋଇଛି । ଏହି ପ୍ରଦୀପ କେଉଁଠି ଖର୍ଚ୍ଚ କରିଛନ୍ତି, ପୋଲିସ ସେନେଇ ତଦନ୍ତ ଜାରୀ ରଖିଛି । ବ୍ରହ୍ମପୁର ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ଏହି ସଂସ୍ଥା ଶାଖା ଖୋଲି ଜମାକାରୀଙ୍କ ଠାରୁ କୋଟି କୋଟି ଟଙ୍କା ଠକି ନେଇଥିବା ଅଭିଯୋଗ ହୋଇଛି । ତାଙ୍କ ବିରୋଧରେ ବିଭିନ୍ନ ଥାନାରେ ରହିଥିବା କେସ୍ ସିବିଆଇକୁ ହସ୍ତାନ୍ତର କରାଯାଇଛି । ଜମାକାରୀଙ୍କ ଅଭିଯୋଗ ପ୍ରକାରେ ସିବିଆଇ ତାଙ୍କୁ ପୂର୍ବରୁ ଗିରଫ କରିଥିଲା । ୨୦୧୪ ଅଗଷ୍ଟ ୭ ତାରିଖରୁ ୨୦୧୮ ଜୁନ୍ ୧୩ ତାରିଖ ପର୍ଯ୍ୟନ୍ତ ପ୍ରଦୀପ ଜେଲ୍ ରେ ଥିଲେ । ତେବେ ୪ ଜଣ ଜମାକାରୀ ପ୍ରଦୀପଙ୍କ ବିରୋଧରେ ଥାନାରେ ଏତଲା ଦେଇଥିଲେ । ପୋଲିସ ଏତଲା ନ ରଖିବାରୁ ସେମାନେ କୋର୍ଟର ଦ୍ୱାରସ୍ଥ ହୋଇ ୱାନସିସିରେ ମାମଲା ରୁଜ୍ଜୁ କରିଥିଲେ । କୋର୍ଟ ସମ୍ପୃକ୍ତ ଅଭିଯୋଗକାରୀଙ୍କ ମାମଲା ରୁଜ୍ଜୁ କରିବାକୁ ଟାଉନ୍ ଥାନା ପୋଲିସକୁ ନିର୍ଦ୍ଦେଶ ଦେଇଥିଲେ । ଥାନାରେ ମାମଲା ରୁଜ୍ଜୁ ହୋଇଥିଲେ ହେଁ ପ୍ରଦୀପ ଗିରଫ ହୋଇନଥିବାରୁ ଚାର୍ଜସିଟ୍ ହୋଇପାରିନଥିଲା । ବର୍ତମାନ କୋର୍ଟଙ୍କ ନିର୍ଦ୍ଦେଶ ପ୍ରକାରେ ଟାଉନ୍ ଥାନା ପୋଲିସ ପ୍ରଦୀପଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି ।