ଭୁବନେଶ୍ୱର – ସତ୍ୟ, ଅହିଂସାର ପୂଜାରୀ, ଭାରତୀୟ ସ୍ୱାଧୀନତା ସଂଗ୍ରାମର ବରେଣ୍ୟ ଜନନାୟକ, ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜନ୍ମଜୟନ୍ତୀ ଅବସରରେ ସମାଜବାଦୀ ପାର୍ଟି ଓଡ଼ିଶା ପକ୍ଷରୁ ସ୍ଥାନୀୟ ମହାତ୍ମା ଗାନ୍ଧୀ ପାର୍କସ୍ଥିତ ଗାନ୍ଧିଜୀଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରାଯାଇଛି । ପାର୍ଟିର ରାଜ୍ୟ ସଭାପତି ରବି ବେହେରାଙ୍କ ନେତୃତ୍ୱରେ ଦଳୀୟ କର୍ମୀମାନେ ସକାଳ ୯ଟା ସମୟରେ ସେଠାରେ ମାଲ୍ୟାର୍ପଣ କରିଥିଲେ । ଉପସ୍ଥିତ ଦଳୀୟ କର୍ମୀଙ୍କୁ ଉଦବୋଧନ ଦେଇ ସଭାପତି ଶ୍ରୀ ବେହେରା କହିଥିଲେ ଯେ, ବୁଦ୍ଧ ଓ ଯୀଶୁଙ୍କ ପରେ ଗାନ୍ଧୀ ହେଉଛନ୍ତି ବିଶ୍ୱବାସୀଙ୍କ ପାଖରେ ସବୁଠାରୁ ଆଦରଣୀୟ ବ୍ୟକ୍ତିତ୍ୱ । ଭାରତ ବର୍ଷର ସ୍ୱାଧୀନତା ସଂଗ୍ରାମ ଏବଂ ବିଶ୍ୱ, ଶାନ୍ତି, ମୈତ୍ରୀ ଓ ଅହିଂସା କ୍ଷେତ୍ରକୁ ତାଙ୍କର ଅବଦାନ ମାନବ ସମାଜ ଇତିହାସରେ ଅବିସ୍ମରଣୀୟ । ସେଥିପାଇଁ ତାଙ୍କ ଜନ୍ମଦିନକୁ ଜାତିସଂଘ ପକ୍ଷରୁ ଆନ୍ତର୍ଜାତିକ ଅହିଂସା ଦିବସ ଭାବରେ ପାଳନ କରାଯାଇଅଛି । ଆଜି ଦେଶରେ ଯେତେବେଳେ ଭିଡ଼ ହିଂସା ଯୋଗୁଁ ସାମ୍ପ୍ରଦାୟିକ ସଦଭାବନା ପରାହତ ହିନ୍ଦୁ ମୁସଲିମ ନାଁରେ ଦେଶର ବାସ୍ତବ ଚିତ୍ର ମଳିନ ପଡ଼ିଛି, ସେତିକିବେଳେ ଗାନ୍ଧିଜୀଙ୍କର ଆବଶ୍ୟକତା ଆହୁରି ଅଧିକ । ନାରୀ ସୁରକ୍ଷା, ଦରିଦ୍ର ପାଖରେ ଯୋଜନାରେ ସୁଫଳ ପହଂଚାଇବା, ଭୋକିଲା ପେଟକୁ ମୁଠାଏ ଦାନା, ଲଙ୍ଗଳା ଦେହକୁ ଖଣ୍ଡିଏ କନା ଓ ବେକାର ହାତକୁ କାମ ଆଜି ଗାନ୍ଧିଜୀଙ୍କ ୧୫୦ତମ ଜନ୍ମଦିବସ ଅବସରରେ ଆମ ସମସ୍ତ ପାଇଁ ସଂକଳ୍ପ ହେବା ଉଚିତ ବୋଲି ଶ୍ରୀ ବେହେରା ମତବ୍ୟକ୍ତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ପାର୍ଟିର ସାଧାରଣ ସମ୍ପାଦକ, ସୁଦର୍ଶନ ପ୍ରଧାନ, ବିଜୟ ବେହେରା, ସଞ୍ଜୟ ନାୟକ, ଯୁବନେତା ସୁବ୍ରତ ଲେଙ୍କା, ଦୀପଦାସ ଯାଦବ, ଦେବାଶିଷ ମହାପାତ୍ର, ତରୁଣ କୁମାର ଦାସ ଓ ନାରୀ ନେତ୍ରୀ ରୀତା ପଟ୍ଟନାୟକ ପ୍ରମୁଖ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତିରେ ଶ୍ରଦ୍ଧସୁମନ ଅର୍ପଣ କରିଥିଲେ । ପରେ ଦଳୀୟ କାର୍ଯ୍ୟାଳୟ ଠାରେ ମହାତ୍ମା ଗାନ୍ଧୀ ଓ ଭାରତବର୍ଷର ଦ୍ୱିତୀୟ ପ୍ରଧାନମନ୍ତ୍ରୀ ଲାଲ୍ ବାହାଦୂର ଶାସ୍ତ୍ରୀଙ୍କ ଫଟୋଚିତ୍ରରେ ଦଳୀୟ କର୍ମକର୍ତାମାନେ ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ।
Related Stories
December 2, 2024