-
ଦିଗପହଣ୍ଡିରେ ୨୨କୋଟିର କପା ପ୍ରକ୍ରିୟାକରଣ କଳର ଭିତ୍ତିପ୍ରସ୍ତର
-
ସୁ-କୋଭିଡ୍ ପରିଚାଳନା ପାଇଁ ଜିଲ୍ଲା ପ୍ରଶାସନକୁ ପ୍ରଶଂସାକଲେ ମୁଖ୍ୟମନ୍ତ୍ରୀ
ବ୍ରହ୍ମପୁର: ବ୍ରହ୍ମପୁର ସହରବାସୀଙ୍କ ବହୁ ପ୍ରତୀକ୍ଷିତ ଇଞ୍ଜିନିୟର ସ୍କୁଲ ଛକ-ଲାଞ୍ଜିପଲ୍ଲୀ ରେଳ ଓଭର ବ୍ରିଜ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶନିବାର ଅପରାହ୍ନରେ ଭିଡିଓ କନ୍ଫରେନ୍ସିଂ ଜରିଆରେ ଉଦ୍ଘାଟନକରି ସହରବାସୀଙ୍କ ନିମନ୍ତେ ଉତ୍ସର୍ଗିକୃତ କରିଛନ୍ତି । ଦିଗପହଣ୍ଡି ଆର୍ଏମ୍ସି ପରିସରରେ ନିର୍ମାଣ ହେବାକୁ ଥିବା କପା ପ୍ରକ୍ରିୟାକରଣ କଳର ମଧ୍ୟ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଇଞ୍ଜିନିୟରିଂ ସ୍କୁଲ ଛକ-ଲାଞ୍ଜିପଲ୍ଲୀ ରେଳ ଓଭର ବ୍ରିଜ୍ ନିର୍ମାଣ ପାଇଁ ୨୦୧୫ରେ ୨୭କୋଟି ୪୨ଲକ୍ଷ ଟଙ୍କା ଖର୍ଚ୍ଚ ବ୍ୟୟରେ କାର୍ଯ୍ୟ ଆରମ୍ଭ ହୋଇଥିଲା । ଜମି ଅଧିଗ୍ରହଣ ଓ ଅନ୍ୟାନ୍ୟ ଖର୍ଚ୍ଚ ମିଶାଇ ମୋଟ ୪୩କୋଟି ଟଙ୍କା ଖର୍ଚ୍ଚ ହୋଇଥିବା ଜଣାପଡିଛି । ଏହି ଓଭରବ୍ରିଜ୍ ନିର୍ମାଣରେ ବହୁ ବିଳମ୍ବ ହେବାସହ ଅଞ୍ଚଳବାସୀଙ୍କ ପକ୍ଷରୁ ବହୁ ବାଦ ବିବାଦ ଲାଗିବା ସହ କିଛି ସ୍ଥାନୀୟବାସିନ୍ଦା ଉଚ୍ଚ ନ୍ୟାୟାଳୟର ଦ୍ୱାରସ୍ଥ ମଧ୍ୟ ହୋଇଥିଲେ । ଉଦ୍ଘାଟନକୁ ବିଜେପି କାର୍ଯ୍ୟକର୍ତ୍ତା ପକ୍ଷରୁ ବିରୋଧ କରାଯାଇଥିଲା । ଇଞ୍ଜିନିୟରିଂ ସ୍କୁଲ ଛକ ଠାରେ ଆୟୋଜିତ ଉଦ୍ଘାଟନୀ ଉତ୍ସବରେ ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ, ପୂର୍ବତନ ବିଧାୟକ ତଥା ଜିଲ୍ଲା ବିଜେଡି ସଭାପତି ଡ. ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ, ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ, ବ୍ରହ୍ମପୁର ଉପଜିଲ୍ଲାପାଳ ସିନ୍ଧେ ଦତାତ୍ରୟ ଭାଉସାହେବ ପ୍ରମୁଖ ଉପସ୍ଥିତ ଥିଲେ । ଭୁବନେଶ୍ୱର ଠାରେ ୫-ଟି ସଚିବ ଭି.କେ ପାଣ୍ଡିଆନ କାର୍ଯ୍ୟକ୍ରମ ପରିଚାଳନା କରିଥିବାବେଳେ ଢ଼େଙ୍କାନାଳରୁ ଭିଡିଓ କନ୍ଫେରେନ୍ସିଂ ଜରିଆରେ ପୂର୍ତ୍ତ ବିଭାଗ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ଓ ଭୁବନେଶ୍ୱରରୁ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଏଥିରେ ଭାଗନେଇ ନିଜ ନିଜର ମତ ପ୍ରକାଶ କରିଥିଲେ । ଜିଲ୍ଲାପାଳ ଶ୍ରୀ କୁଲାଙ୍ଗେ ସ୍ୱାଗତ ଭାଷଣ ଦେଇଥିବା ବେଳେ ମୁଖ୍ୟମନ୍ତ୍ରୀ ସୁଇଚ୍ ଚିପି ୨ ପ୍ରକଳ୍ପକୁ ଉଦ୍ଘାଟନ ଓ ଶିଳାନ୍ୟାସ କରିଥିଲେ । କରୋନା ମହାମାରୀକୁ ଗଞ୍ଜାମରେ ପ୍ରତିହତ କରିବା ପାଇଁ ଜିଲ୍ଲା ପ୍ରଶାସନର ସୁପରିଚାଳନାକୁ ପ୍ରଶଂସା କରିଥିଲେ ମୁଖ୍ୟମନ୍ତ୍ରୀ । ବ୍ରହ୍ମପୁର ତଥା ଗଞ୍ଜାମ ଜିଲ୍ଲାର ବିକାଶରେ ସେ ଗୁରୁତ୍ୱଦେଇ ଆସୁଥିବା ବେଳେ ସ୍ୱାସ୍ଥ୍ୟ, ଶିକ୍ଷା, ଗମନାଗମନ କ୍ଷେତ୍ରରେ ବ୍ରହ୍ମପୁର ସହର ଦକ୍ଷିଣ ଓଡ଼ିଶାର ହବ୍ ପାଲଟିଥିବା ମୁଖ୍ୟମନ୍ତ୍ରୀ କହିଥିଲେ । ଦିଗପହଣ୍ଡିରେ ପିପିପି ମୋଡରେ ୨୨କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେବାକୁ ଥିବା କପା ପ୍ରକ୍ରିୟାକରଣ କଳ ଦ୍ୱାରା ଗଞ୍ଜାମର ୭ରୁ ଅଧିକ ବ୍ଲକ୍ର କପା ଚାଷୀ ଉପକୃତ ହେବେ । ଏହାସହ ପ୍ରତ୍ୟକ୍ଷ ଭାବେ ୧୦୦ଜଣ କୁଶଳୀ ଓ ଅଣକୁଶଳୀ ଶ୍ରମିକ କାମ କରିବେ । ଏହି କପା କଳରୁ ଦୈନିକ ୫୦କ୍ୱିଣ୍ଟାଲ କପା ଉତ୍ପାଦନ ପାଇଁ ଲକ୍ଷ୍ୟ ରଖାଯାଇଥିବା ଜିଲ୍ଲାପାଳ ସୂଚନା ଦେଇଛନ୍ତି । ଏହି ଓଭରବ୍ରିଜ୍ ଦ୍ୱାରା ବ୍ରହ୍ମପୁୂର ମହାନଗର ନିଗମର ୪୦ଟି ୱାର୍ଡର ଲୋକେ ଉପକୃତ ହୋଇପାରିବେ ବୋଲି ସାଂସଦ ଚନ୍ଦ୍ରଶେଖର ସାହୁ କହିବା ସହ ଏହି ମହାମାରୀ ସମୟରେ ମୁଖ୍ୟମନ୍ତ୍ରୀ ସହରବାସୀଙ୍କୁ ଦେଇଥିବା ଭେଟି ଯୋଗୁ ସହରବାସୀଙ୍କ ତରଫରୁ ସେ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଥିବା କହିଥିଲେ । କାର୍ଯ୍ୟକ୍ରମରେ ବିଏମ୍ସି କମିଶନର ସିଦ୍ଧେଶ୍ୱର ବଳିରାମ ବନ୍ଦାରୋ, ଜିଲ୍ଲା କୋଭିଡ୍ ପରିଚାଳନା ଦାୟୀତ୍ୱରେ ଥିବା ଆଇଏସ୍ କୀର୍ତ୍ତିଭାସନ, ପୂର୍ତ୍ତ ବିଭାଗ ଅଧିକ୍ଷଣଯନ୍ତ୍ରୀ ତୁଷାରକାନ୍ତ ପଣ୍ଡା, ନିର୍ବାହୀଯନ୍ତ୍ରୀ ତପନ ପାଣିଗ୍ରାହୀଙ୍କ ସମେତ ପୂର୍ବତନ ବିଡିଏ ଅଧ୍ୟକ୍ଷ ସୁବାଷ ମହାରଣା, ମହିଳା ସଭାନେତ୍ରୀ ସଂଘମିତ୍ରା ଦଳାଇ, ତୁମ୍ବନାଥ ପଣ୍ଡା, ବନମାଳୀ ସେଠୀ, ମୁକୁନ୍ଦ ଗୌଡ, ଆର୍.ମୂରଲୀମୋହନଙ୍କ ସମେତ ବହୁ ଅଞ୍ଚଳବାସୀ ଉପସ୍ଥିତ ଥିଲେ । ଉଦ୍ଘାଟନ ପୂର୍ବରୁ ବିରୋଧ କରୁଥିବା ୩୦ରୁ ଊର୍ଦ୍ଧ୍ୱ ବିଜେପି କର୍ମୀଙ୍କୁ ପୋଲିସ ଘଟଣାସ୍ଥଳରୁ ଉଠାଇ ନେଇ ପରେ ଛାଡିଥିବା ଜଣାପଡିଛି ।