-
ସମାଧାନ ନହେଲେ ଆନ୍ଦୋଳନ କରିବାକୁ ନିଷ୍ପତ୍ତି
ବାଲେଶ୍ଵର, ୯/୯: (କୃଷ୍ଣ କୁମାର ମହାନ୍ତି) ଅଫଲାଇନ ପରୀକ୍ଷାକୁ ବିରୋଧ କରି ବାଲେଶ୍ଵର ଓ ଭଦ୍ରକ ସରକାରୀ ଶିକ୍ଷକ ଶିକ୍ଷା ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନେ ବୁଧବାର ସକାଳେ ଫକୀର ମୋହନ ବିଶ୍ବବଦ୍ୟାଳୟର କୁଳପତି ପ୍ରଫେସର ଡ଼କ୍ଟର ମଧୁମିତା ଦାସଙ୍କୁ ଭେଟିଛନ୍ତି । ଛାତ୍ରନେତା ହରେକୃଷ୍ଣ ପ୍ରଧାନଙ୍କ ନେତୃତ୍ୱରେ ଦୁଇ କଲେଜର ୫୦ରୁ ଉର୍ଦ୍ଧ୍ଵ ଛାତ୍ରଛାତ୍ରୀ କୁଳପତି ଏବଂ ପରୀକ୍ଷା ନିରୀକ୍ଷକଙ୍କୁ ଭେଟି ଅନ୍-ଲାଇନ୍ ଅବା ମିଶ୍ରିତ (ଓପେନ୍ ଵୁକ୍) ପ୍ରଥାରେ ପରୀକ୍ଷା କରିବାକୁ ନିବେଦନ କରିଛନ୍ତି । ସମାଧାନର ବାଟ ମିଳିନଥିବା ବେଳେ କର୍ତ୍ତୃପକ୍ଷଙ୍କ ମଧ୍ୟରେ ବୈଠକ ପରେ ନିଷ୍ପତ୍ତି ନିଆଯିବ ବୋଲି କୁଳପତି ଡକ୍ଟର ଦାସ ସୂଚନା ଦେଇଛନ୍ତି।
ସୂଚନା ମୁତାବକ, ବର୍ତ୍ତମାନ ସର୍ବତ୍ର କୋଭିଡ୍ ର ଭୟାବହତା ଥିବାବେଳେ ବିଭିନ୍ନ ବିଶ୍ଵବିଦ୍ୟାଳୟ ଓ କଲେଜ୍ ଅନଲାଇନ୍ ଓ ଓପେନ ବୁକ ପରୀକ୍ଷା କରୁଛନ୍ତି। ଏହାଛଡା, ମଙ୍ଗଳବାର ବାଲେଶ୍ଵର ସରକାରୀ ଶିକ୍ଷକ ଶିକ୍ଷା ମହାବିଦ୍ୟାଳୟର ଜଣେ ଅଣଶିକ୍ଷକ କର୍ମଚାରୀଙ୍କ କୋଭିଡରେ ମୃତ୍ୟୁ ହୋଇଥିବା ବେଳେ ଅନ୍ୟଜଣେ କର୍ମଚାରୀ ରୋଗରେ ସଂକ୍ରମିତ ଅଛନ୍ତି । ପରୀକ୍ଷା ଦେବାକୁ ଥିବା କିଛି ପିଲା ମଧ୍ୟ କୋଭିଡ଼ରେ ସଂକ୍ରମିତ ହୋଇ ଘରୋଇ ଆଇସୋଲେଶନରେ ରହିଛନ୍ତି। ସେହିପରି ଛାତ୍ରଛାତ୍ରୀ ମାନେ ବିଭିନ୍ନ ଜିଲ୍ଲାରୁ ରହୁଥିବାରୁ ପରୀକ୍ଷା ସମୟରେ ସେମାନଙ୍କର ରହିବା, ଖାଇବା ଏବଂ ଗମନା ଗମନରେ ଅସୁବିଧା ରହିଛି ।
ଏଥିନେଇ ଛାତ୍ରଛାତ୍ରୀମାନେ ବାରମ୍ବାର ଶିକ୍ଷକ ଶିକ୍ଷା ମହାବିଦ୍ୟାଳୟ ଓ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ଅବଗତ କରାଇଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିଲା। ମଙ୍ଗଳବାର ଅଫଲାଇନ୍ ପରୀକ୍ଷା ପାଇଁ ସୂଚୀ ବାହାରିବା ପରେ ଛାତ୍ରଛାତ୍ରୀମାନେ ଏହାକୁ ବିରୋଧ କରିଛନ୍ତି । ଯଥାଶୀଘ୍ର ସମାଧାନ ସ୍ଵରୂପ ଏହାର ବିକଳ୍ପ କରାନଗଲେ ଛାତ୍ରଛାତ୍ରୀମାନେ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ସୂଚନା ଦେଇଛନ୍ତି । ଦୁଇ କଲେଜର ଛାତ୍ରନେତାଙ୍କ ମଧ୍ୟରେ ସମ୍ପାଦକ କ୍ରିଷ୍ଣାନନ୍ଦ ଦାସ, ସଞ୍ଜୟ କୁମାର, ମାନସ ରଞ୍ଜନ ଭୋଇ, ଜିତେନ୍ଦ୍ର ହାତୀ, ବଂଶୀଧର ପ୍ରଧାନ, ରେଖାଲତା ସାହୁ, କଦର୍ ଖାନ ପ୍ରମୁଖ ଏହି ଆନ୍ଦୋଳନର ନେତୃତ୍ଵ ନେଇଥିଲେ ।