ରାଉରକେଲା– ସୁନ୍ଦରଗଡ ଜିଲ୍ଲା କୁଆଁରମୁଣ୍ଡା ଥାନା ଇଲାକାରେ କମ୍ପାନୀ ଲିବରଟି ହାଉସରେ ଜଣେ ଆଦିବାସି ମହିଳାଙ୍କୁ ଏକାକି ପାଇ ସେହି କାରଖାନାର ଅଧିକାରୀ ପିକେ ଦାସ ନାମକ ବ୍ୟକ୍ତି ଅସଦାଚରଣ କରିଥିବା ଅଭିଯୋଗ ଉପରେ ବାରମ୍ବାର ମିଡିଆ ରିପୋର୍ଟ ଓ ପୂର୍ବତନ ବିଧାୟକ ଜର୍ଜ ତିର୍କୀ ପୁଲିସ ଡିଜିଙ୍କୁ ଜଣାଇବା ପରେ ବୀରମିତ୍ରପୁର ପୁଲିସ ଏନେଇ ପି କେ ଦାସଙ୍କ ନାମରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ମାମଲାରେ ୩୫୪/୩୫୪ଏ,୩୧ଡବ୍ଲୁ୨ ଓ୩୨ଭିଏ ଦଫା ଲାଗିଛି ବୋଲି ଘଟଣାର ତଦନ୍ତ କରୁଥିବା ଡିଏସପି ନିବେଦିତା ସୋରେନ କହିଛନ୍ତି ।
ଅନ୍ୟପକ୍ଷରେ ଏହି ଘଟଣାକୁ ନେଇ ବର୍ତମାନ ସୁଦ୍ଧା ନୀରବ ଥିବା ବୀରମିତ୍ରପୁର ବିଧାୟକ ଶଙ୍କର ଓରାମ ସେହି କାରଖାନା ସମ୍ମୁଖରେ ଅଭିଯୁକ୍ତର ଗିରଫଦାରି ଦାବିରେ ଧାରଣାରେ ବସିଥିବା ଜଣାପଡିଛି । ତେବେ ବର୍ତମାନ ସୁୁଦ୍ଧା ଅଭିଯୁକ୍ତ ପିକେ ଦାସକୁ ଗିରଫ କରାଯାଇ ପାରିନାହିଁ । ବର୍ତମାନ ପ୍ରଶ୍ନ ଉଠୁଛି ମାମଲା ଘଟିବା ପରେ ପିଡିତା ତୁରନ୍ତ ନ୍ୟାୟ ଦାବି କରି ତାଙ୍କ କାରଖାନାରେ ମୁଖ୍ୟ ଶୁଭେନ୍ଦୁ ଦାସଙ୍କୁ ଜଣାଇଥିଲେ । କିନ୍ତୁ ସେ ଏନେଇ ଆଜିଯାଏ ପୁଲିସକୁ ଖବର ଦେଇନଥିଲେ ବୋଲି ଖୋଦ ଡିଏସପି କହିଛନ୍ତି । ଯଦି ଏହା ସତ୍ୟ ତେବେ ମାମଲାକୁ ପୁଲିସ ଠାରୁ ଲୁଚାଇ ରଖିବା ଅଭିଯୋଗରେ ଶ୍ରୀ ଦାସଙ୍କ ବିରୋଧରେ କାହିଁକି ମାମଲା ରୁଜ୍ଜୁ କରାନଜିବ ବୋଲି ପ୍ରଶ୍ନ ହେଉଛି । ଶ୍ରୀ ଦାସ ସବୁ କଥା ଜାଣିବା ପରେ ଏନେଇ କାରଖାନା ସମେତ ଜଣେ ମହିଳାଙ୍କୁ ମିଶାଇ ୩ ଜଣିଆ କମିଟି କରି ମାମଲାର ତଦନ୍ତ କରାଉଥିଲେ । ହେଲେ ତଦନ୍ତ ରିପୋର୍ଟ ଆଜିଯାଏ ତ ବାହାରି ପାରିଲାନି କିନ୍ତୁ ଏହି ସବୁ ଆଳରେ କାରଖାନା କର୍ତୁପକ୍ଷ ଅଭିଯୁକ୍ତଙ୍କୁ କାରଖାନାରୁ ଇସ୍ତଫା ଦେଇ ପଳାଇଜିବାରେ ଷଡଯନ୍ତ୍ର କରି ଖସାଇବାରେ ସହଯୋଗ କଲେ ବୋଲି ଅଭିଯୋଗ ହେଉଛି । ଯଦି ଏହା ଏକ ଷଡଯନ୍ତ୍ର ବୋଲି ଧରାଜିବ ତେବେ କାରଖାନା ମୁଖ୍ୟ ଶୁଭେନ୍ଦୁ ବାବୁଙ୍କୁ କାହିଁକିି ଏହି ମାମଲାରେ ସାମିଲ କରାନଜିବ ବୋଲି ସାଧାରଣରେ ପ୍ରଶ୍ନ ହେଉଛି । ଘଟଣା ତଦନ୍ତ ଓ ଗିରଫଦାରିର ସମୟ, ଦିନକ ପରେ ଦିନ ଗଡିଚାଲିଛି, ହେଲେ ତଦନ୍ତରେ ସମସ୍ତେ ସହଯୋଗ କରୁନଥିବାରୁ ପୁଲିସ ମଧ୍ୟ କୌଣସି ଶେଷ ନିର୍ଯ୍ୟାସରେ ପହଁଚି ପାରୁନଥିବା ଦେଖାଯାଉଛି । ଗୋଟାଏ ପଟେ କୁଆଡେ ପିଡିତା ଏନେଇ ବୟାନ ନଦେବାକୁ ଚାପରେ ରହୁଥିବା ବେଳେ କାରଖାନା କର୍ତୃପକ୍ଷ ପିଡିତା ଜଣଙ୍କୁ ସାହାଜ୍ୟ କରିବା ଲାଗି ଏଯାଏ ଆଗେଇ ଆସିବା ଦେଖାଯାଉ ନାହିଁ । ଫଳରେ ପୁଲିସ ଏନେଇ ଆଗେଇ ପାରୁନଥିବା କୁହାଯାଉଛି । ସେପଟେ ଅଭିଯୁକ୍ତ ସେଠାରୁ ଇସ୍ତଫା ଦେଇ ତା ରାସ୍ତାରେ ଥିବା ବେଳେ, ପୁଲିସ ପଚାରିବାରୁ ସେ ଝିଅକୁ ସେ ଚିହ୍ନି ନଥିବା କହୁଥିବା ଖବର ମିଳଛି । ଘଟଣା ଘଟିବା ପରଠାରୁ ବହୁ ପଲିଟିକାଲ ନେତା ଏହି ଗୋଳିଆ ପାଣିରୁ କିଛି ଫାଇଦା ଲାଗି ଚେଷ୍ଟା କରିଥିବା କୁହାଯାଉଥିବା ବେଳେ ପ୍ରଥମ କରି ଜର୍ଜ ତିର୍କୀ ଏହାର ତଦନ୍ତ ଦାବି କରିଥିଲେ । ପରେ ବିଧାୟକ ଶଙ୍କର ବାବୁ ଧାରଣାରେ ବସିଛନ୍ତି, କିନ୍ତୁ ସବୁବେଳେ ଆଦିବାସିଙ୍କ ଲାଗି କାନ୍ଦୁଥିବା ଧବ ଦଉଳିଆ ବାବୁ ମାନେ କାହିଁକି ଏହି ମାମଲାରେ ଚୁପ୍ ରହିଛନ୍ତି ତାହା ଏବେ ବୁଦ୍ଧିଜୀବି ମହଲରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଜଣେ ଆଦିବାସି ମହିଳାଙ୍କୁ ନ୍ୟାୟ ଦେବା ଲାଗି ତାଙ୍କୁ କୌଣସି ଦଳ ପକ୍ଷରୁ କିମ୍ବା କାରଖାନା ବାଲାଙ୍କ ପକ୍ଷରୁ ତାଙ୍କୁ ବୁଝାଯାଉନଥିବା କୁହାଯାଉଛି । ଯାହାଦ୍ୱାରା ପିଡିତା ଚାପରେ ରହି କିଛି କହୁନଥିବା ଖବର ମିଳିଛି । ତେବେ ଏହି ମାମଲାରେ ସ୍ଥିତି ଯଦି ଏଇଆ ରୁହେ ତେବେ ପିଡିତାଙ୍କୁ କିଏ ନ୍ୟାୟ ଦେବ ଓ ମାମଲାର ଗତି କୁଆଡେ ଜିବ ସେ ନେଇ ସାଧାରଣରେ ନାନା କଥା ଆଲୋଚନା ଚାଲିଛି ।