ଭୁବନେଶ୍ୱର– ଜେଇଇ ପରୀକ୍ଷା କରାଇବାକୁ ନେଇ ବିରୋଧ ଓ ବାଦ ବିବାଦ ପରେ ସମ୍ପୂର୍ଣ କରୋନା କଟକଣା ମଧ୍ୟରେ ମଙ୍ଗଳବାରଠାରୁ ସାରା ଦେଶରେ ଜେଇଇ ମେନ୍ ଅନୁଷ୍ଠିତ ହୋଇଛି । ଆଗାମୀ ସେପ୍ଟେମ୍ବର ୬ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ପରୀକ୍ଷା ପାଇଁ ସାରା ଦେଶରେ ୬୬୦ ପରୀକ୍ଷା କେନ୍ଦ୍ର ହୋଇଛି ଏବଂ ୯ଲକ୍ଷ ୫୩ହଜାର ୪୭୩ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଉଛନ୍ତି ।
କରୋନା କାରଣରୁ ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଗତଥର ଅପେକ୍ଷା ଏଥର ପରୀକ୍ଷା କେନ୍ଦ୍ର ସଂଖ୍ୟା ବଢ଼ାଇ ଦିଆଯାଇଛି । ପ୍ରତି ସିଫ୍ଟରେ ୮୫ହଜାର ଛାତ୍ରଛାତ୍ରୀ ପରୀକ୍ଷା ଦେଉଛନ୍ତି । ସକାଳ ୯ଟାରୁ ୧୨ଟା ପର୍ଯ୍ୟନ୍ତ ପ୍ରଥମ ଓ ଅପରାହ୍ନ ୩ଟାରୁ ୬ଟା ମଧ୍ୟରେ ଦ୍ୱିତୀୟ ସିଫ୍ଟ ପରୀକ୍ଷା କରାଯାଉଛି
ଚଳିତଥର ଓଡ଼ିଶାରୁ ୩୮ହଜାର ୨୩୬ଜଣ ଛାତ୍ରଛାତ୍ରୀ ଜେଇଇ ମେନ୍ ପରୀକ୍ଷା ଦେବା ପାଇଁ ପଞ୍ଜୀକରଣ କରିଛନ୍ତି । ଭୁବନେଶ୍ୱର ସହରରେ ସର୍ବାଧିକ ୬ଟି ପରୀକ୍ଷା କେନ୍ଦ୍ରରେ ୧୬ହଜାର ଛାତ୍ରଛାତ୍ରୀ ପରୀକ୍ଷା ଦେବାକୁ ଥିବା ବେଳେ ବ୍ରହ୍ମପୁର, କଟକ, ସମ୍ବଲପୁର, ରାଉରକେଲା, ବାଲେଶ୍ୱର, ଢେଙ୍କାନାଳ ସହରରେ ବାକି ୨୦ଟି କେନ୍ଦ୍ର ହୋଇଛି ।