![](https://indokalingtimes.com/wp-content/uploads/2019/10/20191002_101114.jpg)
ମାଲକାନଗିରି – ବାଲିମେଳା ଥାନା ଏମ.ଭି.୧୦୯ ଗ୍ରାମର ସୁଶୀଲ କୁମାର ପାଣ୍ଡେ ନାମକ ଜନୈକ ବ୍ୟକ୍ତି ତାଙ୍କ ପୁତ୍ରଙ୍କ ନାମରେ ଥିବା କିଛି ଜମିକୁ ନେଇ ତାଙ୍କ ପରିବାର ଭିତରେ ଅଶାନ୍ତି ହୋଇଥିବା ଦର୍ଶାଇ ଗୋଟିଏ ଦରଖାସ୍ତ ଜିଲ୍ଲା ଆଇନସେବା ପ୍ରାଧିକରଣ ଅଫିସରେ ଦେଇ ଏହାର ସମାଧାନ କରିବା ପାଇଁ ଅନୁରୋଧ କରିଥିଲେ । ଜିଲ୍ଲା ଆଇନସେବା ସଚିବ ଶ୍ରୀ ଅମରେଶ ନାୟକ ଉଭୟ ପକ୍ଷଙ୍କୁ ଡକାଇ ଏହାର ସମାଧାନ କରି ଚିତ୍ରକୋଣ୍ଡା ତହସିଲଦାରଙ୍କୁ ସଂଶୋଧନ କରିବା ।ପଇଁ ଜଣାଇଛନ୍ତି ।
ସେହିପରି କୋରୁକୋଣ୍ଡା ଗ୍ରାମର ମାରିଆମା ଚିନାଲ ନାମକ ଜଣେ ମହିଳା ଜିଲ୍ଲା ଆଇନସେବା ପ୍ରାଧିକରଣ ଅଫିସରେ ଗୋଟିଏ ଦରଖାସ୍ତ ଦେଇ ଜଣାଇଥିଲେ ଯେ, କୋରୁକୋଣ୍ଡାରେ ସେ ବାସ କରୁଥିବା ଘରକୁ ସରକାରୀ ରାସ୍ତା ଥିଲା, କିନ୍ତୁ ସେଠାକାର ଜଣେ ବ୍ୟକ୍ତି ସେହି ରାସ୍ତାକୁ ଅବରୋଧ କରି ଘର ତିଆରି କରିବାକୁ ଯାଉଥିବାରୁ ତାଙ୍କ ଘରକୁ ରାସ୍ତା ବନ୍ଦ ହୋଇଯାଇଥିବା ଜଣାଇ ଏହାର ସମାଧାନ କରିବା ପାଇଁ ଅନୁରୋଧ କରିଥିଲେ । ଜିଲ୍ଲା ଆଇନସେବା ସଚିବ ଶ୍ରୀ ଅମରେଶ ନାୟକ ଉଭୟ ପକ୍ଷଙ୍କ ଉପସ୍ଥିତିରେ ଏଥିରେ ସମାଧାନ କରିବା ଫଳରେ ଅବରୋଧ କରିଥିବା ବ୍ୟକ୍ତି ସେହି ରାସ୍ତାକୁ ଛାଡ଼ିଦେଲେ ଏବଂ ଆବେଦନ କରିଥିବା ମହିଳାଙ୍କ ଘରକୁ ରାସ୍ତା ହୋଇପାରିଲା ।
ମାଲକାନଗିରିରେ ଅବସ୍ଥିତ ବଜରଙ୍ଗବାଲି ଉନ୍ନତ ଟ୍ରଷ୍ଟର ଅଧ୍ୟକ୍ଷ ଜିଲ୍ଲା ଆଇନ ସେବା ପ୍ରାଧିକରଣ, ମାଲକାନଗିରିରେ ଗୋଟିଏ ଦରଖାସ୍ତ ଦେଇ ଜଣାଇଥିଲେ ଯେ, ତାଙ୍କ ଶିକ୍ଷା ଅନୁଷ୍ଠାନରେ ଯୁକ୍ତ ଦୁଇ ପଢ଼ୁଥିବା କେତେକ ଛାତ୍ରଛାତ୍ରୀଙ୍କୁ କମ୍ ମୂଲ୍ୟରେ ଛାତ୍ରଛାତ୍ରୀ ଆବାସ ତଥା ଟିଉସନ ସହ ଅନ୍ୟାନ୍ୟ ସୁବିଧା ମଧ୍ୟ ଯୋଗାଇ ଦିଆଯାଉଥିଲା । ଯାହାଫଳରେ ଶିକ୍ଷାର ଉନ୍ନତି ହୋଇଥିଲା ଏବଂ ଛାତ୍ରଛାତ୍ରୀ ମଧ୍ୟ ଭଲ ମାର୍କ ରଖି ଉତୀର୍ଣ୍ଣ ହୋଇଛନ୍ତି । କିନ୍ତୁ ସେଥିରୁ କେତେଜଣ ଛାତ୍ରଛାତ୍ରୀ ତାଙ୍କର ଶିକ୍ଷା ସାରିବା ପରେ ମଧ୍ୟ ଅନୁଷ୍ଠାନକୁ ଦେୟ ଥିବା ଟଙ୍କା ଜମାକରୁ ନାହାନ୍ତି, ଯାହାଫଳରେ ଅନୁଷ୍ଠାନଟି ଚଳାଇବାର ଅସୁବିଧା ହୋଇଥିବା କଥା ଦରଖାସ୍ତ ଦେଇ ଏହାର ସମାଧାନ କରିବା ପାଇଁ ଜଣାଇଥିଲେ । ଦରଖାସ୍ତଟି ସଚିବ ଶ୍ରୀ ଅମରେଶ ନାୟକ ଗ୍ରହଣ କରି, ଦରଖାସ୍ତରେ ଲେଖାଥିବା ଛାତ୍ର/ଛାତ୍ରୀଙ୍କୁ ଜଣାଇ ଏହାର ସମାଧାନ କରିବାରେ ସମସ୍ତ ଛାତ୍ର/ଛାତ୍ରୀ ଅନୁଷ୍ଠାନରେ ବଜାୟ ଥିବା ଟଙ୍କା ପଇଠ କରିଥିଲେ, ଏବଂ ଅଧ୍ୟକ୍ଷ ତାହା ଗ୍ରହଣ କରି ଏଥିରେ ରସିଦ ପ୍ରଦାନ କରିଥିଲେ ।
ମାଲକାନଗିରି ସହରରେ ଜଣେ ଭଲ ଶିକ୍ଷିତ ବୟୋଜ୍ୟେଷ୍ଠ ଜିଲ୍ଲା ଆଇନସେବା ପ୍ରାଧିକରଣ ଅଫିସରେ ଦରଖାସ୍ତ ଦେଇ ଜଣାଇଥିଲେ ଯେ, ମାଲକାନଗିରିରେ ଥିବା ଗୋଟିଏ କୋଠାକୁ ମାସିକ ଭତା ଆକାରରେ ଗତ ସେପ୍ଟେମ୍ବର ୨୦୧୩ ଠାରୁ ମନୋଜ ରେଷ୍ଟୁରାଂଟ ହୋଟେଲରେ ମାଲିକଙ୍କୁ ଦେଇଥିଲେ କିନ୍ତୁ ହୋଟେଲ ମାଲିକ ତାଙ୍କୁ ନିୟମିତ ଭଡ଼ା ଦେଉନାହାନ୍ତି ଏବଂ ଘରର ବିଦ୍ୟୁତ ବିଲ୍ ବାନ୍ଧୁ ନାହାନ୍ତି ନିୟମିତ ଭଡ଼ା କଥା କହିଲେ ଖରାପ ବ୍ୟବହାର ଦେଖାଉଛନ୍ତି, ଏହାର ସମାଧାନ ପାଇଁ ଅନୁରୋଧ କରିଥିଲେ । ଦରଖାସ୍ତଟିକୁ ଗୁରୁତ୍ୱ ମନେକରି ମାଲକାନଗିରି ଥାନାକୁ ଚିଠି କରିବାରେ, ସେଠାରେ ଉଭୟ ପକ୍ଷଙ୍କ ଉପସ୍ଥିତିରେ ହୋଟେଲ ମାଲିକ ଆବେଦନକାରୀଙ୍କ ଘର ଭଡ଼ା ବାବଦରେ ମୋଟ ତିନିଲକ୍ଷ ବାବନ ହଜାର ଟଙ୍କାର ଚେକ୍ ଦେଇଥିଲେ ଯାହା ଫଳରେ ଆବେଦନକାରୀ ତାଙ୍କର ପ୍ରାପ୍ୟ ପାଇପାରିଲେ, ବିଦ୍ୟୁତ ବିଲ୍ ପାଇଲେ ସମସ୍ତ ଦେୟ ଜମାକରି ଦେବାକଥା ମଧ୍ୟ ହୋଟେଲ ମାଲିକ ଜଣାଇଛନ୍ତି ।