Related Stories
November 23, 2024
ବ୍ରହ୍ମପୁର: କର୍ପୋରେସନ ରୋଡସ୍ଥିତ ଗଜପତି ପ୍ଲାଜାର ୫ଏକର ଜାଗାରେ ୨୨କୋଟି ୪୫ଲକ୍ଷ ଟଙ୍କାରେ ନିର୍ମାଣ ହେବାକୁ ଥିବା ବହୁ ପ୍ରତୀକ୍ଷିତ ଗଞ୍ଜାମ ହାଟ୍ର ଭୂମିପୂଜା ହୋଇଯାଇଛି । ସୋମବାର ପବିତ୍ର ସ୍ୱୟତ୍ତ ଶାସନ ଦିବସ ଅବସରରେ ବ୍ରହ୍ମପୁର ଉନ୍ନୟନ କର୍ତ୍ତୃପକ୍ଷ ଅଧିନରେ ଥିବା ଏହି ସ୍ଥାନରେ ଏହି ଗଞ୍ଜାମ ହାଟ୍ କାର୍ଯ୍ୟ ଆରମ୍ଭ ହେବ । ଏହା ପରିସରରେ ୭୦ହଜାର ବର୍ଗଫୁଟରେ ୩ମହଲା ବିଶିଷ୍ଟ ମଲ୍ଟିପୁଲ୍ ମାର୍କେଟ କମ୍ପେ୍ଲକ୍ସ ନିର୍ମାଣ କରାଯିବ । ଏହାର ନିର୍ମାଣପରେ ୩ମହଲା ବିଶିଷ୍ଟ କୋଠାରେ ବ୍ୟବସାୟିକ ପ୍ରତିଷ୍ଠାନମାନ କାର୍ଯ୍ୟକ୍ଷମ ହେବ । ଯାହାକି ପରବର୍ତ୍ତୀ ସମୟରେ ବିଡିଏ କରିଥିବା ଖର୍ଚ୍ଚ ସେମାନଙ୍କ ଠାରୁ ଆଦାୟ ହୋଇପାରିବ । ବ୍ରହ୍ମପୁର ଉନ୍ନୟନ କର୍ତ୍ତୃପକ୍ଷ(ବିଡିଏ) ଉକ୍ତ ସ୍ଥାନରେ ଗଞ୍ଜାମ ଜିଲ୍ଲାର କଳା ଓ ସଂସ୍କୃତି, ଖୋଲାମଞ୍ଚ, ବରିଷ୍ଠ ନାଗରିକଙ୍କ ପାଇଁ ପାଦଚଲା ରାସ୍ତା, ଶିଶୁ ଉଦ୍ୟାନ, ଦିବ୍ୟାଙ୍ଗମାନଙ୍କ ପାଇଁ ପାର୍କ, କମର୍ସିଆଲ ହବ୍, ପ୍ରଦର୍ଶନୀ ପିଡିଆ ଭଳି ବିଭିନ୍ନ କିଷମର ମନୋରଞ୍ଜନ କାର୍ଯ୍ୟକ୍ରମ କରିବା ପାଇଁ ଏଠାରେ ଉପଲବ୍ଧ ହୋଇପାରିବା ନେଇ ବିଡିଏ ଏହାର ରୂପରେଖ ପ୍ରସ୍ତୁତ କରିଛି । ସହରବାସୀଙ୍କ ମନୋରଞ୍ଜନ ପାଇଁ କୌଣସି ସୁବିଧା ନଥିବାରୁ ଏହା ସହରବାସୀଙ୍କ ଉପଯୋଗୀ ହୋଇପାରିବ ବୋଲି ଜଣାପଡିଛି । ଗଞ୍ଜାମ ହାଟ୍ ପରିସରରେ ମହିଳା ଓ ବରିଷ୍ଠ ନାଗରିକଙ୍କ ପାଇଁ ଓପେନ୍ ଜିମ୍ ସହିତ ୨ହଜାର ଜନସାଧାରଣଙ୍କ ପାଇଁ ଉର୍ଦ୍ଦିଷ୍ଟ ଖୋଲା ସାଂସ୍କୃତିକ ମଣ୍ଡପ ନିର୍ମାଣ ମଧ୍ୟ କରାଯିବ । ଗଞ୍ଜାମ ହାଟ୍କୁ ଅତ୍ୟାଧୁନିକ ଶୈଳିରେ ନିର୍ମାଣକରି ପ୍ରତ୍ୟେକ ଦିନ ବିଭିନ୍ନ ପ୍ରକାର ପ୍ରଦର୍ଶନୀ ପାଇଁ ମଧ୍ୟ ଉପଲବ୍ଧ କରାଯିବ । ଏହାସହ ବହୁ ମହଲା ବିଶିଷ୍ଟ ପାର୍କିଂସ୍ଥଳ ମଧ୍ୟ ନିର୍ମାଣ ହେବ । ସୂଚନାଥାଉକି, ୨୦୧୯ ଜୁନ୍ ମାସରେ ଏକ ଘରୋଇ କମ୍ପାନୀ ସହିତ ଏହାର ନିର୍ମାଣ କାର୍ଯ୍ୟ ଚୁକ୍ତିନାମା ସ୍ୱାକ୍ଷର ହୋଇଥିଲା । ୧୮ମାସରେ ପ୍ରକଳ୍ପ କାର୍ଯ୍ୟ ଶେଷ କରିବାକୁ ଉଲ୍ଲେଖ ରହିଥିବା ବେଳେ ଡିସେମ୍ବର ୨୦୨୧ରେ ଉକ୍ତ ପ୍ରକଳ୍ପ ଶେଷ କରାଯାଇ ୨୦୨୨ରେ ଏହାର କାର୍ଯ୍ୟକ୍ଷମ ହେବ ବୋଲି ଜଣାପଡିଛି । କାର୍ଯ୍ୟାରମ୍ଭ ପୂର୍ବରୁ ସୋମବର ସ୍ୱାୟତ୍ତ ଶାସନ ଦିବସ ଅବସରରେ ବିଧିବଦ୍ଧ ଭାବେ ଭୂମିପୂଜା ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ ଯୋଗ ଦେଇଥିବା ବେଳେ ଗୋପାଳପୁର ବିଧାୟକ ଡା. ପ୍ରଦୀପ କୁମାର ପାଣିଗ୍ରାହୀ, ବ୍ରହ୍ମପୁର ବିଧାୟକ ବ୍ରିକମ କୁମାର ପଣ୍ଡା, ପୂର୍ବତନ ବିଡିଏ ଅଧ୍ୟକ୍ଷ ତଥା ବିଜେଡି ରାଜ୍ୟ ସମ୍ପାଦକ ସୁବାଶ ମହାରଣା ଯୋଗ ଦେଇଥିଲେ । ଶିଳାନ୍ୟାସ କାର୍ଯ୍ୟକ୍ରମପରେ ଜୋର୍ସୋର୍ରେ କାର୍ଯ୍ୟ ଆରମ୍ଭ ହେବା ସହ ନିର୍ଦ୍ଦାରିତ ସମୟସୀମା ମଧ୍ୟରେ କାର୍ଯ୍ୟ ଶେଷ କରିବାକୁ ଠିକା ସଂସ୍ଥାକୁ ନିର୍ଦ୍ଦେଶ ଦିଆଯାଇଥିବା ବିଡିଏ ସଚିବ ସମ୍ବିତ ରାଉତ ସୂଚନା ଦେଇଛନ୍ତି । ଉକ୍ତ ପ୍ରକଳ୍ପକୁ ନେଇ ସାଂସଦ ଶ୍ରୀ ସାହୁ କହିଛନ୍ତି ଯେ, ଏହି ଜାଗାକୁ ନେଇ ବହୁବର୍ଷଧରି ବହୁ ବିବାଦ ହୋଇଥିବା ବେଳେ ଉକ୍ତ ସ୍ଥାନକୁ ଏବେ ବ୍ରହ୍ମପୁର ତଥା ଗଞ୍ଜାମବାସୀଙ୍କ ପାଇଁ ମୁଖ୍ୟମନ୍ତ୍ରୀ ଉତ୍ସର୍ଗିକୃତ କରିଛନ୍ତି । ବ୍ରହ୍ମପୁର ସହରର ବିକାଶ ତଥା ଜନସାଧାରଣଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀଙ୍କ ଏଭଳି ପଦକ୍ଷେପକୁ ସେ ପ୍ରଶଂସା କରିବା ସହ ମୁଖ୍ୟମନ୍ତ୍ରୀଙ୍କୁ ସେ କୃତଜ୍ଞତା ଜଣାଇଛନ୍ତି ।