ମାଲକାନଗିରି – ମାଲକାନଗିରି ଜିଲ୍ଲା ଧୁରୁଆ ସମାଜର କଲଟା ତିଆର (ନୂଆଖାଇ) ୨୦୧୯ର ଭେଟଘାଟ୍ ଅନୁଷ୍ଠିତ ହୋଇଯାଇଛି । ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକର ବିଭିନ୍ନ ପଂଚାୟତରେ ଧୁରୁଆ ସମାଜର ଲୋକ ବସବାସ କରନ୍ତି । ପଶ୍ଚିମ ଓଡ଼ିଶା ବାସୀଙ୍କ ଭଳି ନୂଆଖାଇ ମାଲକାନଗିରି ଜିଲ୍ଲା ଧୁରୁଆ ସମାଜର ଗଣପର୍ବ । ଧୁରୁଆ ସମାଜର ବ୍ୟକ୍ତି ଯେଉଁଠାରେ ଥିଲେ ମଧ୍ୟ କଲଟା ତିଆର ମନାଇବା ପାଇଁ ନିଜ ନିଜ ଗ୍ରାମରେ ପହଂଚିଥାନ୍ତି । ଧୁରୁଆ ସମାଜର ଛତିଶଗଡ଼ ରାଜ୍ୟ ସହିତ ସମ୍ପର୍କ ରହିଥିବାରୁ ‘ତିଆର’ ଶବ୍ଦଟି ପରମ୍ପରା ଆଧାରିତ ହୋଇଛି । ଏହି ତିଆର୍ ଏକ କୃଷିଭିତିକ ପର୍ବ ଅଟେ । ଅଧିବାସୀ ମାନେ ଏହି ତିଆର୍ ରେ ନୂତନ ଧାନର ଚାଉଳ, ମକା, ବୋଇତି କଖାରୁ, ଖମ୍ବ ଆଳୁ ଓ ବିଭିନ୍ନ ଜଙ୍ଗଲଜାତ ପନିପରିବା ଖାଇଥାନ୍ତି । ନୂଆ ଚାଉଳର ଭାତ, ପିଠା ଓ ବିଭିନ୍ନ ପ୍ରକାରର ତରକାରୀ ଯେପରି ନଅ ତିଅଣ ତେର ଭଜା କରି ପ୍ରଥମେ ଗ୍ରାମଦେବୀ ନିକଟରେ ଲାଗି କରିଥାନ୍ତି । ମା’ ଙ୍କ ନିକଟରେ ପୂଜାର୍ଚ୍ଚନା ପରେ ଗ୍ରାମର ବୟଜ୍ୟୋଷ୍ଠ ବ୍ୟକ୍ତି ପ୍ରଥମେ ନୂଆ ଖାଆନ୍ତି, ପରେ ଅନ୍ୟ ମାନେ ନିଜ ନିଜର ବନ୍ଧୁ ପରିଜନ ଓ ପରିବାର ବର୍ଗଙ୍କ ସହିତ ଏକାଠି ବସି ଭୋଜନ କରିଥାନ୍ତି । ଏହି ତିଆର୍ ରେ ଆବାଳ ବୃଦ୍ଧ ବନିତା ସମସ୍ତେ ନୂତନ ବସ୍ତ୍ର ପରିଧାନ କରିଥାନ୍ତି । ମହୁଲ ପତ୍ରରେ ନୂଆ ଖାଇଲା ପରେ ପରମ୍ପରା ମୁତାବକ ସମସ୍ତେ ବୟଜ୍ୟୋଷ୍ଠ ମାନଙ୍କୁ ଜୁହାର ହୁଅନ୍ତି ।
ଏହି ଅବସରରେ ୨୦୧୯ ଭେଟଘାଟ୍ ମାଲକାନଗିରି ବ୍ଲକ ଅନ୍ତର୍ଗତ ଚଲାଣଗୁଡ଼ା ଗ୍ରାମପଂଚାୟତର ଗନ୍ଧିପାଲ୍ଲୀ ଗ୍ରାମ ଠାରେ ଅନୁଷ୍ଠିତ ହୋଇଥିଲା । ଏହି ଭେଟଘାଟ୍ ଉତ୍ସବ ତଥା କଲଟା ତିଆର୍ ଅବସରରେ ଛତିଶଗଡ଼ ଧୁରୁଆ ସମାଜର ସଭାପତି ପ୍ରଫୁଲ୍ଲ ନାଗ ମୁଖ୍ୟଅତିଥି, ସମ୍ପାଦକ ଶ୍ରୀରାମ ବାଗେଲ ମୁଖ୍ୟବକ୍ତା, କୋଷାଧ୍ୟକ୍ଷ କୁମାରୀ ନିଶା ବାଗେଲ ସମ୍ମାନିତ ଅତିଥି ଭାବେ ଉପସ୍ଥିତ ଥିବା ମାଲକାନଗିରି ଧୁରୁଆ ସମାଜର ଉପସଭାପତି ବଳଦେବ ନାୟକ ପ୍ରକାଶ କରିଛନ୍ତି । ଏହି ଭେଟଘାଟ୍ ବୈଠକରେ ଶିକ୍ଷା, ସ୍ୱାସ୍ଥ୍ୟ, କୃଷି ଏବଂ ଧୁରୁଆ ସମାଜକୁ ସବୁ କ୍ଷେତ୍ରରେ ଅଗ୍ରଣୀ କରାଇବା ନିମନ୍ତେ ବିଭିନ୍ନ ସଚେତନତା ସୃଷ୍ଟି କରାଯାଇଥିଲା । ସମାଜରୁ ନିଶା ନିବାରଣ ଉପରେ ଗୁରୁତ୍ୱ ଦିଆଯାଇଥିଲା ।
ମାଲକାନଗିରି ଧୁରୁଆ ସମାଜର ସଭାପତି ମଙ୍ଗଳ ଦୁରୁଆ, ଭଦ୍ର ଦୁରୁଆ, ଗଗନ ଦୁରୁଆ (ରେଙ୍କୱାଡ଼ା), ମହୁପଦର ସରପଂଚ ଶିବଶଙ୍କର ଧୁରୁଆ, କିତାପାଲ୍ଲୀ ସରପଂଚ ଗୁପ୍ତ ଦୁରୁଆ ଓ ବହୁ ସକ୍ରିୟ କର୍ମକର୍ତା କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ।