ହରିଚନ୍ଦନପୁର-କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ ସିଂହବିଲା ଗ୍ରାମ ଠାରୁ ବଡପଳାଶପାଳ ଗ୍ରାମକୁ ସଂଯୋଗ କରୁଥିବା ମୂଖ୍ୟ ରାସ୍ତାର ଗୋଳାବନ୍ଧ ଗ୍ରାମ ନିକଟସ୍ଥ ଡେଙ୍ଗେଇହଣା ନାଳ ଉପରେ ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ଵାରା ନୂତନ ନିର୍ମିତ ପୋଲଟି ଭାଙ୍ଗି ଯାଇଥିବା ଦେଖିବାକୁ ମିଳିଛି । ଖବର ଅନୁଯାୟୀ ଏହି ବିଭାଗ ଦ୍ଵାରା ଗତ ଜୁନ୍ ମାସରେ ରାଜସ୍ବରୁ ଲକ୍ଷାଧିକ ଟଙ୍କା ଖର୍ଚ୍ଚରେ ନିର୍ମିତ ହୋଇଥିବା ଏହି ପୋଲଟିର ବିଭିନ୍ନ ସ୍ଥାନ ଦବି ଯାଇଥିବା ସହ ସାଇଟ୍ ଓ୍ବାଲ୍ ଗୁଡିକ ସମ୍ପୂର୍ଣ୍ଣ ଭାବେ ଭାଙ୍ଗିଯାଇଛି । ଯାହାକୁ ନେଇ ବର୍ତ୍ତମାନ ଉକ୍ତ ପୋଲଟି ବିପଦ ସଂକେତ ଅବସ୍ଥାରେ ରହିଥିବାରୁ ଏହା ଉପରେ ଭୟଭୀତ ଅବସ୍ଥାରେ ହଜାର ହଜାର ଲୋକ ଯାତାୟାତ କରୁଥିବା ଅଭିଯୋଗ ହୋଇଛି । ଏହି ରାସ୍ତା ଉପରେ ବଡପଳାଶପାଳ ଗ୍ରାମ ପଞ୍ଚାୟତର ଲୋକମାନେ ନିର୍ଭର କରୁଥିବା ବେଳେ ପିଠାଗୋଳା, ତେଲକୋଇ, କାଳିଆହତାର ଲୋକମାନେ ଏହି ରାସ୍ତା ଉପରେ ନିର୍ଭର କରିଥାନ୍ତି । ହେଲେ ଏଠାରେ ପ୍ରଶ୍ନ ଯେ, ବିଭାଗର ଉପସ୍ଥିତିରେ ରାଜସ୍ବରୁ ୩ରୁ ୪ଲକ୍ଷ ଟଙ୍କା ଖର୍ଚ୍ଚରେ ନିର୍ମାଣ ହୋଇଥିବା ଏହି ପୋଲଟି କିପରି ବା କେଉଁ କାରଣରୁ ଦୁଇମାସ ନପୁରୁଣୁ ଭାଙ୍ଗିଗଲା । ତେବେ ଏହା ବିଭାଗୀୟ ଅଧିକାରୀଙ୍କ ଅବହେଳା ନା ଠିକାଦାରଙ୍କ ସହ ସଲାସୁତୁରା ହୋଇ ମୋଟା ଅଙ୍କର ହାତଗୁଞ୍ଜା ନେଇ ଏଭଳି ନିମ୍ନମାନର କାର୍ଯ୍ୟ କରାଯାଇଛି, ଯାହାକୁ ନେଇ ବୁଦ୍ଧିଜୀବୀ ମହଲରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଲକ୍ଷାଧିକ ଟଙ୍କାରେ ନିର୍ମିତ କ୍ଷୁଦ୍ର ପୋଲଟିର ଅବସ୍ଥା ଦୁଇମାସ ମଧ୍ୟରେ ଏମିତି ଅଛି ତ ବିଭାଗ ପକ୍ଷରୁ ବ୍ଲକରେ ନିର୍ମାଣ ହୋଇଥିବା ରାସ୍ତା ଓ ପୋଲ ଗୁଡିକର ଅବସ୍ଥା କ’ଣ ଥିବା ତାହା ଏହି ପୋଲର ଅବସ୍ଥା ଦେଖିଲେ ଜଣାପଡ଼ୁଛି । ପୂର୍ବରୁ ଏହି ବିଭାଗ ଦ୍ଵାରା କୋଟି କୋଟି ଟଙ୍କା ରାଜସ୍ବରେ ଝାଡପୋଖରୀ ଛକ ଠାରୁ ଦୀନବନ୍ଧୁପୁର, ଜାମୁଯୋଡି ଠାରୁ ଧଳପୁର, ଯାଉଁରିଆ ଠାରୁ ଜାମୁପଶି ଓ ତେନ୍ତଳାପଶି ପଞ୍ଚାୟତ କାର୍ଯ୍ୟାଳୟ ଠାରୁ ଧାନଗୁର, ବରେଇଗୋଡା ଠାରୁ ନର୍ଦ୍ଦାଙ୍ଗିପେଣ୍ଠ ଓ ସାନଶିଆଡିମାଳ ପର୍ଯ୍ୟନ୍ତ ହୋଇଥିବା ରାସ୍ତା ନିର୍ମାଣ ଅତିନିମ୍ନମାନର ହୋଇଥିବା ଅଭିଯୋଗ ରହିଛି । ଯାହାକି ରାସ୍ତାର ସ୍ଥାୟୀତ୍ବ ବର୍ଷ ଛାଡ଼ି ମାସକ ମଧ୍ୟରେ ରହିଥିବା ସହ ନିର୍ମାଣର ୧୫ ଦିନରେ ହାତ ଲଗାଇଲେ ଉଠିଯାଉଛି ପିଚୁ ଓ କଲଭଟ୍ ଓ୍ବାଲ ଗୁଡିକ ଭାଗିଯାଉଥିବା ନଜିର ରହିଛି । ଏଠାରେ ବିଭାଗୀୟ ଅଧିକାରୀ ଓ ଠିକାଦାର ମାଲେ ମାଲ ହେଉଥିବା ସହ ତାଙ୍କର ଏଭଳି ଖାମଖିଆଲି ମନୋଭାବକୁ ନେଇ ଏଅଞ୍ଚଳ ହଜାର ହଜାର ଜନସାଧାରଣ ବର୍ଷ ବର୍ଷ ଧରି ଯନ୍ତ୍ରଣା ଭୋଗୁଛନ୍ତି । ମୁଖ୍ୟ କଥା, ଦାୟିତ୍ଵରେ ଥିବା ବିଭାଗୀୟ ଅଧିକାରୀ ନିଜର ଦୁର୍ନୀତିକୁ ଲୁଚାଇବାକୁ ଯାଇ ତଦନ୍ତ ଓ କାର୍ଯ୍ୟାନୁଷ୍ଠାନ ଛାଡ଼ି ଲୋକଲୋଚନକୁ ଆଣୁଥିବା ଗଣମାଧ୍ୟମର କଣ୍ଠରୋଧ କରିବାକୁ ଉଦ୍ୟମ କରୁଛନ୍ତି । କାହା ଛତ୍ରଛାୟା ତଳେ ରହି ବିଭାଗୀୟ ଅଧିକାରୀ ଏହିଭଳି ଦୁର୍ନୀତିକୁ ଲୁଚେଇବା ପାଇଁ ବିଭିନ୍ନ ମାଧ୍ୟମ ଖୋଜୁଛନ୍ତି ତାହା ବର୍ତମାନ ବୁଦ୍ଧିଜୀବି ମହଲକୁ ଚର୍ଚ୍ଚାର ଖୋରାକ ଯୋଗାଉଛି । ଏଥିପ୍ରତି ଜିଲ୍ଲାପାଳ ଦୃଷ୍ଟି ଦେଇ ସେଠାରେ ଏକ ଉନ୍ନତମାନର ପୋଲ ନିର୍ମାଣ ଓ ଏହି ବିଭାଗ ଦ୍ଵାରା ୫ବର୍ଷ ମଧ୍ୟରେ ନିର୍ମାଣ ହୋଇଥିବା ସମସ୍ତ କାର୍ଯ୍ୟର ସଠିକ୍ ତଦନ୍ତ କରାଇ ଉଚିତ୍ ପଦକ୍ଷେପ ନେବା ସହପାଇଁ ଜନସାଧାରଣରେ ଦାବି ହୋଇଛି ।