
ବାରିପଦା-ମୟୂରଭଞ୍ଜ ଜିଲ୍ଲାରେ ଚାଷୀମାନଙ୍କ ନିମନ୍ତେ ପ୍ରକୃତି ଦାଉ ସାଧୁଛି । ଚାଷୀକୂଳ ପ୍ରଥମେ ସ୍ୱଳ୍ପ ବୃଷ୍ଟିପାତ ଫଳରେ ସମ୍ଭାବ୍ୟ ମରୁଡ଼ି ପରିସ୍ଥିତିର ସମ୍ମୁଖୀନ ହେଉଥିବା ସମୟରେ ବର୍ତମାନ ପ୍ରବଳ ବର୍ଷା ଓ ଏହା ପ୍ରଭାବରେ ବନ୍ୟା ପରିସ୍ଥିତି ସେମାନଙ୍କ ପାଇଁ ଦାଉ ସାଜିଛି । ଚଳିତ ଅଗଷ୍ଟ ମାସରେ କ୍ରମାଗତ ଲଘୁଚାପର ପ୍ରଭାବରେ ଜିଲ୍ଲାର ବିଭିନ୍ନ ବ୍ଲକଗୁଡ଼ିକରେ ଅତି ପ୍ରବଳ ବର୍ଷା ଶସ୍ୟ ଓ ଅଣଶସ୍ୟ ଜାତୀୟ ଫସଲକୁ ଉଜାଡ଼ି ଦେଇଛି । କୃଷି ବିଭାଗ ପକ୍ଷରୁ କରାଯାଇଥିବା ଆକଳନ ଅନୁସାରେ ମୟୂରଭଞ୍ଜରେ ୮ ହଜାର ୧ ଶହ ୨ ହେକ୍ଟରରୁ ଅଧିକ ଜମିରେ ଫସଲ କ୍ଷତିଗ୍ରସ୍ତ ହୋଇଛି । ବିଶେଷ ଭାବେ ଶାମାଖୁଂଟା, ବେତନଟୀ, ବଡ଼ସାହି, ରାସଗୋବିନ୍ଦପୁର, କରଞ୍ଜିଆ, ଶୁକୃଳି, ରରୁଆଁ ଓ ବହଳଦା ଆଦି ୮ଟି ବ୍ଲକ ଅଧୀନ ୬୨ ପଚାଂୟତର ୩୦୬ ରାଜସ୍ୱ ମୌଜା ସର୍ବାଧିକ କ୍ଷତିଗ୍ରସ୍ତ ହୋଇଥିବାର କୃଷି ବିଭାଗ ପକ୍ଷରୁ ରିପୋର୍ଟରେ ଦର୍ଶାଯାଇଛି । ମୋଟ କ୍ଷତିଗ୍ରସ୍ତ ହୋଇଥିବା ଚାଷ ଜମିଗୁଡ଼ିକ ମଧ୍ୟରୁ ୭ ହଜାର ୩୦ ହେକ୍ଟର ଧାନ କ୍ଷେତ ରହିଥିବା ସମୟରେ ୧ ହଜାର ୬୩ ହେକ୍ଟର ପନିପରିବା, ମକା, ଚିନାବାଦାମ, ରାଶି ଆଦି ଅଣଧାନ ଜାତୀୟ ଫସଲ ରହିଛି । ବଡ଼ସାହି ବ୍ଲକରେ ସର୍ବାଧିକ ୧୪ ପଚାଂୟତ ଅଧୀନ ୧୧୨ ରାଜସ୍ୱ ମୌଜାରେ ସର୍ବ ମୋଟ ୪ ହଜାର ୯ ଶହ ୯୦ ହେକ୍ଟର କ୍ଷେତରେ ଫସଲକୁ କ୍ଷତି ପହଁଚାଇଛି । ସେହିପରି ଶାମାଖୁଂଟା ବ୍ଲକରେ ୪ ପଚାଂୟତ ଅନ୍ତର୍ଗତ ୧୪ ରାଜସ୍ୱ ମୌଜାରେ ୧୭୫ ହେକ୍ଟର, ବେତନଟୀ ବ୍ଲକର ୧୬ ପଚାଂୟତ ଅଧୀନ ୮୮ ରାଜସ୍ୱ ମୌଜାରେ ୮୪ ହେକ୍ଟର, ଶୁକୃଳି ବ୍ଲକର ୫ ପଚାଂୟତ ଅଧୀନ ୧୨ ଗୋଟି ଗ୍ରାମରେ ୪୩ ହେକ୍ଟର, ରରୁଆଁ ବ୍ଲକ ଅନ୍ତର୍ଗତ ୬ ପଚାଂୟତର ୧୨ ଗୋଟି ଗ୍ରାମରେ ୨୮ ହେକ୍ଟର ଏବଂ ବହଳଦା ବ୍ଲକ ଅଧୀନ ୫ ପଚାଂୟତର ୮ ଗୋଟି ଗ୍ରାମରେ ୩୨ ହେକ୍ଟର କ୍ଷେତରେ ହୋଇଥିବା ବିଭିନ୍ନ ଜାତୀୟ ଫସଲ ନଷ୍ଟ ହୋଇଥିବାର ଜଣାପଡ଼ିଛି । ତେବେ ଚଳିତ ଖରିଫ ଋତୁରେ ଜିଲ୍ଲାସ୍ତରୀୟ କୃଷି ନୀତିରେ ଜିଲ୍ଲାରେ ୨ ଲକ୍ଷ ୯୨ ହଜାର ୩୬୭ ହେକ୍ଟର ଜମିରେ ଖାଦ୍ୟଶସ୍ୟ ଉତ୍ପାଦନ ନିମନ୍ତେ କୃଷି ବିଭାଗ ପକ୍ଷରୁ ଖସଡ଼ା ପ୍ରସ୍ତୁତ କରାଯାଇଥିବା ସମୟରେ ୨ ଲକ୍ଷ ୯୧ ହଜାର ୪୯୦ ହେକ୍ଟର ଜମିରେ କୃଷି କାର୍ଯ୍ୟ ଲକ୍ଷ୍ୟ ପୂରଣ ହୋଇଥିଲା ।
ସେହିପରି ୧ ଲକ୍ଷ ୪୪ ହଜାର ୬୩୩ ହେକ୍ଟର ଜମିରେ ଡ଼ାଲି, ପନିପରିବା ଓ ତୈଳବୀଜ ଜାତୀୟ ଅଣଧାନ ଜାତୀୟ ଫସଲ ଉତ୍ପାଦନ ନିମନ୍ତେ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିବା ସମୟରେ ୧ ଲକ୍ଷ ୨୧ ହଜାର ୩୫୮ ହେକ୍ଟର ଲକ୍ଷ୍ୟ ପୂରଣ ହୋଇଥିବା ସମୟରେ ପ୍ରକୃତି ଦାଉ ସାଜିଲା ବୋଲି ଜିଲ୍ଲା କୃଷି ଉପନିର୍ଦ୍ଦେଶକ ଦାମୋଦର ସେଠୀଙ୍କ ସୂତ୍ରରୁ ଜଣାପଡ଼ିଛି । ତେବେ ଜିଲ୍ଲାର ୨୬ ଗୋଟି ବ୍ଲକରେ ଲଘୁଚାପଜନିତ ବର୍ଷା ଓ ଏହାର ପ୍ରଭାବରେ ବନ୍ୟା ପରିସ୍ଥିତି କାରଣରୁ କ୍ଷତିଗ୍ରସ୍ତ ହୋଇଥିବା ଧାନ ଓ ଅଣଧାନ ଜାତୀୟ ଫସଲ ହାନିକୁ ନେଇ ସମ୍ପୃକ୍ତ ବ୍ଲକରୁ ରିପୋର୍ଟ ଆସିବା ପରେ କ୍ଷତି ପୂରଣ ପ୍ରଦାନ ନିମନ୍ତେ ସରକାରଙ୍କ ନିକଟରେ ଏକ ଚୂଡ଼ାନ୍ତ ରିପୋର୍ଟ ଦାଖଲ କରାଯିବ ବୋଲି ଜିଲ୍ଲାପାଳ ବିନୀତ ଭରଦ୍ୱାଜ ପ୍ରକାଶ କରିଛନ୍ତି ।