ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ବିଭିନ୍ନ ନଦୀମାନଙ୍କରୁ ବାଲି ଚୋରା ଚାଲାଣ ବୃଦ୍ଧି ପାଇଛି । ପ୍ରତିଦିନ ଶହ ଶହ ଟ୍ରକ୍, ଟ୍ରାକ୍ଟର ଓ ଟିପ୍ପର ଯୋଗେ ଜିଲ୍ଲା ଓ ଜିଲ୍ଲା ବାହାରକୁ ବାଲି ଚାଲାଣ ହେଉଛି । ରାଜ୍ୟ ବାହାରକୁ ଓ ଅନ୍ୟଦେଶକୁ ମଧ୍ୟ ଜାହାଜ ଯୋଗେ ସମୁଦ୍ର ପଥରେ ବାଲି ଚାଲାଣ ହେଉଛି । ଏ ବିଷୟରେ ସରକାର ଓ ପ୍ରଶାସନ ନିକଟରେ ଖବର ଥିଲେ ମଧ୍ୟ ନିରବ ରହିବା ପ୍ରଶ୍ନବାଚୀ ସୃଷ୍ଟି କରିଛି । ବାଲି ଚୋରା ଘଟଣାକୁ କେନ୍ଦ୍ର କରି ବିଭିନ୍ନ ସମୟରେ ଜିଲ୍ଲାର ଅନେକ ଗ୍ରାମବାସୀ ରାସ୍ତାକୁ ଓହ୍ଲାଇ ଆନ୍ଦୋଳନ କରିଛନ୍ତି । ବାଲି ମାଫିଆ, ସରକାର ଓ ପ୍ରଶାସନ ଭିତରେ ଥିବା ଅସାଧୁ ମେଣ୍ଟ ଯୋଗୁ ସରକାର ବାର୍ଷିକ କୋଟି କୋଟି ଟଙ୍କା ରାଜସ୍ୱ ହରାଉଛନ୍ତି । ଜିଲ୍ଲାରେ ୧୧୭ଟି ସୈରାତ୍ ରହିଛି । ସେଥିରୁ ୭୮ଟି ନିଲାମ ହୋଇଛି । ନିଲାମ ସୈରାତ୍ ତୁଳନାରେ କାହିଁ କେତେ ଅଧିକ ବାଲି ରାତି ଅଧିଆ ଚୋରା ଚାଲାଣ ହେଉଛି । ଏହାର ହିସାବ ସରକାର ଓ ପ୍ରଶାସନ ପାଖରେ ନାହିଁ । ବାଲି ଖନନ ଯୋଗୁ ନଦୀ ପଠା ଗଭୀର ହୋଇ ଦୁଇ କୁଳ କ୍ଷତିଗ୍ରସ୍ତ ହୋଇଛି । ଏହା ଫଳରେ ବର୍ଷାଦିନ ମାନଙ୍କରେ ଚାଷ ଜମି ବାଲିଚର ହେଉଛି । ଗାଁ ଭିତରେ ପାଣି ପଶୁଛି ଓ ନଦୀ ଦୁଇକୁକୁ ଖାଇବା ଦ୍ୱାରା ଶହ ଶହ ଏକର ଚାଷ ଜମି ନଦୀ ଗର୍ଭରେ ମିଶି ଯାଉଛି । ଏହାଫଳରେ ଚାଷୀ ଭୂମିହୀନ ହୋଇଯାଉଛି । ଏଭଳି ପରିସ୍ଥିତିରେ ସରକାର ତୁରନ୍ତ ଏଥିରେ ହସ୍ତକ୍ଷେପ କରି ବାଲି ଚୋରା ଚାଲାଣ ରୋକିବା ଦିଗରେ ପଦକ୍ଷେପ ନିଅନ୍ତୁ ଓ ନଦୀ ତଟ ଗୁଡିକର ସୁରକ୍ଷା ପ୍ରତି ଧ୍ୟାନ ଦିଅନ୍ତୁ ବୋଲି କଂଗ୍ରେସ ପକ୍ଷରୁ ଉକ୍ତ ଦାବିପତ୍ରରେ ଉଲ୍ଲେଖ ରହିଛି । ଦାବିପତ୍ର ପ୍ରଦାନ ସମୟରେ କାର୍ଯ୍ୟକାରୀ ସଭାପତି ପିତବାସ ପଣ୍ଡାଙ୍କ ନେତୃତ୍ୱରେ କଂଗ୍ରେସ କର୍ମୀମାନେ ଉପସ୍ଥିତ ଥିଲେ ।