
-
ଗଞ୍ଜାମରେ କରୋନା ସଂକ୍ରମିତଙ୍କ ସଂଖ୍ୟା କମୁଛି, ବନ୍ଦ ହେଲା ୪ କୋଭିଡ୍ କେୟାର ସେଣ୍ଟର
ରୋଗୀ ସଂଖ୍ୟା କମିବାରୁ ଜିଲ୍ଲାର ୪ଟି କୋଭିଡ୍ କେୟାର ସେଣ୍ଟରକୁ ଜିଲ୍ଲା ପ୍ରଶାସନ ବନ୍ଦ କରିଛି । ଜିଲ୍ଲାରେ କରୋନା ମହାମାରୀ ଦ୍ରୁତଗତିରେ ବୃଦ୍ଧି ପାଇଥିବାରୁ ୩ଟି କୋଭିଡ୍ ହସ୍ପିଟାଲ, ୧୦ରୁ ଉର୍ଦ୍ଧ୍ୱ କୋଭିଡ୍ କେୟାର ସେଣ୍ଟର ଓ ଜିଲ୍ଲାରେ ପ୍ରତି ପଞ୍ଚାୟତରେ କୋଭିଡ୍ କେୟାର ପ୍ରତିଷ୍ଠା କରାଯାଇଥିଲା । ଜିଲ୍ଲାରେ ଗୁରୁବାର ସନ୍ଧ୍ୟା ସୁଦ୍ଧା ୧୭୩୭ଜଣ ସଂକ୍ରମିତ ଚିକିତ୍ସିତ ହେଉଛନ୍ତି । ରୋଗୀ ସଂଖ୍ୟା କମୁଥିବାରୁ ପାରଳା ମହାରାଜା ଇଞ୍ଜିନିୟରିଂ କଲେଜରେ ଚାଲୁଥିବା ୨ଟି କୋଭିଡ୍ କେୟାର ସେଣ୍ଟର ମଧ୍ୟରୁ ବି-କୋଭିଡ୍ କେୟାର ସେଣ୍ଟର, ସାନଖେମୁଣ୍ଡି ବିଜୁ ପଟ୍ଟନାୟକ ଆଦର୍ଶ ବିଦ୍ୟାଳୟ, ପାତ୍ରପୁର କୋଭିଡ୍ କେୟାର ସେଣ୍ଟରକୁ ଗୁରୁବାର ଠାରୁ ବନ୍ଦ କରାଯାଇଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି । ସେହିଭଳି ୮୪ଜଣଙ୍କୁ ପ୍ଲାଜମା ଦିଆଯାଇଥିବା ବେଳେ ୪୭୨ଜଣ ସୁସ୍ଥ ରୋଗୀ ପ୍ଲାଜମା ଦେବାକୁ ପଞ୍ଜିକୃତ କରିଥିବା ଜଣାପଡିଛି । ଜୁଲାଇ ୨୧ତାରିଖ ଠାରୁ ଗଞ୍ଜାମରେ ପ୍ଲାଜମା ଥେରାପି ଆରମ୍ଭ ହୋଇଥିବା ବେଳେ ଗୁରୁବାର ସୁଦ୍ଧା ୯୨ୟୁନିଟ୍ ସଂଗୃହିତ ହୋଇଥିବା ଜିଲ୍ଲା କୋଭିଡ୍-୧୯ର ପରିଚାଳନା ଦାୟୀତ୍ୱରେ ଥିବା ନୋଡାଲ ଅଧିକାରୀ ତଥା ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ ଇଂ.ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ସୂଚନା ଦେଇଛନ୍ତି । ଇତି ମଧ୍ୟରେ ୮୪ଜଣଙ୍କୁ ପ୍ଲାଜମା ଦିଆଯାଇଥିବା ବେଳେ ୨୦ଜଣ ସୁସ୍ଥ ହୋଇଛନ୍ତି । ପ୍ଲାଜମା ଦିଆଯିବା ସତ୍ତ୍ୱେ ଜିଲ୍ଲାରେ ୭ଜଣ ରୋଗୀଙ୍କ ମୃତ୍ୟୁ ଘଟିଛି । କରୋନାରୁ ସୁସ୍ଥ ହୋଇଥିବା ଜିଲ୍ଲାର ବିଭିନ୍ନ ବ୍ଲକ୍ ଓ ଏନ୍ଏସି ଅଞ୍ଚଳରୁ ୧୦୨୯୧ଜଣଙ୍କୁ ପୁଣି ସ୍ୱାସ୍ଥ୍ୟ ଯାଞ୍ଚ କରାଯାଇଛି । ଜିଲ୍ଲା ପ୍ରଶାସନ ପକ୍ଷରୁ ଘରକୁ ଘର ବୁଲି କରୋନାରୁ ସୁସ୍ଥଙ୍କ ସ୍ୱାସ୍ଥ୍ୟଯାଞ୍ଚ କରାଯାଇଛି । ସେହିପରି ଜିଲ୍ଳାରେ ୯୫୦ଜଣ ସଂକ୍ରମିତ ସଙ୍ଗରୋଧ ଗୃହରେ ରହିଥିବା ଜଣାଯାଇଛି । ସୂଚନାଥାଉକି, ଜିଲ୍ଲାରେ ଗତ ୫ମାସ ମଧ୍ୟରେ ୫ ପର୍ଯ୍ୟାୟରେ ଘରକୁ ଘର ବୁଲି ସ୍ୱାସ୍ଥ୍ୟଯାଞ୍ଚ କରାଯିବା ଫଳରେ ସଂକ୍ରମିତଙ୍କୁ ଖୁବ୍ଶୀଘ୍ର ଚିହ୍ନଟ କରିବାରେ ସାହାଯ୍ୟ ହୋଇଛି । ବ୍ଲକ୍ ବିଡିଓ, ତହସିଲଦାର ଓ ପୋଲିସର ମିଳିତ କାର୍ଯ୍ୟ ଓ ସମସ୍ତଙ୍କ ସହଯୋଗରେ ସଂକ୍ରମଣରେ ରୋକ ଲଗାଇବାରେ ଜିଲ୍ଲା ପ୍ରଶାସନ ସଫଳ ହୋଇଥିବା କୁହାଯାଉଛି ।